କନକ ବ୍ୟୁରୋ : ପ୍ରତିଦିନ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଟ୍ରେଣ୍ଡରେ ଥାଏ । ଖାସ୍ କରି ବିବାହ ବେଳର ଏମିତି ଅନେକ କୌତୁକିଆ ଭିଡିଓ ୟୁଜର୍ସଙ୍କୁ ହସାଇ ହସାଇ ବେଦମ କରେ । ଅଜବ ବିବାହ , ବର-କନ୍ୟାଙ୍କ ମଧ୍ୟରେ ତୁ ତୁ ମେଁ ମେଁ , ବିବାହ ସମୟରେ ଝଗଡ଼ା -ନାଚ ଇତ୍ୟାଦି ଅନେକ ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୁଏ । ତେବେ ବର୍ତ୍ତମାନ ଏମିତି ହିଁ ଏକ ଭିଡିଓ ଭାଇରାଲ୍ ହେଉଛି । ଭିଡିଓଟି କର୍ଣ୍ଣାଟକର ବୋଲି ଜଣାପଡୁଛି । କର୍ଣ୍ଣାଟକର ହାସନ ଜିଲ୍ଲାରୁ ଚକିତ କରିଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । 

Advertisment

ହାସନ ଜିଲ୍ଲାର ବୁବନହଲ୍ଲି ନାମକ ଏକ ଗାଁରେ ବଡ଼ ଧୁମଧାମରେ ପଲ୍ଲବୀ ଏବଂ ବେଣୁଗୋପାଳଙ୍କ ବିବାହ ଚାଲିଥିଲା । ଉଭୟ ବର ଏବଂ କନ୍ୟା ପକ୍ଷ ପରିବାର ବିବାହ ପାଇଁ ଉତ୍ସାହିତ ଥିଲେ । ଘରେ କୁଣିଆଙ୍କ ଗହଳି , ବେଦୀରେ ବର-କନ୍ୟାଙ୍କ ମଙ୍ଗଳସୂତ୍ର ନୀତି ଚାଲିଥିବା ବେଳେ ହଠାତ୍ କିଛି ଏମିତି ଘଟିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଅଧା ବାହାଘରରେ କନ୍ୟା ପଲ୍ଲବୀ କାନ୍ଦି କାନ୍ଦି ବିବାହ କରିବାକୁ ମନା କରିଦେଲେ । ବାହା ବେଦୀରେ ସମସ୍ତଙ୍କ ଆଗରେ ପଲ୍ଲବୀ ଅନ୍ୟ ଜଣଙ୍କୁ ଭଲ ପାଉଥିବା କଥା କହି କାନ୍ଦି ଉଠିଲେ । ପୂରା ପରିବାର ପଲ୍ଲବୀକୁ ବୁଝାଇବାକୁ ଲାଗିଲେ କିନ୍ତୁ ଝିଅ ବିବାହକୁ ମନା କରି ନିଜକୁ ଏକ କୋଠରୀରେ ବନ୍ଦ କରିଦେଲେ । ଘଟଣାକୁ ଦେଖି ବର ବେଣୁଗୋପାଳ କନ୍ୟାଙ୍କ ସହ କଥାବାର୍ତ୍ତା କରି ପୁଲିସକୁ ସୂଚିତ କରିଥିଲେ । ପୁଲିସ ଉଭୟ ବର-କନ୍ୟାଙ୍କ ସହ କଥାବାର୍ତ୍ତା କରି ପଲ୍ଲବୀଙ୍କ ପ୍ରେମିକଙ୍କୁ ଡାକିଥିଲେ । ପଲ୍ଲବୀ ଏବଂ ପ୍ରେମିକଙ୍କୁ ସୁରକ୍ଷାର ସହ ଥାନାକୁ ନିଆଗଲା । ଯେହେତୁ ପଲ୍ଲବୀ ପରିବାର ଚାପରେ ମାନସିକ ଯନ୍ତ୍ରଣାରେ ଥିଲେ ତେଣୁ ବିବାହ କରିବା ପାଇଁ ସେ ମନା କରିଥିଲେ । ସମ୍ବେଦନଶୀଳତା ଦୃଷ୍ଟିରୁ ପୁଲିସ ଯୁବତୀଙ୍କୁ ଆଈଙ୍କ ଘରକୁ ପଠାଇ ଦେଇଛନ୍ତି । ପଲ୍ଲବୀଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଦେଖାଗଲେ ପ୍ରେମିକଙ୍କ ସହ ବିବାହ କରାଇବାକୁ ପୁଲିସ ଏବଂ ବର ବେଣୁଗୋପାଳ ନିଜେ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସୋସିଆଲ୍ ମିଡିଆରେ ବର ବେଣୁଗୋପାଳଙ୍କୁ ୟୁଜର୍ସ ଭୁରି ଭୁରି ପ୍ରଶଂସା କରୁଛନ୍ତି ।