କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଦ୍ବିତୀୟ କିସ୍ତି ଟଙ୍କା ବାଣ୍ଟିବାବେଳେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, ପୂର୍ବ ସରକାରରେ କେବଳ ସ୍ଲୋଗାନ୍‌ ଚାଲିଥିଲା । ୨୪ ବର୍ଷରେ ନବୀନ ସରକାର କେବଳ ସ୍ଲୋଗାନ୍‌ରେ ସୀମିତ ଥିଲେ। ୯ ମାସରେ ଆମ ସରକାର କୋଟିଏ ମହିଳାଙ୍କ ପାଖରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଖାଲି ଏତିକି ନୁହେଁ ବରଂ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ଦ୍ବିତୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ନିନ୍ଦୁକମାନେ ଆମ ସଫଳତାକୁ ହଜମ କରି ପାରୁ ନାହାଁନ୍ତି । ବିରୋଧୀଙ୍କୁ ଟିକେ ହଜମ ଗୁଲି ଦେବା ଦରକାର। 

Advertisment

ସେପଟେ ବିଜେପି ସରକାରକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ବର ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ନବୀନ ପଟ୍ଟନାୟକ କହିଛନ୍ତି, ମାଆମାନେ ପରିବାରର ଶକ୍ତି, ସମାଜର ଶକ୍ତି । ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ ଅନେକ ପଦକ୍ଷେପ ନେଇଥିଲେ ବିଜୁ ପଟ୍ଟନାୟକ । ବିଜୁ ପଟ୍ଟନାୟକଙ୍କୁ ଡବଲ ଇଞ୍ଜିନ ସରକାର ଅପମାନ କରିଥିବା କହିଛନ୍ତି ନବୀନ ପଟ୍ଟନାୟକ। ଏହାସହ ମିଶନ ଶକ୍ତି କାର୍ଯ୍ୟକ୍ରମ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିଛି । ପ୍ରଚାର ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବିଜେପି ସରକାର । ତେବେ ଦିନକୁ ୨୭ ଟଙ୍କା ଦେଇ ବାଃ ବାଃ ନେଉଥିବା ଅଭିଯୋଗ କରିଛନ୍ତି ବିଜେଡି ସୁପ୍ରିମୋ । ଏହି ଯୋଜନାର କିଛି ଉପକାର ମହିଳାମାନେ ପାଇବେ ନାହିଁ ଓ ମହିଳାମାନଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତି କରୁଥିବା କହିଛନ୍ତି ନବୀନ। 

ମୋଟ୍‌ ଉପରେ, ମହିଳା ଦିବସରେ ମହିଳାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଭେଟି ମିଳିଛି । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା । ବ୍ରହ୍ମପୁର ଆମ୍ବପୁଆ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ ହଜାର ମହିଳା ଯୋଗଦେଇଛନ୍ତି । ଏସବୁ ଭିତରେ କୋଟିଏ ଟପିଛି ସୁଭଦ୍ରା ହିତାଧିକାରୀ ସଂଖ୍ୟା । ଏହା ପୂର୍ବରୁ ୬ ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଟଙ୍କା ପାଇଥିଲେ ରାଜ୍ୟର ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ । ସେପଟେ ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ହୋଇଥିବା ବେଳେ ସେବେଠାରୁ ଚାଲିବ ସର୍ଭେ । ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଡୋର ଟୁ ଡୋର ସର୍ଭେ କରିବେ ମିଶନ ଶକ୍ତି ମହିଳା।