କନକ ବ୍ୟୁରୋ : ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମୁଦ୍ର କୂଳରେ ଏପରି କଳାକୃତି ତିଆରି କରନ୍ତି ଯେ ସେଗୁଡ଼ିକୁ ଦେଖିଲେ ମନେ ହୁଏ ସତେ ଯେପରି ବାଲି ଜୀବ ଦାନ ପାଇଛି । ତାଙ୍କର ଖ୍ୟାତି କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ପହଞ୍ଚିସାରିଛି । ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନ୍ରେ 'ଦ ଫ୍ରେଡ୍ ଡାରିଙ୍ଗଟନ୍ ସ୍ୟାଣ୍ଡ ମାଷ୍ଟର ପୁରସ୍କାର' ପାଇଛନ୍ତି । ୱେମାଉଥରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ତାଙ୍କର ଚମତ୍କାର କଳା କୃତି ପାଇଁ ଏହି ସମ୍ମାନ ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ସେ ଭଗବାନ ଗଣେଶଙ୍କ ୧୦ ଫୁଟ ଉଚ୍ଚତାର ବାଲୁକା ମୂର୍ତ୍ତି ତିଆରି କରିଥିଲେ । ଯେଉଁଥିରେ କି ସେ ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇଥିଲେ । ଯାହାକି ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଏଥିରେ ଅନେକ ଅନ୍ତର୍ଜାତୀୟ ବାଲୁକା କଳାକାର ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମଟି ସ୍ୱତନ୍ତ୍ର ଭାବରେ ବ୍ରିଟେନ୍ର ପ୍ରସିଦ୍ଧ ବାଲୁକା ଶିଳ୍ପୀ ଫ୍ରେଡ୍ ଡାରିଙ୍ଗଟନ୍ଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଆୟୋଜିତ ହୋଇଥିଲା ।
ପୁରସ୍କାର ପ୍ରଦାନ ଉତ୍ସବରେ ୱେମାଉଥ୍ ମେୟର ଜନ୍ ଓରେଲ୍ ସୁଦର୍ଶନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଏବଂ ପଦକ ପ୍ରଦାନ କରିଥିଲେ । ସ୍ୟାଣ୍ଡ ୱାର୍ଲ୍ଡର ନିର୍ଦ୍ଦେଶକ ମାର୍କ ଆଣ୍ଡରସନ୍ ଏବଂ ସହ-ପ୍ରତିଷ୍ଠାତା ଡେଭିଡ୍ ହିକ୍ସ ମଧ୍ୟ ଉପସ୍ଥିତ ଥିଲେ । ଭାରତୀୟ ହାଇ କମିଶନର ନୋରେମ୍ ଜେ. ସିଂହ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ପୁରସ୍କାର ଭାରତୀୟ ବାଲୁକା ଶିଳ୍ପୀମାନଙ୍କ ପାଇଁ ଐତିହାସିକ ମୁହୂର୍ତ୍ତ ଥିଲା । କାରଣ ଏହା ପ୍ରଥମ ଥର ହୋଇଛି,ଯେ ଜଣେ ଭାରତୀୟ ବାଲୁକା ଶିଳ୍ପୀଙ୍କୁ ଏହି ସମ୍ମାନ ଦିଆଗଲା । ସୁଦର୍ଶନ ପଟ୍ଟନାୟକ ଏପର୍ଯ୍ୟନ୍ତ ୬୫ରୁ ଅଧିକ ଅନ୍ତର୍ଜାତୀୟ ବାଲୁକା ମୂର୍ତ୍ତି ଚାମ୍ପିୟନସିପ୍ ଏବଂ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହା ସହ ବିଶ୍ୱବ୍ୟାପୀ ଅନେକ ପୁରସ୍କାର ଜିତିଛନ୍ତି । ତାଙ୍କର କଳା କାରିଗରୀ ଏବଂ ବାଲିକୁ ଜୀବନ୍ତ କରିବାର କ୍ଷମତା ହିଁ ତାଙ୍କ ପରିଚୟ ।