କନକ ବ୍ୟୁରୋ: ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଟାର୍ଗେଟ୍ରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । କହିଛନ୍ତି, ପ୍ରିୟଙ୍କାଙ୍କ ଇସାରା ପରେ ସେ ପକେଟ୍ରେ କିଛି ରଖିଥିଲେ । ହେଲେ ରାହୁଲ କଣ ରଖିଥିଲେ ପକେଟ୍ରେ ସେନେଇ ଏବେ ଚର୍ଚ୍ଚା ଚାଲିଛି । କୁହାଯାଉଛି କି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେବେ ଇନକମ୍ ଟ୍ୟାକ୍ସକୁ ନେଇ ବୟାନ ରଖିଥିଲେ ତାହାକୁ ନେଇ ସମ୍ବିତ ପାତ୍ର ଗୃହରେ ଏକ ଘଟଣା କହିଥିଲେ । ଯାହା ରାହୁଲ ଗାନ୍ଧୀଙ୍କ ସହ ଯୋଡ଼ି ହୋଇଛି । ସମ୍ବିତ କହିଥିଲେ, ପ୍ରତିବର୍ଷ ବଜେଟ୍ର ଦିନକ ପୂର୍ବରୁ ବିରୋଧୀ ଦଳ ନେତା କାହାଣୀ ଲେଖି କାଗଜରେ ଆଣନ୍ତି । ଏଥର ମଧ୍ୟ ରାହୁଲ ପକେଟ୍ରୁ କାଗଜ ବାହାର କରୁଥିବା ବେଳେ ପକେଟ୍ରେ କାଗଜ ରଖିବାକୁ ପ୍ରିୟଙ୍କା ଇସାରା ଦେଇଥିଲେ । ପରେ ପରେ ରାହୁଲ ବି କାଗଜକୁ ପକେଟ୍ରେ ରଖିଥିଲେ ।
ପୁଣି ସମ୍ବିତଙ୍କ ଟାର୍ଗେଟ୍ରେ ରାହୁଲ
କହିଲେ ପ୍ରିୟଙ୍କାଙ୍କ ଇସାରାରେ ପକେଟ୍ରେ ରଖିଥିଲେ…
ପୂରା ଘଟଣା କହିଲେ ସମ୍ବିତ
ଗୃହରେ ଏଥର କେନ୍ଦ୍ର ସରକାର ବଜେଟ୍ ବେଳେ ଅନେକ ଘୋଷଣା କରିଥିଲେ । ଖାସ କରି ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା ହେବା ପରେ ସାଧାରଣ ଜନତା ଏହାକୁ ସ୍ବାଗତ ବି କରିଥିଲେ । ହେଲେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ କେମିତି ପ୍ରଶ୍ନବାଣରେ ଘାଇଲା କରିବେ ସେନେଇ ବାଟ ପାଇନଥିଲେ । ହେଲେ ରାହୁଲ ଗାନ୍ଧୀ ପୂର୍ବରୁ କାହାଣୀ ଲେଖିକି ରଖିଥିଲେ । ହେଲେ ଏହି ସମୟରେ ଦେଖିବାକୁ ମିଳିଥିଲା କି କଂଗ୍ରେସର ଅନ୍ୟ ସାଂସଦ ଓ ପ୍ରିୟଙ୍କା ଗାନ୍ଧୀ କାଗଜକୁ ପକେଟ୍ରେ ରଖିବାକୁ କହିଥିଲେ । କାରଣ ରାହୁଲ ଜାଣିଥିଲେ ସେହି କାଗଜରେ ଲେଖାଯାଇଛି ଏଥର ବଜେଟ୍ରେ ମଧ୍ୟବିତ୍ତଙ୍କ ଲାଗି କିଛି ନାହିଁ । ତେଣୁ ରାହୁଲ ଗାନ୍ଧୀ କାଗଜ ପଢିଥିଲେ କଂଗ୍ରେସ ଲାଗି ଅଡୁଆ ବଢିଥାଆନ୍ତା ବୋଲି ସମ୍ବିତ କହିଛନ୍ତି ।
ସେଓଠୁ ଭଲ ମଖାନା
