କନକ ବ୍ଯୁରୋ: ଶୂନ୍ୟକାଳରେ ଉଠିଲା ଗତକାଲିର ଝଡ଼ ପ୍ରସଙ୍ଗ । ତାରା ବାହିନୀପତିଙ୍କ ଉପରେ ଲାଗିଥିବା ନିଲମ୍ବନ ହଟାଇବାକୁ ବାଚସ୍ପତିଙ୍କୁ ନିବେଦନ କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଗତକାଲି ଅପ୍ରତ୍ୟାଶିତ ଘଟଣାରେ ଆମେ ସମସ୍ତେ ଉତ୍ତରଦାୟୀ । ଆଗରୁ ଏଭଳି ଘଟଣା କେବେ ଘଟିନଥିଲା । ଆମେ ଜନସାଧାରଣ ଭାବେ ଉତ୍ତରଦାୟୀ ଏବଂ ସମ୍ବିଧାନ ପ୍ରତି ମଧ୍ୟ ଉତ୍ତରଦାୟୀ । ଆଗାମୀ ଦିନରେ ସୂଚାରୁରୂପେ ନ୍ୟାୟପୂର୍ଣ୍ଣ ଭାବେ ଗୃହ ପରିଚାଳନା କରିବା ଆପଣଙ୍କ ଦାୟିତ୍ୱ ଏବଂ ଆମର ମଧ୍ୟ ଦାୟିତ୍ୱ ବୋଲି କହିଛନ୍ତି ପ୍ରସନ୍ନ ।

Advertisment

ଏହାସହ ସେ ଆହୁରି ମଧ୍ୟ କହିଛନ୍ତିସ, ଆମେ ସମସ୍ତେ ଲଜ୍ଜିତ । କଂଗ୍ରେସ ସଦସ୍ୟ ବାହାରେ ବସିଛନ୍ତି । ତେଣୁ ଗୃହ ଏବେ ଅସମ୍ପୂର୍ଣ୍ଣ । ଏଣୁ ନିବେଦନ କରୁଛୁ, କଂଗ୍ରେସ ସଦସ୍ୟଙ୍କ ଉପରୁ ନିଲମ୍ବନ ହଟାଯାଉ । କଂଗ୍ରେସ ସଦସ୍ୟମାନଙ୍କୁ ଗୃହକୁ ଫେରାଇ ଅଣାଯାଉ । ଏହା ନହେଲେ ଗୃହ ପରିପୂର୍ଣ୍ଣ ଦେଖାଯିବ ନାହିଁ । ନଚେତ ରାଜ୍ୟବାସୀ କ୍ଷମା ଦେବେ ନାହିଁ କିମ୍ବା ସମ୍ବିଧାନ କ୍ଷମା ଦେବ ନାହିଁ । ଏଥିପାଇଁ ସମସ୍ତ ରାଜ୍ୟବାସୀ ବିସ୍ମିତ, ସମସ୍ତଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ନଇଁ ଯାଉଛି ବୋଲି ପ୍ରସନ୍ନ କହିଛନ୍ତି ।

ସେପଟେ,ତାରାଙ୍କୁ ନିଲମ୍ବନ ନେଇ ବଢୁଛି ବିବାଦ ।  ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିଥିଲା କଂଗ୍ରେସ ।  ତାରାଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି । ନ୍ୟାୟ ପାଇଁ ଗାନ୍ଧି ମୂର୍ତ୍ତି ତଳେ ବିଧାୟକମାନେ ଧାରଣାରେ ବସିଥିଲେ ।  ସେପଟେ ଘଟଣାକୁ ନେଇ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି, ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା । 

ଗୃହରେ ଯାହା ଘଟିଲା ଏହା ହେଉଛି ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା। ପବିତ୍ର ଗୃହରେ ମାଆ ମାଉସୀଙ୍କୁ ନେଇ ନେଇ ଗାଳି କରିବା  ହେଉଛି ବିଜେପିର ଆଚାର ଉଚ୍ଚାରଣ । ଅନେକ ସମୟରେ ସେ ଗୃହରେ ଅନେକ ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ ବାଣ ଭଳିଆ ଭେଦିଥିଲା ବୋଲି କହିଛନ୍ତି ତାରା । ଜୟ ନାରାୟଣ ମିଶ୍ରଙ୍କୁ ମୁଁ ଉଚିତ୍ ଜବାବ ଦେଇ ପାରିଥାଆନ୍ତି କିନ୍ତୁ ଗଣତନ୍ତ୍ର ମନ୍ଦିରରେ କଂଗ୍ରେସ ଭୁଲି ନାହିଁ ଶାଳୀନତା  ।

ତେବେ ଆଜି ଏ ସମ୍ପର୍କରେ କଂଗ୍ରେସ ଭବନରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସେପଟେ ଏହି ଘଟଣା ପରେ କଂଗ୍ରେସର ବରିଷ୍ଠ ନେତା  ସୁରେଶ ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟାରେ କହିଛନ୍ତି, ଏହା ବିଧାୟକଙ୍କ ପ୍ରତି ଘୋର ଅନ୍ୟାୟ । ଆମେ ଏହାକୁ ନିନ୍ଦା କରୁଛୁ । ମୋ ସାଙ୍ଗରେ ଏଭଳି ଘଟଣା ଘଟିଥିଲେ ମୁଁ ଜୟ ନାରାୟଣ ମିଶ୍ରଙ୍କ ଆଗ ଦାନ୍ତ ଭାଙ୍ଗି ପକେଟରେ ପୁରେଇ ଦେଇଥାନ୍ତି ।  

ଏଥିସହ ଆହୁରି କହିଛନ୍ତି, ମାଡ ମାରିଲେ ଜୟ ନାରାୟଣ ମିଶ୍ର କିନ୍ତୁ ସସ୍ପେଣ୍ତ  ହେଲେ ତାରା ବାହିନୀପତି । ଏହା କି ପ୍ରକାର ନ୍ୟାୟ । ବାଚସ୍ପତିଙ୍କ ନିଷ୍ପତ୍ତିକୁ ଆମେ ନିନ୍ଦା କରୁଛୁ  । ଏହାର ଜବାବ ଦେବ କଂଗ୍ରେସ ।  ଜୟ ନାରାୟଣ ଯୁଆଡେ ଯିବେ  ତାଙ୍କୁ ବିରୋଧ କରାଯିବ ।   ତମର ଯଦି ମନ୍ତ୍ରୀ ହେବାର ଅଛି ତେବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କର। ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କାହିଁକି କରୁଛ  ।  ସରକାରୀ ପାୱାର ବଳରେ ବିଧାୟକ ଏଭଳି କାଣ୍ଡ କରୁଛନ୍ତି  । ବିଜେପିର ପତନ ଆସିଗଲାଣି  । ଜନତା ଦେଖିବେ ଅଳ୍ପ ଦିନ ଭିତରେ ସରକାରରୁ  ବିଦାୟ ନେବ ବିଜେପି  ।