ଚଳିତବର୍ଷ ପ୍ରୟାଗରାଜର ପବିତ୍ରଭୂମିରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳା ଚର୍ଚ୍ଚାର ବିଷୟ ପାଲଟିଥିଲା । ୧୪୪ ବର୍ଷ ପରେ ମହାକୁମ୍ଭର ପବିତ୍ର ଯୋଗ ପଡିଥିବାରୁ ଭକ୍ତ ସଙ୍ଗମରେ ବୁଡ଼ ପକାଇବାକୁ ଆତୁର ହୋଇ ସଙ୍ଗମନଗରୀ ଦୌଡିଲେ । ବସ୍ , ଟ୍ରେନରେ ନାହିନଥିବା ଜାମ୍ , ହିନସ୍ତା ହେଲେ ପଛେ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ପଛଘୁଞ୍ଚା ଦେଲେନାହିଁ । ଏହାରି ଭିତରେ ମହାକୁମ୍ଭର ସୁବିଧା , ଅସୁବିଧାକୁ ନେଇ ଯେତେ ଚର୍ଚ୍ଚା ହେଲା ; ଏଠାକୁ ଆସିଥିବା ବିଚିତ୍ର ବାବାମାନଙ୍କର ନାଁ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଲା । ଏମାନଙ୍କ ଭିତରୁ ଜଣେ ବାବା ଅଧିକ ଚର୍ଚ୍ଚାରେ ରହିଲେ ଯାହାଙ୍କ ନାଁ ଥିଲା ଆଇଆଇଟିଆନ୍ ବାବା । ଅଭୟ ସିଂ ନାମକ ଜଣେ ଯୁବକ ଯାହାଙ୍କ ବେଶଭୂଷା ଓ ଶିକ୍ଷାଗତ ଯୋଗ୍ୟତାକୁ ଦେଖି ଲୋକ ଦେଇଥିଲେ ଆଇଆଇଟିଆନ୍ ବାବାର ନାଁ । ଏହି ବାବା ନିକଟରେ ଏକ ନ୍ୟୁଜ୍ ଡିବେଟରେ ଅତିଥି ହୋଇ ଯାଇଥିଲେ ଏବଂ ତର୍କ ସମୟରେ ଅନ୍ୟ ଜଣେ ସନ୍ଥଙ୍କ ଉପରେ ଗରମ ଚା’ ଫୋପାଡି ଦେଇଥିଲେ । ଏହି ଘଟଣାକୁ ନେଇ ବାବାଙ୍କୁ ଜୟପୁର ପୁଲିସ୍ ଥାନାକୁ ମଧ୍ୟ ଭିଡି ନେଇଥିଲା । କିନ୍ତୁ କିଛି ସମୟ ପରେ ଜାମିନ୍ ପାଇ ବାହାରକୁ ଆସିଥିଲେ ଆଇଆଇଟିଆନ୍ ବାବା ।
/kanak/media/media_files/2025/03/08/c8RtUOBXltj9ElK8COxd.jpg)
ତେବେ ଏହାରି ଭିତରେ ମଥୁରା-ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜ ଯାହାଙ୍କ ସାନ୍ନିଧ୍ୟ ପାଇବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି । ସାଂସାରିକ ଏବଂ ଆଧ୍ୟାତ୍ମିକ ଜୀବନର ଜ୍ଞାନ ପରଷୁଥିବା ପ୍ରେମାନନ୍ଦ ମହାରାଜ ପ୍ରତିଟି ସତସଙ୍ଗ ପରେ ଶ୍ରଦ୍ଧାଳୁଙ୍କ ମନରେ ଆସୁଥିବା ପ୍ରଶ୍ନର ସରଳ ଉତ୍ତର ମଧ୍ୟ ଦେଇଥାନ୍ତି । ଏହାରି ଭିତରେ ଜଣେ ଶ୍ରଦ୍ଧାଳୁ ଆଇଆଇଟିଆନ୍ ବାବାଙ୍କ ଭଳି ସନ୍ଥଙ୍କ ବିଷୟରେ ଯେତେବେଳେ ପ୍ରଶ୍ନ କରିଥିଲେ ସେତେବେଳେ ପ୍ରେମାନନ୍ଦ ମହାରାଜ ଏହାର ଉତ୍ତର କିଛି ଏମିତି ଦେଇଥିଲେ ।
/kanak/media/media_files/2025/03/08/QVxpwUA484T9AQNwxT7m.jpg)
