କନକ ବ୍ୟୁରୋ: ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍ । ଏଥର ବି ଜଣଙ୍କ ଜୀବନ ନେଇଗଲା । ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ତାତିଥିଲେ ଲୋକେ । ବିଚ୍ ରାସ୍ତାରେ ଗାଡ଼ି ଅଟକାଇ ବସ୍ର କାଚ ବି ଭାଙ୍ଗିଦେଲେ । ଘଟଣା ସ୍ଥଳରେ ଉତ୍ତେଜନା ବି ଦେଖାଗଲା । ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ତୁରନ୍ତ ମୋ ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କଲେ ଲୋକେ । ଏବେ ପ୍ରଶ୍ନ, କାହିଁକି ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ମୋ ବସ୍ ? ସ୍ପିଡ୍ ନିୟନ୍ତ୍ରଣ ହେବା ପରେ କାହିଁକି ହେଉଛି ଦୁର୍ଘଟଣା ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
ଅଣାୟତ୍ତ ମୋ ବସ୍
ନିଇତି ଦୁର୍ଘଟଣା ଘଟାଉଛି
ମନ୍ତ୍ରୀଙ୍କ କଥା ମାନିନୁ କି ବସ୍ ?
ବେପରୁଆ ଗାଡ଼ି ଚାଳନା
ଦୁର୍ଘଟଣାର କାରଣ କି
କେତେ ଜୀବନ ନେଲା ପରେ ଚେତିବେ ସରକାର
ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ମୋ ବସ୍ । ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବା ପରେ ସରକାର ବସ୍ର ସ୍ପିଡ୍ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଲେ । ନିଷ୍ପତ୍ତି ଅନୁସାରେ ବସ୍ର ସ୍ପିଡ୍ ୪୦ କିଲୋମିଟର ଧାର୍ଯ୍ୟ ହେଲା । କିନ୍ତୁ ଏହାପରେ ଦୁର୍ଘଟଣା କମିବ କଣ ବରଂ ବଢିଗଲା । ପ୍ରଥମେ ନନ୍ଦନକାନନ ପାଖରେ ଜଣେ ନାବାଳିକାଙ୍କ ଉପରେ ମୋ ବସ୍ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଉତ୍ତେଜନା ବୃଦ୍ଧି ପାଇବା ପରେ ଡ୍ରାଇଭର ଗିରଫ ହୋଇଥିଲେ । ପରେ ପରେ କଟକରେ ପରିବା ବେପାରୀଙ୍କୁ ଧକ୍କା ଦେଇଥିବା ବସ୍। ଅବଶ୍ୟ ପରବର୍ତ୍ତୀ ସମୟରେ କ୍ରୁଟ୍ ପକ୍ଷରୁ ଏନେଇ ସିସିଟିଭି ଫୁଟେଜ୍ ଦିଆଯାଇ କୁହାଯାଇଥିଲା ଏଥିରେ ବସ୍ର କିଛି ଭୁଲ ନାହିଁ । ହେଲେ ଗତକାଲି ରାତିରେ ପାତ୍ରପଡ଼ାରେ ମୋ ବସ୍ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଯିବା ପରେ ଏବେ ମୋ ବସ୍କୁ ନେଇ ପ୍ରଶ୍ନ ଉଙ୍କି ମାରିଛି ।
ସୂଚନା ଅନୁସାରେ, ପାତ୍ରପଡାରେ ସିରିଜ ଦୁର୍ଘଟଣା ଘଟାଇ ଖସି ପଳାଉ ଥିବା ବେଳେ ବସ୍ ଚାଳକଙ୍କୁ ମାଡି଼ବସିଥିଲେ ଲୋକେ । ଦୁର୍ଘଟଣା ଘଟାଇବା ପରେ ଗୋଟିଏ ବାଇକ୍କୁ ପ୍ରାୟ ୨ କିଲୋମିଟର ଘୋଷାଡ଼ି ନେଇଥିଲା ମୋ ବସ୍ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଯାହାପରେ ରଣକ୍ଷେତ୍ର ପାଲଟିଲା ପୂରା ଅଞ୍ଚଳ । ବସକୁ ଢେଲା ପଥର ମାଡ଼ ସହ ବସ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ପୁରା ଘଟଣାରେ ବସ ଡ୍ରାଇଭର ସହ ବସକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ମୋ ବସ ଡ୍ରାଇଭର ମଦ୍ୟପାନ କରିଥିଲେ କି ନାହିଁ ସେନେଇ ଯାଞ୍ଚ କରୁଛି ପୋଲିସ । ଏପଟେ ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ମୋ ବସ୍ ଲୋକଙ୍କୁ ମାରୁଥିବାରୁ କାର୍ଯ୍ୟାନୁଷ୍ଠାନ ହେଉ ।
ମୋଟ୍ ଉପରେ ମୋ ବସ୍ ଦୁର୍ଘଟଣାକୁ ନେଇ ଏବେ ଚିନ୍ତାରେ ଟ୍ବିନସିଟି । ଦୁର୍ଘଟଣା ନିତିଦିନିଆ ହେଉଥିବା କାରଣରୁ ତାତିଲେଣି ଲୋକେ । ତେବେ ଆଗାମୀ ଦିନରେ ସରକାର ଏନେଇ କି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।