ହୋଲିରେ ହତ୍ୟା : ସରକାରଙ୍କୁ ଏକାଠି ଘେରିଲେ ବିଜେଡି-କଂଗ୍ରେସ

ଜେଡି ନେତା ଅରୁଣ ସାହୁ କହିଛନ୍ତି, ସ୍ମାର୍ଟ ସିଟିରେ ସ୍ମାର୍ଟ ମର୍ଡର ହେଲା। ମହାନିଗର ନିଗମରେ ହତ୍ୟା ହେଲା । ହୋଲି ପୂର୍ବରୁ ପୋଲିସ କହିଥିଲା ଆମେ ସଂପୂର୍ଣ୍ଣ ପ୍ରସ୍ତୁତି କରିଛୁ

Arun Sahoo Target Govt 1

Arun Sahoo Target Govt 1 Photograph: (kanak News)

କନକ ବ୍ୟୁରୋ: ହୋଲିରେ ରାଜନୀତିରେ ହତ୍ୟା ଘଟଣା । ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କଲେ ବିରୋଧୀ । ଉଭୟ କଂଗ୍ରେସ ଓ ବିଜେଡି ସରକାରଙ୍କୁ କଲେ ସମାଲୋଚନା । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ନୂଆ ସରକାର ଏହି ୮ ମାସରେ ଆଇନଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିଦେଇଛି । ହୋଲିରେ ହତ୍ୟାକାଣ୍ଡ ହେଉଛି । ଭୁବନେଶ୍ୱର ପରି ସିଟି ଯାହା ହାଏ ସିକ୍ୟୁରିଟିରେ ରହୁଛି ବୋଲି କୁହାଯାଏ, ସେଠି ବି ହତ୍ୟା ହେଲା । ମାଆମାନେ ଏଇଠି ଅସୁରକ୍ଷିତ, ଶିଶୁ ମାଆ ହେଉଛନ୍ତି । ସରକାର ନାରୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ସହ ମୁଖ୍ୟମନ୍ତ୍ରୀ ନାରୀ ସୁରକ୍ଷା ପାଇଁ ଗୃହରେ ପ୍ରତିଶୃତି ଦେବା ଦରକାର। ଏହା ନହେବା ଯାଏଁ କଂଗ୍ରେସର ପ୍ରତିବାଦ ଜାରି ରହିବ । ଆସନ୍ତାକାଲି  ବିଧାନସଭାରେ କଂଗ୍ରେସ ଏ ପ୍ରସଙ୍ଗ ଉଠାଇବ ।

ସେପଟେ, ବିଜେଡି ନେତା ଅରୁଣ ସାହୁ କହିଛନ୍ତି, ସ୍ମାର୍ଟ ସିଟିରେ ସ୍ମାର୍ଟ ମର୍ଡର ହେଲା। ମହାନଗର ନିଗମରେ ହତ୍ୟା ହେଲା । ହୋଲି ପୂର୍ବରୁ ପୋଲିସ କହିଥିଲା ଆମେ ସଂପୂର୍ଣ୍ଣ ପ୍ରସ୍ତୁତି କରିଛୁ । ଯଦି ଏତେ ପ୍ରସ୍ତୁତି ଥିଲା ତାହାଲେ କେମିତି ହତ୍ୟା ହେଲା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ଖାଲି ଏତିକି ନୁହେଁ ବରଂ ଦିନଦ୍ବିପ୍ରହରରେ ଏମିତି ହେଲେ ଲୋକେ ସୁରକ୍ଷିତ ତ? ବୋଲି ପ୍ରଶ୍ନ କରିଛନ୍ତି । 

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଲାଗି ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିଲା ଛାତିକୁ ଥରାଇ ଦେବା ଭଳି ଖବର । ଭୁବନେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ଅନୁଗୁଳରେ ଗଡିଛି ୫ ମୁଣ୍ଡ । 

ହୋଲି ଖେଳରେ ସମସ୍ତେ ମସଗୁଲ ଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି ଭୟଙ୍କର ହିଂସାକାଣ୍ଡ । ଭୁବନେଶ୍ବର ସହିଦ ନଗର ଶାନ୍ତିପଲ୍ଲୀ ବସ୍ତିର ଗୋପୀ ଗୁଣୀ ନାମକ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ୪ଜଣ ଯୁବକ  ଗୋପିଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେହିପରି ମଂଚେଶ୍ବର ଥାନା ସମେଇଗାଡିଆ ଅଂଚଳର ଆୟୁଷ୍ମାନ ପତି ନାମକ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାରୁ ଆୟୁଷ୍ମାନଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ସେପଟେ, ସମ୍ବଲପୁର ସାହୁ କଲୋନୀର ଆଦିତ୍ୟ ସାଲିମା ନାମକ ଯୁବକଙ୍କ ହତ୍ୟା କରାଯାଇଛି । ଘରୁ ଡାକି ଆଣି ସାହୁଲ ସିଂ ନାମକ ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଦିତ୍ୟଙ୍କ ହତ୍ୟା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଲାଗି ରହିଛି। 

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବ୍ରାହ୍ମଣ ସାହିରୁ ଆସିଛି ଆଉ ଏକ ବିଭତ୍ସ ହତ୍ୟାକାଣ୍ଡର ଖବର। ହୋଲି ଭୋଜି ବେଲେ ରାମଚନ୍ଦ୍ର ପାତ୍ର ନାମକ ଯୁବ ବ୍ୟବସାୟୀଙ୍କ ବିଭତ୍ସ ଭାବେ ହତ୍ୟା କରିଛନ୍ତି ତାଙ୍କ ପାଖରେ କାମ କରୁଥିବା ଯୁବକ । ହସ୍ପିଟାଲରେ ରାମଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି। ପୋଲିସ ଅଭିଯୁକ୍ତକୁ ପଚରାଉଚୁରା କରୁଛି। ସେହିପରି ଅନୁଗୁଳରେ ଜଣେ ଯୁବକଙ୍କୁ ଛୁରୀ ନୃଶଂସ ଭାବେ ହତ୍ୟା କରିଛି ଦୁର୍ବୃତ୍ତ। ତେବେ ରଂଗର ପର୍ବ ହୋଲିରେ ଦୁର୍ବୃତ୍ତମାନେ ଯେଉଁଭଳି ରକ୍ତରେ ହୋଲି ଖେଳିଛନ୍ତି ତାହା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଲାଗୁଛି, ଅପରାଧୀଙ୍କୁ ଆଉ ପୋଲିସର କି ଆଇନକାନୁନର ଭୟ ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe