କନକ ବ୍ୟୁରୋ: ପାକିସ୍ତାନ କେବେ ନିଜ ଦୋଷ ମାନିଛି ନା ମାନିବ । ଏକଥା ଏଇଥିଲାଗି କୁହାଯାଉଛି କି ବାରମ୍ବାର ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଭାରତ ଉପରେ ଦୋଷ ଲଦିବା ପାକିସ୍ତାନର ପୁରୁଣା ଅଭ୍ୟାସ। ସେଇଥି ଲାଗି ତ ଟ୍ରେନ୍ ହାଇଜାକକୁ ନେଇ ପାକିସ୍ତାନ ଶେଷରେ ଭାରତ ଉପରେ ଦୋଷ ଲଦିଛି । ବେଲୁଚିସ୍ତାନରେ ଟ୍ରେନ୍ ଅପହରଣ ଘଟଣା ପାଇଁ ପାକିସ୍ତାନ ଭାରତକୁ ଦାୟୀ କରୁଥିବାବେଳେ ଏନେଇ ଭାରତ ପକ୍ଷରୁ ମୁହଁତୋଡ ଜବାବ ଦିଆଯାଇଛି । ଅନ୍ୟକୁ ଦୋଷଦେଇ ନିଜ ବିଫଳତା ଲୁଚାଉଛି ବୋଲି ଭାରତ ସ୍ପଷ୍ଟ ଭାବରେ କହିବା ପରେ ଏବେ ପାକିସ୍ତାନର ଅସଲ ମୁଖା ଖୋଲିଛି ।
ନିଜ ଦୋଷ ଲୁଚାଇବାକୁ
ଭାରତ ଉପରେ ଦୋଷ ଲଦୁଛି ପାକିସ୍ତାନ
ପାକିସ୍ତାନର ମନଗଢା କାହାଣୀ
ଭାରତ ଦେଲା ଦୃଢ ଜବାବ
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଜାଫର ଏକ୍ସପ୍ରେସ ଅପହରଣ ଘଟଣାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲା । ପାକିସ୍ତାନର ଏହି ଭିତ୍ତିହୀନ ଦାବିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିବା ସହିତ ଅଯଥାରେ ଭାରତ ଉପରେ ପାକ୍ ଦୋଷାରୋପ କରିବା ସହ ଏହା ନିନ୍ଦନୀୟ ବୋଲି କହିଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ପାକିସ୍ତାନର ଭିତ୍ତିହୀନ ଅଭିଯୋଗକୁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରୁଛୁ । ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ କେଉଁଠି ତାହା ପୂରା ବିଶ୍ୱ ଜାଣେ, ସେଥିପାଇଁ ଆଦୌ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଅନ୍ୟମାନଙ୍କ ଆଡ଼କୁ ଆଙ୍ଗୁଠି ଉଠାଇ ନିଜ ଆଭ୍ୟନ୍ତରୀଣ ବିଫଳତା ପାଇଁ ଦୋଷ ଲଦିବା ପରିବର୍ତ୍ତେ ପାକିସ୍ତାନ ଆତ୍ମବିଚାର କରିବା ଉଚିତ୍ । ସଜସଜ ଆଇସିସି ଟ୍ରଫିରେ କେମିତି ପାକିସ୍ତାନକୁ ଆତଙ୍କୀ ଡର ଥିଲା ପୂରା ବିଶ୍ବ ଅବଗତ ଅଛି । ତେଣୁ ପାକିସ୍ତାନର ଅଯଥା କଥାରେ ଭାରତ ଆଦୌ ବ୍ୟସ୍ତ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଛି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଦୁଇଦିନ ତଳେ ପାକିସ୍ତାନ ସେନା ଦାବି କରିଥିଲା ଯେ ଟ୍ରେନ ଅପହରଣ କାଣ୍ଡର ଅବସାନ ଘଟିଛି ଓ ସମସ୍ତ ୩୩ ବଲୋଚ ବିଦ୍ରୋହୀ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ବଲୋଚ ବିଦ୍ରୋହୀ ସଙ୍ଗଠନ ବିଏଲ୍ଏ ପାକିସ୍ତାନୀ ସେନାର ଦାବିକୁ ଖଣ୍ଡନ କରି କହିଛି ଯେ ଏବେ ବି ଅନେକ କ୍ଷେତ୍ରରେ ଯୁଦ୍ଧ ଚାଲିଛି ଓ ଏବେ ବି ଅନେକ ପାକ୍ ସୈନିକ ବନ୍ଧକ ଅଛନ୍ତି । ତେଣୁ ପ୍ରକୃତରେ ସତ କିଏ କହୁଛି ତାହା ସ୍ପଷ୍ଟ ହୋଇଛି । ଏହାପରେ ବି ପାକିସ୍ତାନ ଯେଉଁପରି ଭାବରେ ହୀନ ଚକ୍ରାନ୍ତ କରୁଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।