କନକ ବ୍ୟୁରୋ : ସନାତନ ଧର୍ମ ତଥା ଆଧ୍ୟାତ୍ମିକତାର ଦେଶ ଭାରତରେ ପ୍ରତିଦିନ କିଛି ନା କିଛି ଅଲୌକିକ ଘଟଣା ଘଟେ ଯାହା ଇଶ୍ବରଙ୍କ କୃପାକୁ ଆହୁରି ମଜଭୁତ କରେ । ଯେଉଁଥିପାଇଁ ବିଦେଶୀ ମଧ୍ୟ ଭାରତଭୂମିକୁ ଆସିବାକୁ ପସନ୍ଦ କରନ୍ତି ଏବଂ ଭାରତର ପରମ୍ପରା, ସଂସ୍କୃତିର ପ୍ରେମରେ ବାନ୍ଧି ହୋଇ ଏଇଠି ହିଁ ବସବାସ କରନ୍ତି । ଭାରତ ଯେଉଁଠି ମୂର୍ତ୍ତିଠାରୁ ଆରମ୍ଭ କରି ଜୀବଜନ୍ତୁ , ବୃକ୍ଷ,ନଦୀ ଆଦିକୁ ମଧ୍ୟ ପୂଜା କରାଯାଏ । ଠିକ୍ ସେପରି ଜୀବଜନ୍ତୁ ମଧ୍ୟ ଈଶ୍ବରଙ୍କୁ ପ୍ରାର୍ଥନା କରିଥା’ନ୍ତି । ଆପଣ ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ଜୀବଜନ୍ତୁମାନେ ମନ୍ଦିର ବାହାରେ କିମ୍ବା କେଉଁ ଦେବସ୍ଥଳୀରେ ଠାକୁରଙ୍କୁ ମୁଣ୍ଡିଆ ମାରୁଥିବାର ନଜର ଆସିଥିବେ । ବର୍ତ୍ତମାନ ସେମିତି ହିଁ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯାହା ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଛି । 

Advertisment

ମୁଖ ଅଶ୍ବ , ଶରୀର ମନୁଷ୍ୟ : ଏହି ଦେବତାଙ୍କ ନାଁ କ’ଣ ?

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟି ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାର ନାନ୍ଦପୁର ଗାଁରୁ ଆସିଛି । ସେଠାକାର ଏକ ପ୍ରାଚୀନ ମନ୍ଦିରରେ ଗୋଟିଏ କୁକୁର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଦାବି କରାଯାଉଛି ଯେ ଭାଇରାଲ୍ ହେଉଥିବା ଏହି କୁକୁରଟି ବିନା ଖାଦ୍ୟ ଏବଂ ପାଣିରେ ଲଗାତାର ପାଞ୍ଚ ଦିନ ଅର୍ଥାତ ୧୨୦ ଘଣ୍ଟା ପର୍ଯ୍ୟନ୍ତ ପ୍ରଭୁ ହନୁମାନ ଏବଂ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ପରିକ୍ରମା କରିଥିଲା । ବର୍ତ୍ତମାନ ଏହି କୁକୁରକୁ "ଚମତ୍କାରୀ କୁକୁର" ବୋଲି କହି ଆଖପାଖର ଗାଁର ଲୋକମାନେ ଦୂରଦୂରାନ୍ତରୁ ଏହାକୁ ପୂଜା କରିବାକୁ ଆସୁଛନ୍ତି । ଗାଁ ଲୋକଙ୍କ କହିବା ଅନୁସାରେ କୁକୁରଟି ଗତ ପାଞ୍ଚ ଦିନ ଧରି ମନ୍ଦିର ପରିସରରେ ଥିବା ମୂର୍ତ୍ତିର ପରିକ୍ରମା କରୁଥିଲା । ତେବେ ବିନା ଖାଦ୍ୟ ଏବଂ ପାଣିରେ ପରିକ୍ରମା କରୁଥିବାରୁ କୁକୁରଟି କ୍ଳାନ୍ତ ଏବଂ ଦୁର୍ବଳ ହୋଇ ଚେତାଶୂନ୍ୟ ହୋଇଯାଇଥିଲା । କୁକୁର ବିଷୟରେ ପୂଜକ ମନ୍ଦିର କମିଟିକୁ ସୂଚନା ଦେଇଥିଲେ । ଯାହାପରେ ମନ୍ଦିର କମିଟି ସମ୍ମାନର ସହିତ ତାକୁ ଏକ ଗଦି ଉପରେ ଶୁଆଇ କମ୍ବଳ ଘୋଡ଼ାଇ ଦେଇଥିଲେ । ତେବେ ଏହି ଖବର ସମଗ୍ର ଅଞ୍ଚଳରେ ଝଡ଼ ପରି ବ୍ୟାପିଗଲା ଏବଂ ମନ୍ଦିରରେ ଲୋକଙ୍କ ଭିଡ଼ ଜମିବାକୁ ଲାଗିଲା । ବିନା ଉତ୍ସବରେ ମନ୍ଦିରରେ ଯେମିତି ଉତ୍ସବର ପରିବେଶ ସୃଷ୍ଟି ହେଲା । ଆଶ୍ଚର୍ଯ୍ୟର କଥା ମନ୍ଦିରରେ ଏକାଠି ହୋଇଥିବା ଭକ୍ତଙ୍କ ଭିଡ଼ ଏବେ ଠାକୁରଙ୍କ ସହିତ ଏହି କୁକୁରକୁ ମଧ୍ୟ ପୂଜା କରୁଛନ୍ତି । ଭକ୍ତମାନେ କୁକୁରକୁ ପ୍ରଣାମ କରି ପ୍ରସାଦ ଅର୍ପଣ କରୁଛନ୍ତି ଏବଂ ନୈବେଦ୍ୟ ଭାବରେ ଟଙ୍କା ମଧ୍ୟ ଦେଉଛନ୍ତି । ଲୋକମାନେ କହୁଛନ୍ତି ଯେ ଏହି କୁକୁର ଉପରେ ଭଗବାନଙ୍କ ଦିବ୍ୟ ଆଶୀର୍ବାଦ ରହିଛି ତେଣୁ ଲୋକେ କୁକୁରକୁ ପୂଜା କରୁଛନ୍ତି ।  