ପ୍ରେମାନନ୍ଦ ମହାରାଜଙ୍କୁ ପ୍ରଶ୍ନ କରାଗଲା ଯେ କ’ଣ ସାଧୁ ବିନା ଗୁରୁଙ୍କ ସାନ୍ନିଧ୍ୟ ପାଇ ହୋଇପାରିବେ କି ? ଏହାର ଉତ୍ତରରେ ସନ୍ଥ କହିଥିଲେ , ‘ଅସମ୍ଭବ । ବିନା ଗୁରୁଙ୍କ ସାଧୁ ଅର୍ଥ ବିନା ବାସ୍ନାର ଫୁଲ ସଦୃଶ । ଯେ କୌଣସି ଲୋକ ଦାଢ଼ି ବଢାଇ , ବେଶଭୂଷା ପରିବର୍ତ୍ତନ କରି ନିଜକୁ ବାବା ବୋଲାଇଥାନ୍ତି । ଏଭଳି ଲୋକ କେବଳ ପ୍ରସିଦ୍ଧି ପାଇବା ପାଇଁ ଏବଂ ଲୋକଙ୍କଠାରୁ ଟଙ୍କା ଝାଡ଼ି ନିଶା କରିବା ପାଇଁ କରିଥାନ୍ତି ।’ ସନ୍ଥଙ୍କ ଏଭଳି ବାଣୀ ଶୁଣି ଜଣେ ଶ୍ରଦ୍ଧାଳୁ ପ୍ରଶ୍ନ କଲେ ଯେ , ସନ୍ଥ ବୋଲି କାହାକୁ କହିବା ? ସନ୍ଥଙ୍କ ବାହ୍ୟ ବେଶଭୂଷା ନା ଆନ୍ତରିକ ସ୍ଥିତି କାହାକୁ ଦେଖି କହିବା ଯେ ହଁ ଏ ଜଣେ ସଚ୍ଚୋଟ ସାଧୁ । ଏହି ପ୍ରଶ୍ନରେ ପ୍ରେମାନନ୍ଦ ମହାରାଜଙ୍କ ଉତ୍ତର କିଛି ଏମିତି ଥିଲା ଯେ , ‘୩ ଟି କଥା ଉପରେ ଧ୍ୟାନ ଦେଲେ ଆମେ ଜାଣିପାରିବା ଯେ ଆମ ସମ୍ମୁଖରେ ଯିଏ ଉପସ୍ଥିତ ଅଛନ୍ତି ସେ ଜଣେ ପ୍ରକୃତ ସାଧୁ । ଶାସ୍ତ୍ରର ସାର ଅନୁସାରେ ପୁତ୍ରେଷଣା , ବିତେଷଣା ଏବଂ ଲୋକେଷଣାକୁ ଯେ ବିଜୟ କରିଛନ୍ତି ସେ ଜଣେ ସାଧୁ । ସରଳ ଭାଷାରେ କହିଲେ କଞ୍ଚନ୍ , କାମିନୀ ଏବଂ କୀର୍ତ୍ତି । ଯିଏ କାମ , ଧନ ଏବଂ ମନ ଉପରେ ବିଜୟ ହାସଲ କରିଛନ୍ତି ତାଙ୍କୁ ହିଁ କହିବା ପ୍ରକୃତ ସାଧୁ । ଧନ ଉପରେ ବିଜୟ କହିଲେ ଧନ ପ୍ରତି ଆଶାକୁ ସମ୍ପୁର୍ଣ୍ଣ ତ୍ୟାଗ କରି ମନର ପ୍ରବୃତ୍ତିକୁ କାବୁକୁ ଆଣିବା । ସନ୍ଥ କହିଥିଲେ ଯେ ଆନ୍ତରିକ ସ୍ଥିତି ହିଁ ବାହ୍ୟ ସ୍ଥିତିର ତେଜକୁ ପ୍ରକଟ କରେ । ଘରେ ଦୀପ ଜାଳିଲେ ଯେମିତି ଝରକା ପଟୁ ତାର ଆଲୁଅ ଜଣାପଡ଼େ ଠିକ୍ ସେମିତି ଅନ୍ତର ସ୍ବଚ୍ଛ ଥିଲେ ବାହାର ମଧ୍ୟ ସୁନ୍ଦର ଦେଖାଯିବ । ଯେମିତିକି ବ୍ୟବହାରରୁ ଜଣାପଡିଯାଏ ବ୍ୟକ୍ତିଙ୍କ ସ୍ବଭାବ କେମିତି ହୋଇଥିବ । ଡ୍ରାମାର ବ୍ୟବହାର ଭିନ୍ନ ହୋଇଥାଏ ଯାହା ଜଣାପଡିଯାଏ । ଯଦି ମୁଁ ସାଧୁବାଣୀ ଦେଇ ଟଙ୍କା ନେବି ତୁମ ମାନସିକତାରେ ପରିବର୍ତ୍ତନ କେବେ ଆସିବନି । ଯେଉଁ ଦିନ ସାଧୁ ଟଙ୍କା ମାଗିବା ଆରମ୍ଭ କରିବ ସେଦିନ ସବୁ କିଛି ପରିବର୍ତ୍ତନ ହୋଇଯିବ ।’ ପ୍ରେମାନନ୍ଦ ମହାରାଜଙ୍କ ଏହି ସାଧୁବାଣୀକୁ ଶ୍ରଦ୍ଧାଳୁ ଏବେ ଆଇଆଇଟିଆନ୍ ବାବାଙ୍କ ସହ ଯୋଡୁଛନ୍ତି ଏବଂ ସନ୍ଥ ବାବାଙ୍କ ପୋଲ୍ ଖୋଲିଥିବା କଥା କହୁଛନ୍ତି ।
ଏଠାରେ ଆପଣଙ୍କୁ କହିରଖୁଛୁ ଯେ ଆଇଆଇଟି ବାବାଙ୍କୁ ପୁଲିସ ଜୟପୁରର ଏକ ହୋଟେଲରୁ ଗିରଫ କରିଥିଲା । ସୋସିଆଲ୍ ମିଡିଆରେ ଲାଇଭ୍ ସୁଇସାଇଡ୍ କରିବାକୁ ଧମକ ଦେଉଥିବା ଅଭିଯୋଗକୁ କେନ୍ଦ୍ର କରି ପୁଲିସ ବାବାଙ୍କୁ ଗିରଫ କରିଥିଲା । ପୁଲିସର କହିବାନୁସାରେ , ବାବାଙ୍କ ବ୍ୟାଗରୁ ଦେଢ ଗ୍ରାମର ଗଞ୍ଜେଇ ପୁଡିଆ ମିଳିଥିଲା ।