ଏଥର ବଜେଟ୍ ଉପସ୍ଥାପନ ହେବା ପରେ ବିହାରକୁ କେନ୍ଦ୍ର ସରକାର ସର୍ବାଧିକ ଅନୁକମ୍ପା ଦେଇଥିବା ଚର୍ଚ୍ଚା ହେଲା । ଏନେଇ ବି ସମ୍ବିତ କହିଛନ୍ତି, ପ୍ରତିବର୍ଷ ବିହାରକୁ ଅଧିକ ଆର୍ଥିକ ସହାୟତା ଦିଆଯାଉଛି । ଆମେ ସମସ୍ତେ ଜାଣନ୍ତି ବିକାଶ ପାଇଁ ଏହି ଟଙ୍କା ଦିଆଯାଉଛି । କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ପ୍ରତିରାଜ୍ୟର ବିକାଶ ଲାଗି ଚେଷ୍ଟା କରାଯାଉଛି । ତେଣୁ ବିହାରରେ ଏଥର ମଖାନା ବୋର୍ଡ କରିବାକୁ ଅର୍ଥ ବ୍ୟୟବରାଦ ହୋଇଛି । ଗୋଟିଏ ରାଜ୍ୟର ବିକାଶ ହେଲେ ଆମେ ସମସ୍ତେ ତାହାକୁ ସ୍ବାଗତ କରିବା ଦରକାର । ଏହାସହ ସମ୍ବିତ କହିଛନ୍ତି, ମଖାନା ସେଓଠୁ ବି ଅଧିକ ଭଲ । ଯେଉଁମାନେ ନିଇତି ମଖାନା ଖାଉଛନ୍ତି ସେମାନେ ତାହାର ଉପକାରିତା ଜାଣିଛନ୍ତି ବୋଲି ସମ୍ବିତ କହିଛନ୍ତି ।
ନୀତିଶଙ୍କୁ ନେଇ ବଡ଼ ବୟାନ ଦେଲେ ସମ୍ବିତ
ବିହାର ବିଧାନସଭା ନିର୍ବାଚନ ଆସୁଥିବାରୁ ସେହି ରାଜ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । କୁହାଯାଉଛି କି, ନୀତିଶ ଏଥର ଏନଡିଏରେ ନୁହେଁ ଇଣ୍ଡି ମେଣ୍ଟରେ ଯୋଗ ଦେଇ ବିଧାନସଭା ନିର୍ବାଚନ ଲଢିବେ । ଏହି ଚର୍ଚ୍ଚା ଏବେର ନୁହେଁ ବରଂ ଡିସେମ୍ବରରୁ ହେଲାଣି । କୁହାଯାଉଥିଲା କି ପ୍ରତିଥର ମକର ସଂକ୍ରାନ୍ତି ପୂର୍ବରୁ ଦଳ ବଦଳାଆନ୍ତି ନୀତିଶ । ହେଲେ ମକର ଯାଇ ଶିବରାତ୍ରୀ ହେଲାଣି କିନ୍ତୁ ନୀତିଶ ଏନଡିଏରେ ଅଛନ୍ତି । ଚର୍ଚ୍ଚାତପ ଆହୁରି ଖୋରାକ ଯୋଗାଇଥିଲା ପୂର୍ବତନ ଦିବଙ୍ଗତ ପିଏମ ଡକ୍ଟର ମନମୋହନ ସିଂହଙ୍କ ଶେଷ ଦର୍ଶନ ବେଳେ ନୀତିଶ ଦିଲ୍ଲୀ ଯାଇଥିଲେ ହେଲେ ବିଜେପି ନେତାଙ୍କୁ ଭେଟିନଥିଲେ ବରଂ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିଲେ ।
ପରେ ପରେ ଅମିତ ଶାହା ବିହାର ଗସ୍ତରେ ଯାଇଥିଲେ । ସେପଟେ ଦିଲ୍ଲୀ ସିଏମଙ୍କ ଶପଥ ଗ୍ରହଣକୁ କାହିଁକି ନୀତିଶ ଆସିଲେ ନାହିଁ ବୋଲି ପ୍ରଶ୍ନର ଉତ୍ତର ଦେଇଛନ୍ତି ସମ୍ବିତ । କହିଛନ୍ତି, ବର୍ତ୍ତମାନ ଅନେକ ରାଜ୍ୟରେ ବଜେଟ୍ ଅଧିବେଶ ଚାଲିଛି ତ ଆଉ କେଉଁଛି ପ୍ରଗତିଯାତ୍ରା ଚାଲିଛି । ତେଣୁ ଦିଲ୍ଲୀ କାର୍ଯ୍ୟକ୍ରମକୁ ଅନେକ ନେତା ଆସିପାରିଲେ ନାହିଁ । ବିହାରରେ କୌଣସି ରାଜନୈତିକ ଅସ୍ଥିରତା ନାହିଁ । ନୀତିଶ ଏନଡିଏ ସହ ଅଛନ୍ତି, ଆଗାମୀ ଦିନରେ ବି ରହିବେ । ବିଧାନସଭା ନିର୍ବାଚନ ଆମେ ସାଙ୍ଗ ହୋଇ ଲଢିବୁ, ନୀତିଶ ନେତୃତ୍ବ ନେବେ । ଆରଜେଡି କେବଳ ରାଜନୈତିକ ବୟାନ ଦେଉଛି ସେମାନଙ୍କ ଦଳକୁ ନେଇ ମିଡିଆ ଚର୍ଚ୍ଚା କରୁ । ହେଲେ ସେମିତି କିଛି ହେବ ନାହିଁ ବୋଲି ସମ୍ବିତ ସ୍ପଷ୍ଟ କରିଛନ୍ତି । ରାଜନୀତି ଲୋକଙ୍କ ଭଲ ଲାଗି କରିବାକୁ ପଡ଼େ, ଖରାପ ଲାଗି ନୁହେଁ ବୋଲି ସମ୍ବିତ କହିଛନ୍ତି ।