କନକ ବ୍ୟୁରୋ : ଅକ୍ଟୋବର ୬ , ସୋମବାର ରାତି ପ୍ରାୟ ୧୦ଟା ଓଡ଼ିଶାର ରେଶମ ସହରରେ ଫୁଟିଲା ଗୁଳି । ସ୍ଥାନୀୟ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଛାତି କଣା କରି ମେରୁଦଣ୍ଡରେ ଅଟକିଥିଲା ଗୁଳି । ବ୍ରହ୍ମପୁର ବ୍ରହ୍ମନଗର ଅଞ୍ଚଳରେ ଥିବା ତାଙ୍କ ଘର ବାହାରେ ଘଟିଥିଲା ଏହି ଗୁଳିକାଣ୍ଡ । ୨ ଜଣ ଲୋକ ମୋଟର ସାଇକେଲରେ ଆସି ତାଙ୍କୁ ୨ ରାଉଣ୍ଡ ଗୁଳି ମାରି ଚାଲିଯାଇଥିବାର ସୂଚନା ଦେଇଥିଲା ବ୍ରହ୍ମପୁର ପୁଲିସ । ତୁରନ୍ତ ଆଇନଜୀବୀଙ୍କୁ ଏମକେସିଜି ହସ୍ପିଟାଲ୍ ଅଣାଗଲା । ଅତି ନିକଟରୁ ଗୁଳିମାଡ଼ ହୋଇଥିବାରୁ ଗୁଳି କାଢ଼ିବାକୁ ହିଁ ଲାଗିଥିଲା ଦେଢ଼ ଘଣ୍ଟାରୁ ଅଧିକ ସମୟ । ଛାନିଆ ଏବଂ ପ୍ରଚୁର ରକ୍ତସ୍ରାବ କାରଣରୁ ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ରାତିରେ ଶବ ବ୍ୟବଚ୍ଛେଦ ହୋଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା ଏବଂ ଅକ୍ଟୋବର ୭ ତାରିଖରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ପରିବାର । ଏହି ହତ୍ୟାକାଣ୍ଡର ଖିଅ ଖୋଜୁ ଖୋଜୁ ପୁଲିସକୁ ମିଳିଥିଲା ବିହାରୀ ଲିଙ୍କ୍ । ଦେଶୀ ବନ୍ଧୁକରୁ ହତ୍ୟା ନେଇ ପୁଲିସର ତଦନ୍ତ ଆଗକୁ ବଢ଼ିଥିଲା । ତଦନ୍ତରେ ତିଳେମାତ୍ର ହେଳା କରିନଥିଲା ପୁଲିସ । ୧୦୦୦ରୁ ଅଧିକ ସିସିଟିଭି କ୍ୟାମେରା ଯାଞ୍ଚ୍ , ୮୦ରୁ ଅଧିକ ଲୋକଙ୍କୁ ପଚରା ଉଚରା , ବ୍ୟାବସାୟିକ, ରାଜନୈତିକ, ବ୍ୟକ୍ତିଗତ ଶତ୍ରୁତା ଲିଙ୍କ୍‌ରେ ହୋଇଥିଲା ତଦନ୍ତ । ଆଉ ମାଷ୍ଟରମାଇଣ୍ଡକୁ ଖୋଜିବାକୁ ଲାଗିଗଲା ୧୮ ଦିନ । ଶେଷରେ ବିଭିନ୍ନ ରାଜ୍ୟରୁ ୮ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ । ଗଞ୍ଜାମ , ପୁରୀରେ ଲୁଚିଥିବା ଅଭିଯୁକ୍ତ ବି ବାଦ୍ ପଡ଼ିଲେନି । ସାର୍ପସୁଟର, ରେକି ଟିମ୍ ସଦସ୍ୟଙ୍କୁ ଜେରା ପରେ ତଦନ୍ତ ଆଗେଇଲା । ପରେ ସୂଚନା ମିଳିଲା ଯେ ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକରୁ ଧରାପଡ଼ିଛନ୍ତି ଅଭିଯୁକ୍ତ । ଅଭିଯୁକ୍ତ ଗୋଟିଏ ଜାଗାରୁ ବନ୍ଧୁକ ଆଉ ଗୋଟିଏ ଜାଗାରୁ ଜବତ ହେଲା । ପୁରୀ, ବେଙ୍ଗାଲୁରୁରୁ ବନ୍ଧୁକ ମିଳିଥିବା ସୂଚନା ଆସିଲା । କର୍ପୋରେଟର, ଛାତ୍ରନେତା ବି ଅଟକ ରହିଲେ । ପୂର୍ବତନ ବିଧାୟକଙ୍କୁ ଅଟକ ରଖାଗଲା , ପୂର୍ବତନ ମେୟରଙ୍କୁ ଜେରା କରାଗଲା ।

Advertisment

ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ପଛରେ ରାଜନୈତିକ ଶତ୍ରୁତାର ଗନ୍ଧ ବାରିଲା ପୁଲିସ । ଅଟକଙ୍କ ମଧ୍ୟରେ ୮ ଜଣ ପୂର୍ବତନ ଛାତ୍ର ନେତା ଥିଲେ । ପୂର୍ବତନ ବିଧାୟକ ଓ କର୍ପୋରେଟରଙ୍କୁ ମଧ୍ୟ ଚାଲିଥିଲା ଜେରା । ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ ପୀତବାସ । ଏଆଇଏସଏଫ୍, ସିପିଆଇରୁ ରାଜନୀତି ଆରମ୍ଭ କରିଥିଲେ । ୧୯୯୪ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ବନ୍ଧୁ ଥିଲେ । ଦୀର୍ଘ ୨୦ବର୍ଷ ଧରି ସାଥିରେ ଥିଲେ ପୀତବାସ ଓ ବିକ୍ରମ । ୨୦୧୪ରେ ବିକ୍ରମ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ପୀତବାସ । ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଘନିଷ୍ଠ ଥିଲେ ପୀତବାସ ପଣ୍ଡା । ତେବେ ଏହି ହତ୍ୟାକାଣ୍ଡରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ବାନ୍ଧିଛି ପୁଲିସ । 

ପୀତବାସ ଓଡ଼ିଶା ରାଜ୍ୟ ବାର୍ କାଉନସିଲର ସଦସ୍ୟ ଥିବା ସହ RTI ପାଇଁ ସକ୍ରିୟ ଭାବରେ ଓକିଲାତି କରୁଥିଲେ । ବ୍ରହ୍ମପୁର ସହର ଏବଂ ଗଞ୍ଜାମ ଜିଲ୍ଲାରେ ଅନିୟମିତତା ଏବଂ ଦୁର୍ନୀତି ବିରୁଦ୍ଧରେ ଲଢ଼େଇ ପାଇଁ ଚର୍ଚ୍ଚିତ ଥିଲେ । ସକ୍ରିୟତା ଏବଂ ନେତୃତ୍ୱ ତାଙ୍କୁ ଆଇନଗତ ଏବଂ ରାଜନୈତିକ ମହଲରେ ସମ୍ମାନ ଆଣିଥିଲା ।  ଅନେକ ଗଣମାଧ୍ୟମ ସୂତ୍ର ଅନୁଯାୟୀ ସହକର୍ମୀ ଏବଂ ସ୍ଥାନୀୟ ନେତାମାନେ ତାଙ୍କୁ ଜଣେ ପ୍ରତିବଦ୍ଧ ଏବଂ ନିର୍ଭୀକ ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି ଯିଏ ସାଧାରଣ ଦାୟିତ୍ୱ ପାଇଁ କାମ କରିଥିଲେ ।