କନକ ବ୍ୟୁରୋ: ରାସ୍ତାରେ ଯିବା ବେଳେ ଅନେକ ସମୟରେ ଆମେ ଟୋଲଗେଟ୍‌ରେ ଟଙ୍କା ଦିଅନ୍ତି । ପରେ ପରେ ଟୋଲଗେଟ୍‌ ଖୋଲିବା ପରେ ଆମେ ଗାଡ଼ି ନେଇ ଆଗକୁ ବଢନ୍ତି । ବେଳେବେଳେ ଅଭିଯୋଗ ଆସେ କି, ଟୋଲଗେଟ୍‌ରେ ଘଂଟା ଘଂଟା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁଛି । ହେଲେ ତାହାର ସମାଧାନ କରିବା ଲାଗି ଅନେକ ନିୟମ କରିଛି ପରିବହନ ବିଭାଗ । ଖାଲି ଏତିକି ନୁହେଁ ବରଂ ଟୋଲଗେଟ୍‌ରେ ଟଙ୍କା ନଦେବାକୁ ଯାଇ ଅନେକ ନିୟମ ଭାଙ୍ଗିଥିବା ଦୃଶ୍ୟ ବି ସାମ୍ନାକୁ ଆସିଛି । ହେଲେ ହରିୟାଣାରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ଟୋଲଗେଟ୍‌ରେ ଟଙ୍କା ବଂଚାଇବାକୁ ଯାଇ ହରିୟାଣା ସରକାରୀ ବସ୍‌ର ଡ୍ରାଇଭର ଜଣକ ଜଣେ ଟୋଲ କର୍ମଚାରୀଙ୍କୁ ଗାଡ଼ି ଚଢାଇ ଦେଇଥିବା ନଜିର ରହିଛି । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହେବା ପରେ ଚର୍ଚ୍ଚା ବଢିଛି । 

Advertisment

ସୀମା ଟପିଲେ ସରକାରୀ ବସ୍‌ ଡ୍ରାଇଭର
ଟୋଲକର୍ମୀଙ୍କ ଉପରେ ଚଢାଇ ଦେଲେ ଗାଡ଼ି

ସରକାରୀ ବସ୍‌ ଡ୍ରାଇଭରଙ୍କ ଏମିତି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ କିଛି ଟଙ୍କା ବଞ୍ଚାଇବାକୁ ଯାଇ ଜଣେ ବସ ଡ୍ରାଇଭର ଜଣଙ୍କ ଉପରେ ଗାଡ଼ି ଚଢାଇ ଦେବାକୁ ବି ପଛାଇଲେନି । ଗାଡି ଚଢିଯିବାରୁ ଟୋଲ୍‌ କର୍ମଚାରୀ ସାଙ୍ଘାତିକ ଆହତ ବି ହୋଇଛନ୍ତି । ଚିକିତ୍ସା ଲାଗି ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ଜଣାପଡ଼ିବା ପରେ ଟୋଲ କମ୍ପାନୀ କର୍ତ୍ତୃପକ୍ଷ ସିସିଟିଭିର ପୁରା ଭିଡ଼ିଓ ପ୍ରସାରଣ କରିଛନ୍ତି । ଯେଉଁଥିରେ ଦେଖାଯାଉଛି କି, ପ୍ରଥମେ ଏକ କାର ଛିଡ଼ା ହୋଇଛି । ହଠାତ୍‌ ଟୋଲରେ ଉପସ୍ଥିତ ଥିବା କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ପରେ କାର୍‌ ଯାଇଥିଲା । ହେଲେ ଏତିକି ବେଳେ ରାସ୍ତା କଡରେ ଛିଡ଼ା ହୋଇଥିବା ଟୋଲ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ କାର ପଛରେ ଥିବା ସରକାରୀ ବସର ଡ୍ରାଇଭର । ଅବଶ୍ୟ ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ହୋହଲ୍ଲା କରିଥିଲେ । ହେଲେ ଏଥିରେ ବିଚଳିତ ନହୋଇ ଗାଡ଼ି ନେଇ ଆଗକୁ ପଳାଇଯାଇଥିଲେ ସଂପୃକ୍ତି ଡ୍ରାଇଭର । କେମିତି ଜଣେ ଡ୍ରାଇଭର ଏମିତି ଅମାନବୀୟ କାଣ୍ଡ କଲେ ସେନେଇ ପୁରା ରାଜ୍ୟରେ ଚର୍ଚ୍ଚା ଜୋର । 

ପୁରା ଘଟଣା ଜଣାପଡ଼ିବା ପରେ, ସଂପୃକ୍ତ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ବି ହୋଇଛି । ପୋଲିସ ପଚରାଉଚରା ବି କରୁଛି । ହେଲେ ଜଣେ ଡ୍ରାଇଭର  ଏମିତି କାଣ୍ଡ ଭିଆଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରାଯାଇଛି । ମୋଟ୍‌ ଉପରେ, ଜାଣିଶୁଣି ଜଣଙ୍କୁ ଜୀବନରୁ ମାରିଦେବାର ଉଦ୍ୟମ ହୋଇଥିବାରୁ ମର୍ଡର କେସ୍‌ କରାଯିବା ନେଇ ଦାବି ହୋଇଛି । ହେଲେ ପୋଲିସ କେଉଁ ମାମଲା ରୁଜୁ କରି ତଦନ୍ତ କରୁଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହେଲେ ମାମଲା ଗମ୍ଭୀର ଥିବାରୁ ତୁରନ୍ତ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏବେ କେବଳ ଅପେକ୍ଷା ତଦନ୍ତ ରିପୋର୍ଟକୁ ।