କନକ ବ୍ୟୁରୋ: କର୍ଣ୍ଣାଟକରେ ବଦଳିବେ କି ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟାଙ୍କ ପରେ ଶିବକୁମାରଙ୍କ କାନ୍ଧରେ ରହିବ କି ସିଏମ ଚୌକି । କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ହେଲେ କଂଗ୍ରେସର ନେତାଙ୍କ ଦାବି ପରେ ଏହା ଅସମ୍ଭବ ନୁହେଁ ବୋଲି କୁହାଯାଉଛି । ନେତୃତ୍ୱ ପରିବର୍ତ୍ତନର କଳ୍ପନାଜଳ୍ପନା ମଧ୍ୟରେ, କଂଗ୍ରେସର ୨ ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମର୍ଥନ ଦେଇଛନ୍ତି । ଖାଲି ସମର୍ଥନ ଦେଇଛନ୍ତି ତାହା ନୁହେଁ ବରଂ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଜିଦ୍ ବି କରିଥିଲେ ।
କର୍ଣ୍ଣାଟକ କଂଗ୍ରେସରେ କେଁ
ଶିବକୁମାର ହେବେ କି ସିଏମ ?
ସୂଚନା ଅନୁସାରେ, ଉଡୁପିରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ବୀରପ୍ପା ମୋଇଲି କହିଥିଲେ, “ମୁଁ ହିଁ ପ୍ରଥମ ଥର ପାଇଁ ଡିକେ ଶିବକୁମାରଙ୍କୁ ବିଧାୟକ ଟିକେଟ୍ ଦେଇଥିଲି । ଆଜି ସେ କର୍ଣ୍ଣାଟକରେ ଜଣେ ସଫଳ ନେତା ହୋଇପାରିଛନ୍ତି । ଆମେ ସମସ୍ତେ ଚାହୁଁଛୁ ସେ ଶୀଘ୍ର ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଶିବକୁମାରଙ୍କ ଦୃଢ଼ ନେତୃତ୍ୱ ସହ ସେ ଦଳକୁ ମଜବୁତ କରିବା ଉପରେ ପ୍ରାଥମିକତା ଦେଇଥିଲେ। ଯଦିଓ କିଛି ଲୋକ ବ୍ୟକ୍ତିଗତ କାରଣରୁ ତାଙ୍କୁ ସମାଲୋଚନା କରନ୍ତି, ଏହା କିଛି ଫରକ ପଡିବ ନାହିଁ।" ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି, “ମୁଖ୍ୟମନ୍ତ୍ରୀ ହେବା ଅଧିକାର ଶିବକୁମାରଙ୍କ ପାଖରେ ରହିଛି । ପୂର୍ବରୁ ମଧ୍ୟ ଶିବକୁମାର ସିଏମ ହେବେ ବୋଲି ନିଷ୍ପତ୍ତି ହୋଇଥିଲା । ତେଣୁ ସିଏମ ହେବାରେ ତାଙ୍କୁ କେହି ରୋକିପାରିବେ ନାହିଁ ।
ସେପଟେ, କଂଗ୍ରେସ ବିଧାୟକ ବାସଭରାଜୁ ଶିବଗଙ୍ଗା ମଧ୍ୟ ଦୃଢ଼ତାର ସହିତ କହିଛନ୍ତି, “ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ଏବଂ ଏହା ଡିସେମ୍ବର ୨୦୨୫ରେ ହେବ । ଏହାସହ ଶିବଗଙ୍ଗା କହିଛନ୍ତି, “ଏହାର କୌଣସି ସମୟ ସୀମା ନାହିଁ । ଲେଖି ରଖ... ଯଦି ତୁମେ କହିବ, ମୁଁ ରକ୍ତରେ ଲେଖି ତୁମକୁ ଦେବି। ଶିବକୁମାର ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ହେବେ ଏବଂ ଦାୟିତ୍ୱ ଗ୍ରହଣ କରିବେ।” ଏକ ଭବିଷ୍ୟବାଣୀ କରି ଶିବଗଙ୍ଗା କହିଥିଲେ ଯେ ଶିବକୁମାର ଅତି କମରେ ସାଢ଼େ ସାତ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବେ। ସେ ୨୦୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳର ବିଜୟ ଉପରେ ବିଶ୍ୱାସ ପ୍ରକାଶ କରିଥିଲେ। ଶିବଗଙ୍ଗା ଦାବି କରିଥିଲେ, “ଯଦି ଡିକେ ଶିବକୁମାର ଡିସେମ୍ବରରେ ଦାୟିତ୍ୱ ଗ୍ରହଣ କରନ୍ତି, ତେବେ ସେ ପ୍ରଶାସନ ପରିଚାଳନା କରିବେ, ଯେଉଁଥିରେ ଆଗାମୀ ପାଞ୍ଚ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ମଧ୍ୟ ଅନ୍ତର୍ଭୁକ୍ତ ହେବ। ସେଥିପାଇଁ ସେ ସାଢ଼େ ସାତ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବେ।" ମୋଟ୍ ଉପରେ ଗତ କିଛିଦିନ ତଳେ ଚର୍ଚ୍ଚା ହୋଇଥିଲା ସିଦ୍ଦରମୈୟାଙ୍କ ପରେ ଶିବକୁମାର ହିଁ ମୁଖ୍ୟମନ୍ତ୍ରୀ ହେବେ ।
