କନକ ବ୍ୟୁରୋ : ସନାତନ ଧର୍ମରେ ଆଦିଶକ୍ତିଙ୍କୁ ସର୍ବ ଶକ୍ତିର ଆଧାର ବୋଲି କୁହାଯାଏ । ଆଦିଶକ୍ତିଙ୍କ ଅଂଶ ୧୦ ମହାବିଦ୍ୟାମାନଙ୍କୁ ପୂଜା କରି ଆରାଧନା କରାଯାଏ । ଏହି ୧୦ ମହାବିଦ୍ୟାମାନଙ୍କ ମଧ୍ୟରେ ମା’ତାରା,ମା’ ତ୍ରିପୂର ସୁନ୍ଦରୀ,ମା’ ଭୁବନେଶ୍ବରୀ , ମା’ ଛିନ୍ନମସ୍ତା, ମା’ କାଳୀ, ମା’ ତ୍ରିପୁରା ଭୈରବୀ, ମା’ ଧୁମାବତୀ, ମା’ ବାଗଳାମୁଖୀ, ମା ମାତାଙ୍ଗି, ଏବଂ ମା କମଲା । ମହାବିଦ୍ୟାଙ୍କ ଷଷ୍ଠ ସ୍ଥାନରେ ଦେବୀ ଛିନ୍ନମସ୍ତା ପୂଜା ପାଇଥା’ନ୍ତି । ପଞ୍ଚାଙ୍ଗ ଅନୁସାରେ ବୈଶାଖ ମାସରେ ମା’ ଛିନ୍ନମସ୍ତାଙ୍କ ଜୟନ୍ତୀ ପାଳନ ହୁଏ । ସେହିଭଳି ଗୁପ୍ତ ନବରାତ୍ରୀ ସମୟରେ ମଧ୍ୟ ଦେବୀଙ୍କୁ ଆରାଧନା କରାଯାଏ । ହିନ୍ଦୁ ଧର୍ମରେ ମା’ଙ୍କୁ ସର୍ବସିଦ୍ଧି ପୂର୍ଣ୍ଣ କରୁଥିବା ମା’ ଅଧିଷ୍ଠାତ୍ରୀ ଦେବୀ ବୋଲି କୁହାଯାଏ । ମା’ଙ୍କ ପୂଜା ଶ୍ରଦ୍ଧାପୂର୍ବକ କଲେ ସାଧକଙ୍କ ମନୋସ୍କାମନା ପୂରଣ ହୋଇଥାଏ । ତେବେ ବିକଟାଳ ଦିଶୁଥିବା ମା’ ଏହି ରୂପ କାହିଁକି ଧାରଣ କରିଥିଲେ ଆସନ୍ତୁ ଜାଣିବା । 

Advertisment

ମସ୍ତକରେ ଅଗ୍ନି , କଙ୍କାଳର ଶରୀର : କାହିଁକି ମା’ ପାର୍ବତୀ ଧରିଥିଲେ ଚାମୁଣ୍ଡା ରୂପ ?

