କନକ ବ୍ୟୁରୋ: ବିହାର ରାଜନୀତିର ଚର୍ଚ୍ଚିତ ଚେହେରା ଲାଲୁ ପ୍ରସାଦ ଯାଦବ । କେତେବେଳେ ବୟାନ ଦେଇ ତ ଆଉ କେତେବେଳେ କିଛି କାମ କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ଏବେ ତ ମହାକୁମ୍ଭକୁ ନେଇ ଯେଉଁ ବୟାନ ରଖିଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ସେ କହିଛନ୍ତି ଯେଉଁମାନେ ମହାକୁମ୍ଭକୁ ଯାଉଛନ୍ତି କିଛି ଲାଭ ନାହିଁ । ଅର୍ଥାତ୍ ସେଠାକୁ ଗଲେ କିଛି ହେବାର ନାହିଁ । ଖାଲି ଏତିକି ନୁହେଁ ବରଂ ଏଥର ବିହାରରେ ମୋଦି କେବେ ବି ଜିତିପାରିବେ ନାହିଁ ବୋଲି ବୟାନ ରଖିଛନ୍ତି । କଥା ହେଲା ନିଜେ ଘୋଟାଲା କରି ଜେଲ୍ରେ ଥିଲେ ବିହାରର ଏହି ବରିଷ୍ଠ ନେତା । କୋର୍ଟରୁ ବେଲ୍ ମିଳିବା ପରେ ଏବେ ସେ ଜେଲ ବାହାରକୁ ଆସିଛନ୍ତି । କିନ୍ତୁ ତୋଡ ଆଦୌ କମିନି । ଅର୍ଥାତ୍ କୋର୍ଟ ଅର୍ଡର ଅନୁସାରେ, ସେ ନିର୍ବାଚନ ଲଢିପାରିବେ ନାହିଁ । ହେଲେ କେଉଁ ପରିସ୍ଥିତିରେ ସେ ମୋଦୀଙ୍କୁ କ୍ଷମତାରୁ ଦୂରେଇ ରଖିବେ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ବିହାର ରାଜନୀତିକୁ ନେଇ ପୁଣି ଚର୍ଚ୍ଚା
ଲାଲୁ କହିଲେ, କୁମ୍ଭର କିଛି ମତଲବ ନାହିଁ
ଲାଲୁଙ୍କ ପରେ ବିବାଦୀୟ ବୟାନ ଦେଉଛନ୍ତି ତେଜସ୍ବୀ
ନିର୍ବାଚନ କମିଶନଙ୍କ ଉପରେ ଉଠାଇଲେ ଆପତ୍ତି
ଏସନ ବିହାର ଦେଖିବ ନିର୍ବାଚନ । ତାରିଖ ଘୋଷଣା ବି ହୋଇନି ଅର୍ଥାତ୍ ନିର୍ବାଚନକୁ ଆହୁରି ଅନେକ ଦିନ ବାକି ରହିଛି । ଏହାରି ଭିତରେ ଲାଲୁ ଓ ତାଙ୍କ ପୁଅ ବିବାଦୀୟ ବୟାନ ଦେଇଛନ୍ତି । ଗୋଟିଏ ପଟେ ଲାଲୁ କହିଥିଲେ ମହାକୁମ୍ଭକୁ ଗଲେ କୌଣସି ଲାଭ ହେବ ନାହିଁ । ସେପଟେ ପୁଅ ତେଜସ୍ବୀ କହିଛନ୍ତି, ନିର୍ବାଚନ କମିଶନ ସ୍ବଚ୍ଛତାର ସହ କାମ କରୁନାହାନ୍ତି । ଗଣତନ୍ତ୍ର ଲାଗି ସେ ବିପଦ । ଖାଲି ଏତିକି ନୁହେଁ ବରଂ ସେ ସ୍ବପ୍ନ ଦେଖୁଛନ୍ତି କି, କେନ୍ଦ୍ରରେ ତାଙ୍କର ସରକାର ଆସିବ ଏବଂ ସେ ଇଭିଏମ୍ ଉଠାଇ ଦେବେ ନିର୍ବାଚନ ପ୍ରକ୍ରିୟାରୁ । ହେଲେ ଏହା ଯେ କେବଳ ସ୍ବପ୍ନ ସେଥିରେ କୌଣସି ସନ୍ଦେହ ନାହିଁ । ହେଲେ ଉଭୟ ବାପ-ପୁଅ ନିର୍ବାଚନ ରଣନୀତି କରିବାରେ ପୁରା ସାତିର । ତେଣୁ କେଉଁ ପରିସ୍ଥିତିରେ ସେ କଣ କରିବେ ତାହା କହିବା ବି ମୁସ୍କିଲ । ହେଲେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି, ଲାଲୁ ମହାକୁମ୍ଭକୁ ନେଇ ଯେଉଁ ବୟାନ ଦେଇଛନ୍ତି ତାହା ବୁଝିବିଚାରି ଦେଇଛନ୍ତି ।
