କନକ ନ୍ୟୁଜ୍ : ଥରେ ଚିନ୍ତା କରନ୍ତୁ ଆପଣ ନିଜ ଖଟରେ ବଡ଼ ଆରାମରେ ଶୋଇଥିବେ ଏବଂ ଅଚାନକ ଗୋଡ଼ରେ କିଛି ଚାଲିଲା ପରି ଅନୁଭବ ହେବ । ଆଖି ଖୋଲିଲା ବେଳକୁ ବିଶାଳକାୟ ଅହିରାଜ ସାପ । ସେହି ସ୍ଥାନରେ ଆପଣ କ’ଣ କରିବେ ? ଜଣେ ସାଧାରଣ ମଣିଷ ‘ଇଲୋ ବୋଉଲୋ’ କହି ଚିତ୍କାର କରି ଉଠିବ । କିନ୍ତୁ ଚିତ୍କାର କଲେ ସାପ ବି ଆକ୍ରମଣାତ୍ମକ ହୋଇଉଠିବ । ସେହି ସ୍ଥାନରେ ଉକ୍ତ ବ୍ୟକ୍ତିଙ୍କୁ ଶାନ୍ତ ରହିବା ନିତାନ୍ତ ଆବଶ୍ୟକ । ଯଦି ଶାନ୍ତ ନ ରହିବେ ଜୀବନ ଯିବାଟା ଥୟ । କିନ୍ତୁ ଏଭଳି ଭୟଙ୍କର ସମୟରେ ଜଣେ ଶାନ୍ତ କେମିତି ରହିବ ଏହି ବ୍ୟକ୍ତିଙ୍କଠାରୁ ଶିଖିବା କଥା । ଆମେ କହୁଛୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ବିଷୟରେ । ଭିଡିଓଟି ଉତ୍ତରାଖଣ୍ଡର ବୋଲି ଜଣାପଡୁଛି ।
ଏହି ଭିଡିଓରେ ଜଣେ ବ୍ୟକ୍ତି ଖଟରେ ଶୋଇଥିବା ବେଳେ ଅହିରାଜ ସାପ ତାଙ୍କ ଶରୀରରେ ଚାଲୁଥିବାର ଦେଖାଯାଉଛି । ଯେଉଁଠି ଏଭଳି ଦୃଶ୍ୟ ଦେଖି ଯାହାର ବି ରକ୍ତଚାପ ବଢ଼ିଯିବ ସେଠାରେ ଯୁବକଙ୍କ ଶାନ୍ତ ପ୍ରତିକ୍ରିୟା ଏବେ ତାଙ୍କୁ ସୋସିଆଲ୍ ମିଡିଆରେ ବିରଳ ବ୍ୟକ୍ତିତ୍ବର ପରିଚୟ ଦେଇଛି । ଅହିରାଜ ସାପକୁ ଦେଖି ଡରିବା ବଦଳରେ ଯୁବକ ଫୋନ୍ ଧରି ଭିଡିଓ କରିବା ଆରମ୍ଭ କରି ଦେଉଛନ୍ତି । ସାପଟି ତାଙ୍କ ଗୋଡ଼ରେ ଏପଟେ ସେପଟେ ହୋଇ ଘୂରି ବୁଲୁଥିବା ବେଳେ ଯୁବକ ନିର୍ଭୟରେ ଭିଡିଓ କରୁଛନ୍ତି । କିନ୍ତୁ ଯୁବକଙ୍କ ଡର ସେତେବେଳେ ବଢୁଛି ଯେତେବେଳେ ସାପଟି ଜିଭ ହଲାଇ ତାଙ୍କ ମୁଣ୍ଡ ଆଡ଼କୁ ଚାଲିଆସୁଛି । ସାପକୁ ଏତେ ପାଖରୁ ଦେଖିବା କ୍ଷଣି ଯୁବକ ଭୟରେ ତଳକୁ ଓହ୍ଲାଇ ପଡୁଛନ୍ତି । ୨ ମିନିଟ୍ ୧୬ ସେକେଣ୍ଡର ଏହି ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ୨୭ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ୨ ହଜାରରୁ ଅଧିକ ଲୋକ କମେଣ୍ଟ୍ କରି ସାରିଲେଣି ।