କନକ ବ୍ଯୁରୋ: ରାଜଧାନୀ ଦିଲ୍ଲୀରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା । କାରଣ ଆପଣଙ୍କର ମନେଥିବ ନିଶ୍ଚୟ ନିର୍ଭୟାଙ୍କୁ କେମିତି ଗଣଦୁଷ୍କର୍ମ କରାଯିବା ପରେ ଚଳନ୍ତା ବସ୍ରୁ ତଳକୁ ଫିଙ୍ଗିଦେଇଥିଲେ । ଏବେ ଠିକ୍ ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ଅବଶ୍ୟ ଏଥର ଯୁବତୀ ନୁହେଁ ବରଂ ଯୁବକଙ୍କ ସହ ଘଟିଛି ବର୍ବର କାଣ୍ଡ । ସୂଚନା ଅନୁସାରେ, ଜଣେ ୨୨ ବର୍ଷୀୟ ଯୁବକ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ମାରପିଟ କରିବା ସହ ଚଳନ୍ତା ବସ୍ରୁ ଠେଲି ଦେଇଛନ୍ତି । ଯାହାଦ୍ବାରା ତାଙ୍କର ମୃତ୍ୟୁ ହୋଇଛି ।
ରାଜଧାନୀରେ ଚାଂଚଲ୍ୟ
ପୁଣି ଥରେ ନିର୍ଭୟା ପରି ଘଟିଲା ଘଟଣା
ଚଳନ୍ତା ବସ୍ରୁ ଫୋପାଡି ଦେଲେ
୧ ଫେବୃଆରୀ ରାତିରେ ଘଟିଥିଲା ଘଟଣା
ପୋଲିସ କରୁଛି ତଦନ୍ତ
ଘଟଣା ଜଣାପଡ଼ିବା ପରେ ପୋଲିସ କହିଛି, ସଂପୃକ୍ତ ଯୁବକ ଜଣକ ଏକ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ ନିଜ ସାଙ୍ଗଙ୍କ ସହ ହେଲେ ଆସିବା ବେଳେ ବସରେ ଘଟିଥିଲା ଅଘଟଣ । ଦିଲ୍ଲୀର ଯୁବକ ଦିଲ୍ଲୀରେ ସୁରକ୍ଷିତ ନଥିବା ଘଟଣାକୁ ନେଇ ପୋଲିସ ପ୍ରଶାସନ ଉପରେ ଉଠିଛି ପ୍ରଶ୍ନ । ସେପଟେ ପୋଲିସ କହିଛି ପୁରା ଘଟଣାରେ ତଦନ୍ତ ହେଉଛି । ବିଳମ୍ବିତ ରାତ୍ରୀରେ ଯୁବକ ଏକ ବାହାଘର ଭୋଜିରୁ କାମ ସାରି ଘରକୁ ଫେରୁଥିଲେ । ସାଙ୍ଗରେ କିଛି ଖାଇବା ଆଣିଥିଲେ । ଡ୍ରାଇଭରଙ୍କ ସହ ଅନ୍ୟ ତିନ ଯୁବକ ମଧ୍ୟ ବସ୍ରେ ଥିଲେ । ଯେତେବେଳେ ବସ୍ ବବାନା ଛକରେ ପହଞ୍ଚିଥିଲା ସେତେବେଳେ ଯୁବକଙ୍କ ହାତରୁ ଭୁଲରେ ଖାଇବା ତଳେ ପଡ଼ିଯାଇଥିଲା । ଯେଉଁଥିଲାଗି ଡ୍ରାଇଭର ଜଣକ ରାଗି ଯାଇଥିଲେ । ବସ୍ରୁ ଧକ୍କା ଦେଇ ଓହ୍ଲାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ତଳେ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।
ଏହାସହ ପୋଲିସ ଆହୁରି ମଧ୍ୟ କହିଛି, ବସ୍ ଭିତରେ ବି ତାଙ୍କୁ ମାଡ଼ ମରାଯାଇଥିଲା । କିନ୍ତୁ ଏବେ ବି ଡ୍ରାଇଭର ଫେରାର ଅଛନ୍ତି । ସୂଚନା ଅନୁସାରେ, ଡ୍ରାଇଭର ଜଣକ ନିଜ ସାଙ୍ଗଚକୁ ଗାଡ଼ି ଦେଇ ଯୁବକଙ୍କୁ ମାଡ଼ ମାରିଥିଲେ । ପାଖାପାଖି ୧୫ ମିନିଟ୍ ପର୍ଯ୍ୟନ୍ତ ଏହି ଘଟଣା ଚାଲିଥିଲା । ସଂପୃକ୍ତ ଯୁବକ ଜଣକ ଯେ ପର୍ଯ୍ୟନ୍ତ ବେହୋସ ହୋଇନଥିଲେ ସେ ପର୍ଯ୍ୟନ୍ତ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ କେମିତି ଜାଣିଲା ପୋଲିସ
୧ ଫେବୃଆରୀ ରାତିରେ ଘଟିଥିବା ଘଟଣା ସମ୍ପର୍କରେ ପୋଲିସ ଜାଣିଥିଲା ୨ ଫେବୃଆରୀରେ । ସକାଳୁ ସକାଳୁ ପୋଲିସ ଖବର ପାଇଥିଲା କି, ଓଭକବ୍ରିଜ ପାଖରେ ଜଣେ ଯୁବକ ଚେତାଶୂନ୍ୟ ହୋଇ ପଡିଛନ୍ତି । ସଙ୍ଗେ ସଙ୍ଗେ ପୋଲିସ ଖବର ପାଇବା ପରେ ଯୁବକଙ୍କୁ ଉଦ୍ଧାରକରି ମେଡ଼ିକାଲରେ ଭର୍ତ୍ତି କରିଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ମୃତ ଯୁବକଙ୍କ ପରିବାର ପକ୍ଷରୁ ଭାଇ ଥାନାରେ ଏତଲା ଦେଇଥିଲେ କି ୧ ଫେବୃଆରୀରୁ ତାଙ୍କ ଭାଇ ଘରକୁ ଫେରିନି । ପରେ ପୋଲିସ ତାଙ୍କୁ ଫୋନ୍ କରି ପୁରା ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ମୋଟ୍ ଉପରେ ଦିଲ୍ଲୀ ଛାତି ଉପରେ ଏତେ ସମୟ ଧରି ଏତେ ବଡ଼ ଘଟଣା ଘଟିଲା କେମିତି ପୋଲିସ ଜାଣିପାରିଲା ନାହିଁ ସେନେଇ ପ୍ରଶ୍ନ ଉଙ୍କି ମାରୁଛି । ସେପଟେ ସବୁ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି ।