କନକ ବ୍ୟୁରୋ: ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ୍‌ ହେବାପୂର୍ବରୁ ସମୁଦ୍ର କରାଳ ରୂପ ଧାରଣ କରିଛି । ଆନ୍ଧ୍ରର କାକିନାଡ଼ାରେ ସମୁଦ୍ରରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଛି । ୧୦ ବର୍ଷର ନାବାଳକ ନିଜ ମାମୁଙ୍କ ସହ ଏକ ବାଇକ୍‌ରେ ଯିବା ବେଳେ ଅଚାନକ ପାଣିକୁ ଖସି ପଡ଼ିଥିଲେ । ଏହାପରେ ତାଙ୍କୁ ଖୋଜାଖୋଜି ଜାରି ରହିଛି । ନାବାଳକ ଜଣକଙ୍କୁ ଖୋଜିବା ପହଞ୍ଚିଛି ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ପ୍ରବଳ ପବନ ଭିତରେ ବି ତ୍ୱରିତ ଭାବରେ ସନ୍ଧାନ କାର୍ଯ୍ୟ ଚାଲିଛି । 

Advertisment

ଜଣେ ବ୍ୟକ୍ତି ଏକ ବ୍ରିଜ୍‌ ପାର୍‌ କରିବା ସମୟରେ ରାସ୍ତା ଉପରେ ପାଣି ଚାଲିଥିଲା । ତେବେ ରାସ୍ତା ଉପରେ କେତେ ପାଣି ଚାଲିଛି ତାହା ଜାଣି ପାରିନଥିଲେ ବ୍ୟକ୍ତି ଜଣକ । ଅଚାନକ ବାଇକ୍‌ରୁ ତାଙ୍କ ଭଣଜା ଖସି ପଡ଼ିଥିଲେ । ଏହାପରେ ସେ ନିଖୋଜ ଅଛନ୍ତି । ସକାଳ ୧୦ଟାରୁ ନାବାଳକ ଜଣକ ନିଖୋଜ ଅଛନ୍ତି । ଏହି ପାଣି ସିଧା ସଳଖ ସମୁଦ୍ରରେ ମିଶୁଛି ତେଣୁ ପିଲାଟି ସମୁଦ୍ରକୁ ଭାସି ଯାଇଥିବା ଆଶଙ୍କା କରାଯାଉଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହାକୁ ନେଇ ଏନ୍‌ଡିଆର୍‌ଏଫ୍‌ ଟିମ୍ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନି । ସେପଟେ ଛୁଆଟିକୁ ଅପେକ୍ଷା କରି ବସିଛନ୍ତି ପରିବାର ଲୋକେ । 

ଏହା ବି ପଢ଼ନ୍ତୁ: ଆଉ କିଛି ସମୟ ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା: ମଚ୍ଛଲିପଟ୍ଟନମଠୁ ୭୦ କିମି, ଗୋପାଳପୁରଠୁ ୪୮୦ କିମି କିମି ଦୂରରେ ଘନୀଭୂତ

ବାତ୍ୟାର ପ୍ରଭାବ ଥିବାରୁ ବାରମ୍ବାର ସରକାର ଓ ପ୍ରଶାସନ ପକ୍ଷରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିଲା । ଏହା ସହିତ ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରିବାକୁ ବି ମନା କରାଯାଇଥିଲା । ବାତ୍ୟା ମୋନ୍ଥାର ପ୍ରଭାବ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ଦେଖିବାକୁ ମିଳିଛି । 

ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ । ବର୍ତ୍ତମାନ ମଚ୍ଛଲିପଟ୍ଟନମ ଠାରୁ ୧୦୦କିଲୋମିଟର, କାକିନାଡାଠୁ ୧୮୦କିମି, ଗୋପାଳପୁରଠୁ ୫୦୦ କିମି ଦୂରରେ ଘନୀଭୂତ ରହିଛି ମୋନ୍ଥା । ମୋନ୍ଥା ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ଆନ୍ଧ୍ରର ୩୦ଟି ବିଧାନସଭା କ୍ଷେତ୍ରରେ ବର୍ଷା ହୋଇଛି ।

ବାତ୍ୟା ମୋନ୍ଥାର ପ୍ରଭାବରେ ଆଜି(ମଙ୍ଗଳବାର) ଓ ଆସନ୍ତାକାଲି(ବୁଧବାର) ପ୍ରବଳ ବର୍ଷା ହେବାକୁ ଥିବା ବେଳେ ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ ରହିବ । ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରିରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ଏହି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି । ସେହିଭଳି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଜିଲ୍ଲାରେ ବି ପ୍ରବଳରୁ ଅତି ପ୍ରବଳ ଵର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି  ୧୯ ଜିଲ୍ଲା ଯେପରିକି ନୂଆପଡା ବଲାଙ୍ଗୀର ସୋନପୁର ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ଼, ଝାରସୁଗୁଡା, ଦେଓଗଡ, କେନ୍ଦୁଝର , ମୟୁରଭଞ୍ଜ, ସୁନ୍ଦରଗଡ, କଟକ, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ  ବାଲେଶ୍ୱର ଜିଲ୍ଲାରେ ପ୍ରବଳ  ବର୍ଷା  ନେଇ ଏଲି  ବର୍ଣ୍ ଜାରି ହୋଇଛି ।