ମେ’ ପହିଲା ଦିନଟିକୁ ସାରା ବିଶ୍ୱର ଶ୍ରମିକମାନେ ଶ୍ରମିକ ଦିବସ ଭାବେ ପାଳନ କରିଥା’ନ୍ତି । ଏହି ଦିବସ ପାଳନର ଅନ୍ତରାଳେ ରହିଛି ଶ୍ରମିକମାନଙ୍କ ସଂଘର୍ଷମୟ ଇତିହାସ । ଗୋଟିଏ ସମୟ ଥିଲା ବିଶ୍ୱରେ ପୁଞ୍ଜିପତି ଶ୍ରେଣୀ ଶ୍ରମିକମାନଙ୍କୁ ମନଇଚ୍ଛା କାମ କରାଉଥିଲେ । ନା’ ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା । ସେହି ସଂଗଠନର ପ୍ରଥମ ଦାବି ଥିଲା କି ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା ମଧ୍ୟରେ ସୀମିତ ରଖାଯାଉ । ଏହାକୁ ପୁଞ୍ଜିପତି ଶ୍ରେଣୀ ମାନିବାକୁ ନାରାଜ ଥିଲା ଫଳରେ ହଜାର ହଜାର ଶ୍ରମିକ ରାସ୍ତାକୁ ଆସି ଆନ୍ଦୋଳନ ଆରମ୍ଭ କରିଥିଲେ । ହେଲେ ପୁଞ୍ଜିପତି ଶ୍ରେଣୀ ଏହାକୁ ଦମନ କରିବାକୁ ପଛାଇ ନଥିଲା । ଆମେରିକାର ଚିକାଗୋ ଠାରେ ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ବୋମାମାଡ ହୋଇଥିଲା । ବୋମାମାଡ କିଏ କରିଥିଲା ପୁଲିସ ତାର ଅନୁସନ୍ଧାନ କରିବା ପରିବର୍ତ୍ତେ ଏହା ଶ୍ରମିକମାନଙ୍କ କାମ କହି ଶ୍ରମିକଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲା । ଏହି ଗୁଳିଚାଳନା ଫଳରେ ନିଜର ହକ୍ ମାଗିବାକୁ ରାସ୍ତାରେ ଆନ୍ଦୋଳନ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୮ ଜଣଙ୍କର ଜୀବନ ଚାଲି ଯାଇଥିଲା । ଏଥିରେ କ୍ଷୁବ୍ଧ ହୋଇ ଆନ୍ଦୋଳନକାରୀମାନେ ପୁଲିସ ଉପରେ ପ୍ରତିଆକ୍ରମଣ କରିବା ଆରମ୍ଭ କରିଦେଲେ । ପରିସ୍ଥିତି ଅସମ୍ଭାଳ ଓ ଅଣାୟତ୍ତ । ଏହାକୁ ନଜରରେ ରଖି ଆମେରିକା ସରକାର ତୁରନ୍ତ ଶ୍ରମିକ ମାନଙ୍କର ଦାବି ମାନିନେଲେ ଓ ଦୈନିକ ଶ୍ରମ ନିର୍ଘଣ୍ଟକୁ ୮ ଘଣ୍ଟା ମଧ୍ୟରେ ସୀମିତ ରଖିଲେ । ଏହି ଦିନଠାରୁ ସାରା ବିଶ୍ୱରେ ଏହି ଆଇନ ପ୍ରଣୟନ ହେଲା । ଏହାକୁ ଶ୍ରମିକମାନେ ବିଜୟ ଦିବସ ଭାବେ ଏବେ ବି ପାଳନ କରିଆସୁଛନ୍ତି

Advertisment
labour
labour Photograph: (google)

ଭାରତରେ ୧୯୨୩ ମସିହାଠାରୁ ଏହି ଦିବସ ପାଳନ କରାଯାଉଛି । ଏହି ଦିନକୁ ଭାରତରେ ପ୍ରଥମେ ମାଡ୍ରାସ ଦିବସ ଭାବେ ପାଳନ କରାଯାଉଥିଲା । ଭାରତରେ ଶ୍ରମିକଙ୍କ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା କରିବାକୁ ପ୍ରଥମେ ଦାବି ଜଣାଇଥିଲା ଭାରତୀ ମଜଦୁର କିଷାନ ପାର୍ଟି । ଏହାର ନେତୃତ୍ୱ ନେଇଥିଲେ କମ୍ରେଡ ସିଙ୍ଗରବେଲୁ ଚେଟିଆର । ଏନେଇ ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଣ୍ଟା ଶ୍ରମ ନିର୍ଘଣ୍ଟକୁ ସ୍ବୀକୃତି ଦେଇଥିଲେ । ସେହିଦିନ ଠାରୁ ଭାରତରେ ବି ଶ୍ରମିକ ଦିବସକୁ ସରକାର ଛୁଟି ଦିନ ଭାବେ ଘୋଷଣା କରିଥିଲେ ।

Labour 1
Labour 1 Photograph: (google)

ଆଇନ ଅଛି , ହେଲେ ଆଜି ବି ଏ ଆଇନର ଖୋଲା ଖୋଲି ଉଲ୍ଲଂଘନ ହେଉଛି । ସରକାରୀ ଚାକିରି ବାହାରେ ଶ୍ରମକୁ ବିଭିନ୍ନ ଉପାୟରେ ଲୁଣ୍ଠନ କରାଯାଉଛି । ଏନେଇ ବିଭିନ୍ନ ଦେଶର ସରକାର ଭିନ୍ନ ଭିନ୍ନ ଆଇନ ଆଣିଥିଲେ ବାସ୍ତବ ପରିସ୍ଥିତି ଏଭଳି ସୃଷ୍ଟି କରାଯାଇଛି ଯେ ଶ୍ରମର ଲୁଣ୍ଠନ ନେଇ ପାଟି ଖୋଲିବାକୁ ଶ୍ରମିକ ପାଖରେ ଶକ୍ତି ନାହିଁ । କୌଣସି ସମାଜ, ଦେଶ ଓ ଶିଳ୍ପର ବିକାଶ ପାଇଁ ଶ୍ରମିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଦେଶ ପ୍ରଥମେ ଶ୍ରମିକର ସର୍ବନିମ୍ନ ଆବଶ୍ୟକତା, ସୁରକ୍ଷା ଓ ପରିସ୍ଥିତି ଉପରେ ନଜର ନଦେଲେ ଦେଶର ଯେଉଁ ବିକାଶ ହେବ ସେହି ବିକାଶର ଲାଭ ହାତଗଣତି କେତେଜଣଙ୍କ ପାଖରେ ଅଟକିଯିବ ।