ତେବେ ୫ ଦିନ ପରିକ୍ରମା ଏବଂ ଲଗାତାର ପେଟ ଖାଲି ରହିବା ଯୋଗୁଁ କୁକୁରଟିର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି । ଏମିତିକି ପାଖରେ କ୍ଷୀର ଏବଂ ରୁଟି ଦେଲେ ମଧ୍ୟ କୁକୁରଟି କିଛି ଖାଉନାହିଁ । ତା'ର ଅବସ୍ଥା ଖରାପ ହେଉଥିବା ଦେଖି ପଶୁଚିକିତ୍ସକଙ୍କୁ ଗ୍ରାମବାସୀ ଡକାଇ ଚିକିତ୍ସା କରାଉଛନ୍ତି । ଡାକ୍ତର କହୁଛନ୍ତି ଯେ କିଛି ଖାଇନଥିବା କାରଣରୁ କୁକୁର ଦେହରେ ପାଣି ଏବଂ ଖଣିଜ ପଦାର୍ଥର ଅଭାବ ଦେଖାଦେଇଛି । ଜୀବନ ବଞ୍ଚାଇବା ପାଇଁ ଏବେ ତାକୁ ଗ୍ଲୁକୋଜ୍, ମଲ୍ଟି-ଭିଟାମିନ୍ ଡ୍ରିପ୍ସ ଏବଂ ଫ୍ରୁଟ୍ ଜୁସର ଚିକିତ୍ସା ଦିଆଯାଉଛି ଯାହା ଦ୍ୱାରା ତାକୁ ଆବଶ୍ୟକୀୟ ପୁଷ୍ଟିକର ପଦାର୍ଥ ଯୋଗାଇ ଦିଆଯାଇପାରିବ ।" ଏହି ଖବର ବ୍ୟାପିବା ପରେ ଖାଲି ଭକ୍ତଙ୍କ ଗହଳି ନୁହେଁ ମନ୍ଦିର ବାହାରେ ମଧ୍ୟ ମେଳା ଭଳି ଜିନିଷ ବିକ୍ରୟ ହେଉଛି । ତେବେ ବର୍ତ୍ତମାନ ମନ୍ଦିରରେ ବିଶ୍ୱାସ ଏବଂ ଅନ୍ଧବିଶ୍ୱାସ ମଧ୍ୟରେ ଏକ ସୂକ୍ଷ୍ମ ରେଖା ଝାପ୍ସା ଦେଖାଯାଉଛି । ବିଜ୍ଞାନ ଏହାକୁ କୁକୁରର ଶାରୀରିକ ଅବସ୍ଥା ଏବଂ ଅସୁସ୍ଥତାକୁ ଦାୟୀ କରୁଥିବା ବେଳେ ଭକ୍ତଙ୍କ ଭିଡ଼ ଏହାକୁ ଏକ ଚମତ୍କାର ବୋଲି କହୁଛି । ଆଉ ସୋସିଆଲ୍ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।