କନକ ବ୍ୟୁରୋ: ପ୍ରତି ମୁହୂର୍ତ୍ତରେ ସାମ୍ବାଦିକମାନେ ସରକାରଙ୍କର ଆକ୍ରୋଶର ଶିକାର ହେଉଛନ୍ତି । ସେଇଥି ଲାଗି ନିଜର ଅଧିକାର ପାଇଁ ଉଦୁଉଦିଆ ଖରାରେ ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ସାମ୍ବାଦିକ । ଏଇଠି ପ୍ରଶ୍ନ, ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ହେଉଛି ଗଣମାଧ୍ୟମ । ସରକାର ହୁଅନ୍ତୁ କି ବିରୋଧୀ…ଜନତା ହୁଅନ୍ତୁ କି ଅଫିସର୍‌ ସମସ୍ତଙ୍କର କଥାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରୁଛନ୍ତି ସାମ୍ବାଦିକ । ହେଲେ ସେମାନଙ୍କୁ ସରକାରୀସ୍ତରରେ ଯେଉଁପରି ଭାବରେ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି ତାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏପଟେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ସାମ୍ବାଦିକଙ୍କ କଣ୍ଠରୋଧ ଗ୍ରହଣ ଯୋଗ୍ୟ ନୁହେଁ ।

Advertisment

ସରକାରଙ୍କ ଆକ୍ରୋଶରେ ସାମ୍ବାଦିକ
ସେବେ ନବୀନ ସରକାର ଯାହା କରୁଥିଲା
ଏବେ ମୋହନ ସରକାର ସେଇୟା କଲା
ବିଜେପି ଦେଇଥିଲା କି ମିଛ ପ୍ରତିଶ୍ରୁତି 
ସାମ୍ବାଦିକଙ୍କୁ ସମ୍ମାନ ମିଳିବ କହିଥିଲା
ଆଜି ମୋବାଇଲ ଛଡ଼ାଇ ନେଲା

ବିଜେଡି ସରକାର ବେଳେ ସାମ୍ବାଦିକମାନଙ୍କୁ ଏବଂ ଗଣମାଧ୍ୟମର ସଂସ୍ଥାକୁ କେମିତି ହଇରାଣ କରାଯାଇଥିଲା ତାହାର କଳା ଇତିହାସ ଆପଣମାନେ ସମସ୍ତେ ଜାଣନ୍ତି । ସ୍ଥିତି ଏମିତି ହୋଇଥିଲା କରୋନାକୁ ଆଳ କରି ଲୋକସେବା ଭବନକୁ ବର୍ଷବର୍ଷ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ଉପରେ ବ୍ୟାନ ଲଗାଯାଇଥିଲା । ଖାଲି ଲୋକସେବା ଭବନ କାହିଁକି ବିଧାନସଭା, ବିଭିନ୍ନ ସରକାରୀ ଦପ୍ତରରେ ବି ସମଦଶା ଦେଖିବାକୁ ମିଳିଥିଲା । ଦଉଡ଼ି ବାନ୍ଧି ସାମ୍ବାଦିକଙ୍କ ରାସ୍ତା ବନ୍ଦ କରାଯାଇଥିଲା । ନବୀନ ସରକାରରେ ସାମ୍ବାଦିକ ଏନେଇ ଅନେକ ପ୍ରତିବାଦ କରିଥିଲେ । ହେଲେ ନବୀନ ସରକାର ବଧୀର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ନିର୍ବାଚନ ସମୟରେ ବିଜେପି କହିଥିଲା ଆମ ସରକାର ଆସିଲେ ଗଣମାଧ୍ୟମର କଣ୍ଠରୋଧ କରାଯିବନି । ହେଲେ ବୁଧବାର ବିଧାନସଭାରେ ଯେଉଁପରି ଭାବରେ ସାମ୍ବାଦିକଙ୍କ ମୋବାଇଲ ବ୍ୟାନ କରାଗଲା ପ୍ରେସ୍‌ ଗ୍ୟାଲେରୀକୁ ସେନେଇ ଅସନ୍ତୋଷ ବଢିବାରେ ଲାଗିଛି । 

ମୋଦୀ କହୁଛନ୍ତି ଡିଜିଟାଲ ଭାରତର କଥା
ମୋହନ ସରକାର
ସାମ୍ବାଦିକଙ୍କ ଫୋନ୍‌ ବ୍ୟାନ କଲେ କେମିତି ? 

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଡିଜିଟାଲ ଭାରତର କଥା । ହେଲେ ସେହି ସମୟରେ ବିଧାନସଭାର ପ୍ରେସ୍‌ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ କେମିତି ମୋବାଇଲ୍‌ ବ୍ୟାନ କରଗଲା । ଏନେଇ ପ୍ରଶ୍ନ ଉଠିଲାଣି । ସେପଟେ ମଙ୍ଗଳବାର ଶାସକ-ବିରୋଧୀ ଧସ୍ତାଧସ୍ତି ବେଳେ ବିରୋଧୀ ଅଭିଯୋଗ କରିଥିଲେ କି ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ଅଶ୍ଳୀଳ ଭାଷା କହିଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ବୋଧହୁଏ ସେଇଥି ଲାଗି ବୁଧବାର ମୋହନ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି । ଅବଶ୍ୟ ଏମିତି  କାହିଁକି ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ସରକାରଙ୍କ ପକ୍ଷରୁ ଦିଆଯାଇନି କିନ୍ତୁ ସାମ୍ବାଦିକ ଯେ ଉଭୟ ବିଜେଡି ଓ ବିଜେପି ସରକାର ସମୟରେ ଆକ୍ରୋଶରେ ଶିକାର ହେଉଛନ୍ତି ଏଥିରେ କୌଣସି ଦ୍ବିମତ ନାହିଁ । ଅବଶ୍ୟ ପରେ ପରେ ମନ୍ତ୍ରୀ ଆସି ସାମ୍ବାଦିକଙ୍କ ସହ ଆଲୋଚନା କରିବା ପରେ ସାମ୍ବାଦିକ ମାନିଥିଲେ । ହେଲେ ସାମ୍ବାଦିକଙ୍କ ପ୍ରତି ଏମିତି ବ୍ୟବହାରକୁ ନାପସନ୍ଦ କରାଯାଇଛି ।