ସିଦ୍ଦରମୈୟାଙ୍କୁ ନେଇ ବଡ଼ ବୟାନ ଦେଇଥିଲେ ଶିବକୁମାର
କର୍ଣ୍ଣାଟକ ରାଜନୀତିରେ ବଢିଥିଲା ଚର୍ଚ୍ଚା
ଶିବକୁମାର ଓ ସିଦ୍ଦରମୈୟାଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧରେ ବଡ଼ ବୟାନ ରଖିଥିଲେ ଶିବକୁମାର । କହିଥିଲେ, ରାଜ୍ୟ କଂଗ୍ରେସର ସିଦ୍ଦରମୈୟା ଏମିତି ଜଣେ ନେତା ଯାହାଙ୍କ ନାଁରେ କୌଣସି ବିବାଦ ନାହିଁ । ଅର୍ଥାତ୍ ନିର୍ବାବିଦୀୟ ନେତା । ହେଲେ ତାଙ୍କ ନାଁ ନେଇ ଯିଏ ଭୁଲ କରିବ ତାହା ଆଦୌ ଗ୍ରହଣୀୟ ନୁହେଁ । ଗୋଟିଏ ପଟେ କଂଗ୍ରେସର ଗୋଟିଏ ଗୋଷ୍ଠୀ କହୁଛନ୍ତି ସିଦ୍ଦରମୈୟା ହିଁ ମୁଖ୍ୟମନ୍ତ୍ରୀ ରୁହନ୍ତୁ । ଏମିତି ବୟାନ ପରେ ଶିବକୁମାର ଏମିତି ବୟାନ ରଖିଥିଲେ । ଦଳର ବରିଷ୍ଠ ନେତା କହିଥିଲେ, ବର୍ତ୍ତମାନ ସମୟରେ ରାଜ୍ୟ ରାଜନୀତିର ପାଣିପାଗ ଦେଖିବାକୁ ଗଲେ ସିଦ୍ଦରମୈୟା ହିଁ ମୁଖ୍ୟମନ୍ତ୍ରୀ ରୁହନ୍ତୁ । ଆଗାମୀ ଦିନରେ ପୁଣି ଥରେ କଂଗ୍ରେସ କର୍ଣ୍ଣାଟକରେ ସରକାର କରିବାକୁ ହେଲେ ସିଦ୍ଦରମୈୟାଙ୍କ ନେତୃତ୍ବ ନିହାତି ଆବଶ୍ୟକ । ଏପଟେ ଶିବକୁମାର ପ୍ରତିକ୍ରିୟା ରଖି କହିଥିଲେ, ସିଦ୍ଦରମୈୟା ଆମର ନେତା । ପ୍ରତି ନିର୍ବାଚନର ସେ ନେତୃତ୍ବ ନିଅନ୍ତୁ । ଏଥିରେ କୌଣସି ଦ୍ବିମତ ନାହିଁ ।
ଏହାସହ ଶିବକୁମାର କହିଥିଲେ, ଜିଲ୍ଲା ପଂଚାୟତ, ବିଧାନସଭା ଓ ଲୋକସଭାରେ ତାଙ୍କ ନେତୃତ୍ବ ଆବଶ୍ୟକତା ରହିଛି । ହେଲେ ଉଭୟ ନେତାଙ୍କ ମଧ୍ୟରେ ସମ୍ପର୍କ କେମିତି ତାହା ସମସ୍ତେ ଜାଣନ୍ତି । ସିଏମ ଚୌକି ଲାଗି ଉଭୟ ନେତାଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଥିବା ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ବି ହୁଏ । ଏହାରି ଭିତରେ ଶିବକୁମାର ଆହୁରି ମଧ୍ୟ କହିଥିଲେ, କଂଗ୍ରେସ ଦଳ ସିଦ୍ଦରମୈୟାଙ୍କୁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ କରିଛି । ତେଣୁ ତାଙ୍କ ନାଁର କେହି ଦୁରୁପଯୋଗ କରିବାର କୌଣସି ଆବଶ୍ୟକତା ନାହିଁ । ପ୍ରତ୍ୟେକ କର୍ମୀଙ୍କର ସେ ନେତା । ତାଙ୍କ ନାଁରେ ବର୍ତ୍ତମାନ ସୁଦ୍ଧା କୌଣସି ବିବାଦ ଆସିନାହିଁ । ଏବେ ରାଜ୍ୟର କେମିତି ବିକାଶ ହେବ ସେନେଇ ସେ କାମ କରୁଛନ୍ତି । ତେଣୁ ମୋର ଗଣମାଧ୍ୟମକୁ ଅନୁରୋଧ ତାଙ୍କୁ ନେଇ କୌଣସି ମିଥ୍ୟା ଖବର ପ୍ରକାଶିତ ନହେଉ । ଦଳ ଶୃଙ୍ଖଳିତ ଭାବରେ ଚାଲୁଛି । ପ୍ରତ୍ୟେକ କାମ ଉପରେ ଦଳ ନଜର ରଖିଛି । ଆମେ ଏକ ଅଛୁ, ଏକ ରହିବୁ ବୋଲି ଶିବକୁମାର କହିଥିଲେ । ହେଲେ ଶିବକୁମାର ହେବା ନେଇ ଚର୍ଚ୍ଚା ବଢିବା ପରେ କଂଗ୍ରେସରେ ପୁଣି ନେତୃତ୍ବକୁ ନେଇ ପ୍ରଶ୍ନ ଉଠୁଥିବା ଚର୍ଚ୍ଚା ।