କନକ ବ୍ୟୁରୋ: ବାତ୍ୟା ଯେତେ ପାଖେଇ ଆସୁଛି ତାର ପ୍ରଭାବ ସେତେ ଅଧିକ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱରରେ ବି ବାତ୍ୟାର ପ୍ରଭାବରେ ସକାଳୁ ଅଳ୍ପ ବହୁତ ବର୍ଷା ଲାଗି ରହିଥିଲା । ଏହାପରେ ଅଚାନକ ଅପରାହ୍ଣରେ ରାଜଧାନୀକୁ ଢାଙ୍କି ଦେଇ କଳା ବାଦଲ । କଳା ମେଖ ବାଦଲରେ ଅନ୍ଧାର ହୋଇଛି ପୂରା ଭୁବନେଶ୍ୱର । ବାତ୍ୟା ମୋନ୍ଥା ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ ।
ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କଳାବାଦଲ ଢାଙ୍କି ରଖିଛି । ପୂର୍ବରୁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି । କେନ୍ଦ୍ରାପଡ଼ାରେ ବି ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ବର୍ଷାରେ ରାଜନଗର ପେଣ୍ଠ ସମୁଦ୍ର କୂଳରେ ଦବିଗଲା ପଥରବନ୍ଧ । ବାତ୍ୟା ମୋନ୍ଥା ପ୍ରଭାବରେ ଉଠୁଛି ଉଚ୍ଚଉଚ୍ଚ ଜୁଆର । ଜୁଆର ମାଡ଼ରେ ପୂରା ୫ ଫୁଟ୍ ଦବିଗଲା ପଥରବନ୍ଧ । ସମୁଦ୍ର ନିକଟକୁ ଯିବା ଲାଗି ଲୋକଙ୍କୁ ବାରଣ କରାଯାଇଛି । ଘନଘନ ଜୁଆର ମାଡ଼ ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଏହି ପଥର ବନ୍ଧ ରାଜନଗରକୁ ସୁରକ୍ଷା ଦେଇଥାଏ । ଏବେ ପଥର ବନ୍ଧ ଦବିବା ପରେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।
ଏହା ବି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ; ବାତ୍ୟା ଟଳିବାର ୪୮ ଘଣ୍ଟା ମଧ୍ୟରେ କରାଯିବ ବିଦ୍ୟୁତ୍ ସଂଯୋଗ
ଖାଲି ବର୍ଷା ନୁହେଁ, ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଅନେକ ଟ୍ରେନ୍ ବି ବାତିଲ କରାଯାଇଛି । ଫଳରେ ରାୟଗଡ଼ାରେ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀମାନେ । ଅଚାନକ ଟ୍ରେନ୍ ବାତିଲ ହେବାପରେ ଅସନ୍ତୋଷ ଝାଡ଼ିଲେ ଯାତ୍ରୀ । ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ୩ ଜିଲ୍ଲାକୁ ଆଲର୍ଟରେ ରହିବାକୁ କୁହାଯାଇଛି । ଏବେ ବାତ୍ୟା ମୋନ୍ଥାର ଆହୁରି ଧୀର ହେବାରେ ଲାଗିଛି । ଏବେ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରୁଛି ଭୀଷଣ ବାତ୍ୟା ମୋନ୍ଥା । ଏବେ ମଚ୍ଛଲିପଟନମ୍ ଠାରୁ ୧୬୦ କିମି ଦୂରରେ ରହିଥିବା ବେଳେ କାକିନାଡ଼ାରୁ ୨୪୦ କିମି ଦୂରରେ ରହିଛି ବାତ୍ୟା ମୋନ୍ଥା । ସେହିଭଳି ବିଶାଖାପାଟନମ୍ଠାରୁ ୩୨୦ କିମି ଓ ଗୋପାଳପୁରଠାରୁ ୫୩୦ କିମି ଦୂରରେ ରହିଛି ।
ବାତ୍ୟା ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ସବୁ ଜିଲ୍ଲାରେ ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି । ବାତ୍ୟାରେ ଶୂନ୍ୟ ମୃତାହତ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାରି ଆଜି ବାତ୍ୟା ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାତ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଓଡ଼ିଶା, ଆନ୍ଧ୍ର ଓ ତେଲେଙ୍ଗାନାରେ ବ୍ୟାପକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ତିନି ରାଜ୍ୟରେ ବିଶେଷ ଦୃଷ୍ଟି ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଯାତ୍ରୀଙ୍କ ଅସୁବିଧା ଦୂର କରିବା ପାଇଁ ବ୍ୟବସ୍ଥା କରିବାକୁ ଗୁରୁତ୍ୱ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/28/20-bhubaneswar-2025-10-28-15-49-30.jpg)