ସାମ୍ପ୍ରଦାୟକ ରାଜନୀତି କରିବାକୁ ପସନ୍ଦ କରୁନାହାନ୍ତି କି ଲାଲ
ମହଙ୍ଗା ପଡ଼ିଥିଲା ବାରମ୍ବାର ବାବ୍ରୀ ମସଜିଦ୍କୁ ନେଇ ବୟାନ
କିଛିଦିନ ପୂର୍ବରୁ ବାବ୍ରୀ ମସଜିଦ୍କୁ ନେଇ ଲାଲୁ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ସୋସିଆଲ ମିଡ଼ିଆରେ ହଲ୍ଲାବୋଲ ହୋଇଥିଲା । ଖାଲି ହଲ୍ଲାବୋଲ ହୋଇଥିଲା ତାହା ନୁହେଁ ବରଂ ଲାଲୁଙ୍କ ଭାଷଣ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲିଲା । କେବଳ ଏହି କାରଣ ଲାଗି ବିହାର ରାଜନୀତିରୁ ଲାଲୁ ଦୂରେଇ ରହିଛନ୍ତି ବୋଲି କୁହାଯାଉଛି । ତେଣୁ ସାମ୍ପଦ୍ରାୟିକ ରାଜନୀତି କରିବା ଦିଗରେ ଲାଲୁ କାମ କରୁନାହାନ୍ତି ବୋଲି କୁହାଯାଉଛି । ବୋଧହୁଏ ସେଇଥି ଲାଗି ଦିଲ୍ଲୀ ଷ୍ଟେସନରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ସେ ଆଦୌ ବୟାନବାଜି କରିନଥିଲେ ।
କାହିଁକି ରାଜନୀତିର ଢଙ୍ଗ ବଦଳାଇନାହାନ୍ତି ଲାଲୁ ?
୧୯୯୦ ରୁ ୨୦୨୫…ଏହାରି ଭିତରେ ଅନେକ ବର୍ଷ ବିତିଯାଇଛି । ହେଲେ ରାଜନୀତିର ଢଙ୍ଗ ବଦଳାଇନାହାନ୍ତି ଲାଲୁ । କୁହାଯାଉଛି କି ଲାଲୁ, ଏବେ ପଣ କରିଛନ୍ତି ବିହାରରେ ବିଜେପିକୁ ଜିତାଇବାକୁ ଦେବେ ନାହିଁ । ହେଲେ ମାୟାବତୀ ଯେଉଁ ଭୁଲ କରିଥିଲେ ସେହି ଭୁଲକୁ ଦୋହରାଇବାକୁ ଲାଲୁ ଚାହୁଁନାହାନ୍ତି । ତେଣୁ ମିଡିଆରେ କିଛି କହିବା ବେଳେ ଭାବିଚିନ୍ତି କହୁଥିବା ଚର୍ଚ୍ଚା ଚାଲିଛି ।
ନୂଆ ଷ୍ଟାଇଲରେ ବିହାର ରାଜନୀତି
ଦେଶର ବିହାର ଏମିତି ଏକ ରାଜ୍ୟ ଯାହାକୁ ନେଇ ପ୍ରତିଦିନ କିଛି ନା କିଛି ଚର୍ଚ୍ଚା ଚାଲେ । କୁହାଯାଉଛି କି ବ୍ୟବସ୍ଥାକୁ ପ୍ରଶ୍ନ ବାଣରେ ଘାଇଲା କରିବା ପରିବର୍ତ୍ତେ ନିଜେ ଲାଲୁ ଘାଇଲା ହେଉଛନ୍ତି । ତେଣୁ ମାପିଚୁପି ବୟାନ ଦେବାକୁ ସେ ଉଚିତ୍ ମନେ କରୁଛନ୍ତି । ମୋଟ୍ ଉପରେ ଲାଲୁ ଓ ତେଜସ୍ବୀଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଚାଲେ । ଯେହେତୁ ଏବେ ବିଧାନସଭା ନିର୍ବାଚନ ଆସିଲାଣି ତେଣୁ ଚର୍ଚ୍ଚା ଅଧିକ ହେଉଛି । ଏବେ ସମୟ କହିବ ବିହାର ରାଜନୈତିକ ପାଣି ଯାଉଛି କୁଆଡ଼େ ।