କନକ ବ୍ୟୁରୋ: ୩ ବର୍ଷ ଧରି ଚାଲିଥିବା ଋଷିଆ-ୟୁକ୍ରେନ୍ ଯୁଦ୍ଧରେ ପରିସମାପ୍ତି ହେବ ବୋଲି ଚର୍ଚ୍ଚା ଜୋର । କାରଣ ଆମେରିକା ମଧ୍ୟସ୍ଥତା କରିବାରେ ଲାଗିଛି । ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷିଆ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି କି ୟୁକ୍ରେନ୍ର ସୈନ୍ୟଙ୍କୁ ଛାଡ଼ିଦେବାକୁ । ହେଲେ ପୁଟିନ୍ କହିଛନ୍ତି, ଆମେ ଆପଣଙ୍କ କଥାକୁ ସେତେବେଳେ ସମ୍ମାନ ଦେବୁ ଯେତେବେଳେ ଯୁକ୍ରେନ୍ ସୈନ୍ୟମାନେ ଆତ୍ମସମର୍ପଣ କରିବେ ।
ପୁଟିନ୍ଙ୍କ ସହ କଥା ହେଲେ ଟ୍ରମ୍ପ
ୟୁକ୍ରେନ୍ ସୈନ୍ୟଙ୍କୁ ଛାଡ଼ିବାକୁ କଲେ ଅପିଲ୍
ପୁଟିନ୍ କହିଲେ ଆତ୍ମସମର୍ପଣ କଲେ ଛାଡ଼ିଦେବୁ
୩ ବର୍ଷ ପରେ ବଦଳୁଛି ଯୁଦ୍ଧର ପାଣିପାଗ
ଯୁଦ୍ଧ ବନ୍ଦ ପାଇଁ ଉଭୟ ରାଷ୍ଟ୍ର ହେଉଛନ୍ତି କି ରାଜି ?
ବର୍ଷେ କି ୨ ବର୍ଷ ନୁହେଁ ବରଂ ଲଗାତାର ୩ ବର୍ଷ ହେଲାଣି ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ଯୁଦ୍ଧରେ ଉଭୟ ରାଷ୍ଟ୍ରଙ୍କ ଅନେକ କ୍ଷତି ହେଉଛି, ସୈନ୍ୟଙ୍କ ଜୀବନ ଯାଉଛି । ସାଧାରଣ ଲୋକ ବାସହରା ହେଉଛନ୍ତି । ଯୁଦ୍ଧବନ୍ଦ କରିବା ଲାଗି ବିଶ୍ବର ଅନେକ ରାଷ୍ଟ୍ର ଚେଷ୍ଟା କରିଛନ୍ତି ହେଲେ ତାହା ସଫଳ ହୋଇନାହିଁ । ଏବେ କିନ୍ତୁ ଯୁଦ୍ଧ ବନ୍ଦ କରିବା ନେଇ ଆମେରିକା ଯେଉଁ ଚେଷ୍ଟା କରୁଛି ତାହା ସଫଳ ହେବ ବୋଲି କୁହାଯାଉଛି ।
ଋଷ୍ ସୁରକ୍ଷା ପରିଷଦ ଉପାଧ୍ୟକ୍ଷଙ୍କ ବଡ଼ ବିବୃତ୍ତି
କହିଲେ, ହତିଆର ଛାଡ଼ିଲେ ଜୀବନ ଦେବୁ
ନଚେତ୍ ମିଳିବ ମୃତ୍ୟୁଦଣ୍ଡ
ଆମେରିକାର ମଧ୍ୟସ୍ଥତା ପରେ ଋଷିଆ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ କହିଛନ୍ତି, ଯୁକ୍ରେନ୍ ସୈନ୍ୟମାନେ ଯଦି ହତିଆର ଛାଡ଼ିଦେବେ ତେବେ ଆମେ ସେମାନଙ୍କୁ ନୂଆ ଜୀବନ ଦେବୁ । ହେଲେ ସେମାନେ ଯଦି ହତିଆର ନଛାଡ଼ିବେ ତାହାଲେ ମୃତ୍ୟୁଦଣ୍ଡ ହିଁ ମିଳିବ ।
ପୁଟିନ୍ଙ୍କ ସହ ଟ୍ରମ୍ପଙ୍କ ଘନଘନ ଆଲୋଚନା
ସୋସିଆଲ ମିଡ଼ିଆରେ କହିଲେ…
ଆମେରିକା ରାଷ୍ଟ୍ରପତି ଋଷିଆ ରାଷ୍ଟ୍ରପତିଙ୍କ ସହ ଫୋନ୍ରେ କଥା ହେବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି କଥାବାର୍ତ୍ତାର ନିସ୍କର୍ଷ ସମ୍ପର୍କରେ ଏବଂ କହିଛନ୍ତି, ଆଲୋଚନା ଗୁରୁତ୍ବପୂର୍ଣ୍ଣ ଥିଲା । ପୁଟିନ୍ ଆମ ଅନୁରୋଧ ରକ୍ଷା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅବଶ୍ୟ ସେ ସିଧାସଳଖ ପୁଟିନ୍ଙ୍କ ସହ ଆଲୋଚନା କରିଛନ୍ତି କି ତାଙ୍କ ବ୍ୟକ୍ତିଗତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି କି ପୁଟିନ୍ଙ୍କ ସହ ଆଲୋଚନା ହୋଇଥିବା କଥା ସୋସିଆଲ ମିଡିଆରେ ଲେଖିଛନ୍ତି ।
୩୦ ଦିନର ଯୁଦ୍ଧବିରତି
୩ ବର୍ଷ ହେଲାଣି ଲାଗିରହିଥିବା ଯୁଦ୍ଧରେ ୩୦ ଦିନ ଯାଏଁ ବିରତି ମିଳିବା ନେଇ ଉଭୟ ରାଷ୍ଟ୍ର ସଂକେତ ଦେଇଛନ୍ତି । ଅର୍ଥାତ୍ ଏହି ୩୦ ଦିନ ଉଭୟ ରାଷ୍ଟ୍ର କେହି କାହାରି ଉପରେ ଆକ୍ରମଣ କରିବେ ନାହିଁ । ମୋଟ୍ ଉପରେ ଯୁଦ୍ଧରେ ଉଭୟ ରାଷ୍ଟ୍ରର ଅନେକ କ୍ଷତି ହେଉଥିବା କାରଣରୁ ଯୁଦ୍ଧ ବନ୍ଦ କରିବା ନେଇ ଅନେକ ରାଷ୍ଟ୍ର ଗୁରୁତ୍ବାରୋପ କରିଛନ୍ତି । ଏବେ ସମୟ କହିବ ଉଭୟ ରାଷ୍ଟ୍ର ଏହାକୁ କେତେ ମାନୁଛନ୍ତି ।