କନକ ବ୍ୟୁରୋ: ପୁଣି ରାଜା ଚକ୍ରଙ୍କ ଘରେ ଇଓଡବ୍ଲୁ । ପରିବାର ଲୋକଙ୍କୁ ପଚରା ଉଚରା ସହ ଚାଲିଛି ତଦନ୍ତ । ଇଓଡବ୍ଲୁର ୩ ଜଣ ଅଧିକାରୀଙ୍କ ସହ କେନ୍ଦୁଝର ଟାଉନ ଥାନା କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିବା ନେଇ ସୂଚନା ମିଳିଛି । କେନ୍ଦୁଝରର ଯୁବ ବିଜେଡି ନେତା ରାଜା ଚକ୍ରଙ୍କ ଦୁଇ ସହଯୋଗୀଙ୍କୁ ପୂର୍ବରୁ ଜେରା ହୋଇଛି । ବହୁଚର୍ଚ୍ଚିତ ଶୁଆକାଟି ଲୋଡିଙ୍ଗ କୋ-ଅପରେଟିଭ୍ ସୋସାଇଟି ଦୁର୍ନୀତି ମାମଲାର ଦ୍ଵିତୀୟ ମୁଖ୍ୟ କାର୍ପଟଦାର ସୁଶାନ୍ତ କୁମାର ସାମଲଙ୍କୁ ଜେରା କରିଥିଲା ଇଓଡବ୍ଲୁ । ସୁଶାନ୍ତଙ୍କୁ ଜେରା କରି ତା'ର କାରବାର ବୁଝୁଥିବା ପ୍ରଭାତ ପଟ୍ଟନାୟକଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ସୂଚନା ଅନୁସାରେ, ୨ ଜଣଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିଥିଲା ଇଓଡବ୍ଲୁ । ଯେଉଁଥିରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଥିଲା ।  

Advertisment

ଏହା ପୂର୍ବରୁ ୨୦୧୦-୧୧ ବେଳେ ଓଡ଼ିଶା ମାଇନିଂ କର୍ପୋରେସନରୁ ଖଣିଜ ପଦାର୍ଥ ଚୋରି ମାମଲାରେ ବନ୍ଧା ହୋଇଥିଲେ ସୁଶାନ୍ତ ସାମଲ । କିଛି ଦିନ ତଳେ ରାଜା ଚକ୍ରକୁ ଦୀର୍ଘ ୧୧ ଘଣ୍ଟା ଧରି ମାରାଥନ୍ ଜେରା କରିଥିଲା ଇଓଡବ୍ଲୁ । ଏହା ପରେ ରାଜାର ବିଭିନ୍ନ ଠିକଣାରେ ରେଡ୍ ହୋଇଥିଲା । ରାଜା ଚକ୍ରଙ୍କ ନିୟନ୍ତ୍ରଣକୁ ଲୋଡିଂ ଏଜେନ୍ସି ଆସିବା ପରେ ଏଜେନ୍ସିର ସ୍ଥାୟୀ କାର୍ଯ୍ୟାଳୟରୁ ଏହାକୁ ସ୍ଥାନାନ୍ତର କରି ସୁଶାନ୍ତ ସାମଲଙ୍କ ଘରକୁ ହାଇଜାକ୍ କରାଯାଇଥିଲା । ସେହିଠାରୁ ରାଜା ଚକ୍ରଙ୍କ ଇଙ୍ଗିତରେ ସବୁ ଅର୍ଥ କାରବାର ହେଉଥିଲା । ଏହି ସବୁ ବେଆଇନ କାର୍ଯ୍ୟରେ ସୁଶାନ୍ତ ସାମଲ ମଧ୍ୟ ଅନ୍ୟତମ ମୁଖ୍ୟ କାର୍ପଟଦାର ଥିଲେ । ସୁଶାନ୍ତଙ୍କୁ ଜେରା ପରେ ବହୁ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ଇଓଡବ୍ଲ୍ୟୁ ଘାଣ୍ଟିବା ପରେ ସାମନାକୁ ଆସିଥିଲା ରାଜା ଚକ୍ର କେମିତି ଜାଲ କାଗଜପତ୍ର ଜରିଆରେ କୋଟିକୋଟି ଟଙ୍କା ଆତ୍ମସାତ କରିଥିଲେ । ପ୍ରଥମ ଦିନରେ କେଳେଙ୍କାରୀର ପ୍ରମାଣ ମିଳିବା ପରେ ଦ୍ବିତୀୟ ଦିନରେ ରାଜାଙ୍କ ୧୦ଟି ଠିକଣାରେ ଚଢ଼ାଉ କରିଥିଲା ଇଓଡବ୍ଲ୍ୟୁ ଓ ଏସଟିଏଫ୍‌ । କେନ୍ଦୁଝରରେ ପରିବାର ଲୋକଙ୍କ ପଚରାଉଚୁରା କରିଥିଲେ । ସେଠାରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ପରିବହନରେ ବ୍ୟବହୃତ ୧୭ଟି ବଡ ଗାଡ଼ି, ଫର୍ଚ୍ୟୁନର କାର, ହାର୍ଲେ ଡାଭିଡସନ ଗାଡ଼ି ଜବତ ହୋଥିଲା । ତେବେ ଦୁର୍ନୀତିର ଏହି ଚେର ଯାଜପୁର ଦେଇ ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଛି ବୋଲି ଅଭିଯୋଗ କରିଥିଲେ ଖଣି କ୍ଷତିଗ୍ରସ୍ତ । 

ସବୁଠୁ ବଡ଼କଥା ହେଉଛି, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ସଦସ୍ୟ ନଥାଇ ମଧ୍ୟ ରାଜାଙ୍କ ଆକାଉଣ୍ଟକୁ ଶତାଧିକ ଥର ଟଙ୍କା ଯାଇଥିବା ଜଣାପଡିଛି । ରାଜାଙ୍କ ଆକାଉଣ୍ଟରୁ ବି ୧୦ରୁ ଅଧିକ ହେଭିୱେଟଙ୍କୁ କୋଟିକୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି। କିଏ କାହିଁକି ଓ କେମିତି ରାଜାଙ୍କଠାରୁ କୋଟି କୋଟି ଟଙ୍କା ନେଇଥିଲେ, ସେନେଇ ଖୋଳତାଡ଼ କରିଥିଲା ସ୍ବତନ୍ତ୍ର ଟିମ୍‌ ।