କନକ ବ୍ୟୁରୋ : ମାତୃଭାଷା..ଓଡ଼ିଆ..ଓଡ଼ିଶା...ଏହା କେବଳ ଗୋଟିଏ ଶବ୍ଦ ନୁହେଁ,ପ୍ରତିଟି ଓଡ଼ିଆଙ୍କ ଭାବାବେଗ । ଓଡ଼ିଆ ଖାଲି କେବଳ ଭାଷା ନୁହେଁ,ପ୍ରତିଟି ଓଡ଼ିଆଙ୍କ ପାଇଁ ସମ୍ପର୍କ ସ୍ଥାପନାର ମୂଳଦୁଆ । ପୁରପଲ୍ଲୀରେ ରହୁଥିବା ଲୋକମାନଙ୍କଠୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତେ ସହଜରେ ଗୋଟିଏ ସୂତାଖିଅରେ ବାନ୍ଧି ହୋଇଯାଆନ୍ତି ଏହି ମଧୁର ଭାଷା ସହ । ସବୁଠୁ ମଧୁର ଆମ ଭାଷା ଓ ଆମ ସାହିତ୍ୟ ।
ଆଜି ଉତ୍କଳ ଦିବସ...ଚଳିତ ବର୍ଷ ୮୯ତମ ଉତ୍କଳ ଦିବସ ପାଳୁଛି ଓଡ଼ିଶା । ଆଜିର ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବାବେଳେ ଗର୍ବର ସହ ଉତ୍କଳ ଦିବସ ପାଳନ କରନ୍ତି ପ୍ରତିଟି ଓଡିଆ ।
ଯେତେବେଳେ ଓଡ଼ିଶା ଭାଷାଭିତ୍ତିକ ବିପର୍ଯ୍ୟୟ ଦେଇ ଗତି କରୁଥିଲା,ସେତେବେଳେ କେବଳ ଓଡ଼ିଶାର କବି ଓ ଲେଖକଙ୍କର ସାହିତ୍ୟ ସାଧନା ଅବ୍ୟାହତ ରହିଥିବାରୁ ଓଡ଼ିଆ ଭାଷା-ସଂସ୍କୃତି ଏକ ବିଶାଳ ଭୂଖଣ୍ଡରେ ତିଷ୍ଠି ରହିଥିଲା । କିନ୍ତୁ ଊନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଶିକ୍ଷା ଓ ଛାପାଖାନାର ପ୍ରସାର ଫଳରେ ଓଡ଼ିଆ ଭାଷା ଓ ସଂସ୍କୃତି ବିପନ୍ନ ହୋଇପଡ଼ିଲା । ଦୁର୍ଦ୍ଦଶାଗ୍ରସ୍ତ ଓଡ଼ିଆ ଜାତି ପୂର୍ବେ ବହୁ ବାଧାବିଘ୍ନ, ଘଟଣା ଦୁର୍ଘଟଣା ଦେଇ ଗତି କରିଥିଲା । ଓଡ଼ିଶାର ସ୍କୁଲମାନଙ୍କରୁ ଓଡ଼ିଆ ଭାଷା ଉଠାଇଦେଇ ବଙ୍ଗଳା ଭାଷାର ପ୍ରବର୍ତ୍ତନ ଦ୍ବାରା ଓଡ଼ିଶାକୁ ଧୀରେ ଧୀରେ ବଙ୍ଗ ପ୍ରଦେଶରେ ସାମିଲ କରିବାର ବିରାଟ ଚକ୍ରାନ୍ତ ହୋଇଥିଲା । ସେହିପରି ତେଲୁଗୁମାନେ ଦକ୍ଷିଣ ଓଡ଼ିଶାରେ ଆଧିପତ୍ୟ ବିସ୍ତାର ପାଇଁ ମସୁଧା କରିଥିଲେ । ୧୮୯୫ରେ ସମ୍ବଲପୁରରେ ହିନ୍ଦୀକୁ ସରକାରୀ କାର୍ଯ୍ୟ ଓ ଶିକ୍ଷାର ମାଧ୍ୟମ କରାଯାଇଥିଲା । ଏହି ପରିସ୍ଥିତିରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଆରମ୍ଭ ହୋଇଥିଲା ଆନ୍ଦୋଳନ ।
ଓଡିଆ ଭାଷା ସାହିତ୍ୟକୁ ବଞ୍ଚାଇବା ପାଇଁ ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ବ ତଥା ବହୁ ରାଜା ଓ ଜମିଦାରଙ୍କ ସହଯୋଗରେ ଭାଷା ଆନ୍ଦୋଳନ ତୀବ୍ରତର ହୋଇଥିଲା । ଶେଷରେ ଜନ୍ମ ନେଇଥିଲା ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଓଡ଼ିଶା । ଏହା ଆଧୁନିକ ଓଡ଼ିଶା ଇତିହାସର ଅନ୍ୟତମ ଉଲ୍ଲେଖନୀୟ ଘଟଣା ।
ସେଦିନ ଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖ...ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା । ପୂର୍ବରୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପହଞ୍ଚିଥିବା ସୁବିସ୍ତୃତ ଓଡ଼ିଶା ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ଏହି ଦିନରେ ଏକତ୍ର ହୋଇଥିଲା । ସେବେଠାରୁ ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ‘ଉତ୍କଳ ଦିବସ’ ଭାବେ ପାଳନ କରାଯାଏ ।
ସ୍ୱତନ୍ତ୍ର ଭାଷା ସାହିତ୍ୟ ଓଡ଼ିଶା ଗଠନରେ ଓଡ଼ିଶାର କବି ଓ ଲେଖକମାନେ ସାଜିଥିଲେ କର୍ଣ୍ଣଧାର । ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପଣ୍ତିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟ ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ । ଯୁଗେ ଯଗେ ଓଡିଶା ସହ ଓଡିଆ ଭାଷା ସାହିତ୍ୟ ମଧ୍ୟ ସ୍ୱତନ୍ତ୍ର ହୋଇ ରହିବ ।