ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ରକ୍ତର ଚାଉଳ ଚୋବାଉଛି । ନିରୀହଙ୍କ ଜୀବନ ନେଇଥିବା ଆତଙ୍କୀଙ୍କୁ ଇଟାର ଜବାବ୍ ପଥରରେ ଦେବା ପାଇଁ ସରକାର ଘନ ଘନ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛନ୍ତି । ଆତଙ୍କୀଙ୍କ ଘରକୁ ଚିହ୍ନଟ କରି ମାଟିରେ ମିଶାଉଛି ଭାରତୀୟ ସେନା । ପ୍ରତିଶୋଧର ବହ୍ନି ଯେମିତି ଭାରତ ଛାତିରେ ଜଳି ଉଠିଛି । ଆଉ ଏହାର ଧାସରେ ଆତଙ୍କବାଦୀ ଏବଂ ଶତ୍ରୁ ଦେଶ ପାକିସ୍ତାନକୁ ମୁହଁଭଙ୍ଗା ଜବାବ୍ ଦେବା ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି । ଜଳ, ସ୍ଥଳ ଏବଂ ବାୟୁସେନାର ବୀରମାନେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଯେମିତି ସଂକଳ୍ପ ନେଇ ସାରିଛନ୍ତି । ତେବେ ଏହାରି ଭିତରେ ପହଲଗାମ୍ ଆତଙ୍କୀ ଆକ୍ରମଣ ବିରୋଧରେ ଲଣ୍ଡନ ସ୍ଥିତ ପାକିସ୍ତାନ ହାଇକମିସନ୍ ବାହାରେ ସେଠାରେ ରହୁଥିବା ଶହ ଶହ ସଂଖ୍ୟାରେ ଭାରତୀୟ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ ପ୍ରଦର୍ଶନ କରୁଥିଲେ । ଆଉ ଏହି ସମୟରେ ପାକିସ୍ତାନର ଜଣେ ବରିଷ୍ଠ ସେନା ଅଧିକାରୀ ପ୍ରଦର୍ଶନକାରୀଙ୍କୁ ଦେଖି ଗଳା କାଟିବାର ଇସାରା ଦେଇ ନିଆଁରେ ଘିଅ ଢାଳିବା ପରି କାମ କରିଛନ୍ତି । ପାକିସ୍ତାନୀ ଅଧିକାରୀ ଗୋଟିଏ ହାତରେ ଭାରତୀୟ ବାୟୁସେନାର ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନଙ୍କ ପୋଷ୍ଟର ଧରିଥିବା ବେଳେ ଆଉ ଗୋଟିଏ ହାତରେ ଚା’ କପ୍ ଧରି ପ୍ରଦର୍ଶନ କରୁଥିବା ଭାରତୀୟଙ୍କୁ ଦେଖି ମଜା ଉଡ଼ାଇଥିଲେ ।    

Advertisment
pak officer
pak officer Photograph: (google)

ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେଉଛି । ଗଳା କାଟିବାର ଇସାରା କରିଥିବା ପାକିସ୍ତାନୀ ଅଧିକାରୀଙ୍କୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଉଛି । ଭାଇରାଲ୍ ଭିଡିଓରେ ପ୍ରତିକ୍ରିୟା ଦେଇ ସୋସିଆଲ୍ ମିଡିଆ ୟୁଜର୍ସ କହୁଛନ୍ତି ଯେ ପାକିସ୍ତାନୀ ଅଧିକାରୀ ଏବଂ ନେତାଙ୍କୁ ଶିଷ୍ଟାଚାର କେତେ ଜଣା ତାହା ଏ ଭିଡିଓରୁ ହିଁ ସ୍ପଷ୍ଟ ହୋଇଯାଉଛି । ଏମାନେ ପାଠ ପଢି ଅଧିକାରୀ ହୋଇଛନ୍ତି ନା’ କାହାକୁ ହତ୍ୟା ଧମକ ଦେଇ ଚେୟାର୍ ହାତେଇଛନ୍ତି । ଆପଣଙ୍କୁ କହିରଖୁଛୁ କି ୨୦୧୯ ଫେବ୍ରୁଆରି ୧୪ ରେ ପୁଲୱାମା ଆକ୍ରମଣ ପରେ ଭାରତ ଫେବ୍ରୁଆରି ୨୬ରେ ପାକିସ୍ତାନର ବାଲାକୋଟରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା । ଭାରତୀୟ ବାୟୁସେନାର ବୀରମାନେ ଆତଙ୍କୀ ସମୂହ ଜୈସ୍-ଏ-ମହମ୍ମଦର ଟ୍ରେନିଙ୍ଗ୍ କ୍ୟାମ୍ପ୍ ଉପରେ ବୋମା ପକାଇ ସବୁକିଛି ଛାରଖାର୍ କରି ଦେଇଥିଲେ । ଏହାର ଠିକ୍ ପରଦିନ ପାକିସ୍ତାନୀ ବାୟୁସେନା ସୀମାରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ବାୟୁସେନାର ବାହାଦୂର ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନ ମିଗ୍-୨୧ ବାଇସନ୍ ଫାଇଟର୍ ଜେଟରେ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନକୁ ମାରି ଗଡ଼ାଇ ଥିଲେ । ଏହି ଲଢ଼େଇରେ ଅଭିନନ୍ଦନ ଏଲଓସି ପାର୍ କରି ପାକିସ୍ତାନ ସୀମା ଭିତରକୁ ଚାଲିଗଲେ ଏବଂ ସେଠାରେ ତାଙ୍କ ବିମାନ କ୍ରାସ୍ ହୋଇଗଲା । ପାକିସ୍ତାନୀ ସେନା ପାଇଲଟକୁ କାବୁ କରିନେଲା କିନ୍ତୁ ଭାରତର ଡ଼ରରେ ୨ ଦିନ ପରେ ବାଘା ବର୍ଡରରେ ଅଭିନନ୍ଦନକୁ ଛାଡ଼ିଥିଲା ପାକିସ୍ତାନ ।