କିମ୍ବଦନ୍ତୀ କୁହେ ଯେ ମା’ଭଗବତୀ ଥରେ ମନ୍ଦାକିନୀ ନଦୀ ତଟରେ ନିଜ ସହଚରୀଙ୍କୁ ଧରି ସ୍ନାନ,ଧ୍ୟାନ ଏବଂ ବିଚରଣ କରୁଥିଲେ । ଇତ୍ୟ ସମୟରେ ସହଚରୀଙ୍କୁ ପ୍ରବଳ ଭୋକ ହେଲା । କ୍ଷୁଧା ଏତେ ତୀବ୍ର ହେଲା ଯେ ଦୁଇ ସହଚରୀଙ୍କ ମୁଖମଣ୍ଡଳ ମଳିନ ପଡ଼ିବାକୁ ଲାଗିଲା । ଆଖପାଖରେ ଯେତେବେଳେ ସେମାନେ କିଛି ଖାଇବାକୁ ପାଇଲେ ନାହିଁ ସେତେବେଳେ ଦେବୀ ଭଗବତୀଙ୍କୁ ଦୁହେଁ ଗୁହାରୀ କଲେ ଯେ ହେ ଦେବୀ କ୍ଷୁଧା ପ୍ରବଳ ଆମ ପାଇଁ ଭୋଜନର ବ୍ୟବସ୍ଥା କର । ମା’ ତ କରୁଣାମୟୀ , ଉଗ୍ର ହେଲେ ବି ତା’ ମାତୃତ୍ବର କରୁଣାରେ ସାରା ଜଗତର କ୍ଷୁଧା ମେଣ୍ଟେ । ସହଚରୀଙ୍କ ଆକୁଳ ନିବେଦନ ଶୁଣି କେମିତି ବା ତା’ ମମତା ଜାଗ୍ରତ ହୋଇନଥା’ନ୍ତା । ମା’ ଭଗବତୀ ଦୁଇ ସହଚରୀଙ୍କ ପାଇଁ ତୁରନ୍ତ ସ୍ବୟଂ ଖଣ୍ଡାରେ ନିଜ ଶିର ଛେଦନ କଲେ । ମା’ଙ୍କ କଟାମୁଣ୍ଡ ତାଙ୍କ ବାମ ହସ୍ତରେ ଯାଇ ପଡ଼ିଲା । ଏବଂ ଶିରରୁ ତିନୋଟି ରକ୍ତ ଧାରା ପ୍ରବାହିତ ହେଲା । ଦୁଇଟି ଧାରାରୁ ତାଙ୍କ ଦୁଇ ସହଚରୀ ଏବଂ ତୃତୀୟ ଧାରାରୁ ସ୍ବୟଂ ମା’ ରକ୍ତପାନ କରିଥିଲେ । ଦେବୀଙ୍କ ଏହି ରୂପ ତ ଭୟଙ୍କର ଥିଲା କିନ୍ତୁ ରୂପ ଧାରଣ ପଛର କଥା ଅତ୍ୟନ୍ତ ମର୍ମସ୍ପର୍ଶୀ । କେମିତି ମା’ ନିଜ ସନ୍ତାନଙ୍କ ପାଇଁ ନିଜକୁ ବଳିଦାନ ଦେବାକୁ ପଛାଏ ନାହିଁ ଏହାହିଁ ଥିଲା ଦେବୀଙ୍କ ଛିନ୍ନମସ୍ତା ରୂପ ନେବାର ସାରମର୍ମ । 

ତନ୍ତ୍ର ମନ୍ତ୍ର ସାଧକଙ୍କ ପାଇଁ ଗୁପ୍ତ ନବରାତ୍ରି ଅବସରରେ ମା’ଙ୍କ ଏହି ରୂପକୁ ଆରାଧନା କରିବା ଦ୍ବାରା ବିଶେଷ ଫଳ ମିଳିଥାଏ ବୋଲି ମାନ୍ୟତା ରହିଛି । ଭକ୍ତମାନେ ଦେବୀଙ୍କୁ ଚିନ୍ତାପୂର୍ଣ୍ଣି ମଧ୍ୟ ଡାକନ୍ତି କାରଣ ଦେବୀ ସବୁ ଚିନ୍ତାରୁ ନିଜ ଭକ୍ତଙ୍କୁ ଦୂରେଇ ଥାଆନ୍ତି । ବିଶ୍ୱାସ କରାଯାଏ ଯେ ଯେଉଁ ଭକ୍ତ ମା’ଙ୍କୁ ଭକ୍ତିଭାବ ଏବଂ ବିଶ୍ବାର ସହ ମନ୍ଦିରରେ ଆରାଧନା କରେ ଦେବୀ ଛିନ୍ନମସ୍ତା ଭକ୍ତର ମନସ୍କାମନାକୁ ନିଶ୍ଚିତ ଭାବରେ ପୂରଣ କରନ୍ତି ଏବଂ ଅଭୟ ବର ପ୍ରଦାନ କରନ୍ତି ।