କନକ ବ୍ୟୁରୋ: ବାପା…ଆମେ ଆକାଶ, ବିକାଶ କହୁଛୁ । ଆମେ କି ଦୋଷ କରିଥିଲୁ ତୁମର ? କାହିଁକି ଆମକୁ ମାରିଦେଲ ? ମାଆ ମରିଯିବା ପରେ ଆମକୁ ଯେତିକି କଷ୍ଟ ଲାଗିଥିଲା ତାହାଠାରୁ ଅଧିକ କଷ୍ଟ ଦେଇଛି ଯେଉଁଦିନ ତୁମେ ଆଉ ଜେଜେ ମାଆ ଆମକୁ ମାରି ଝୁଲେଇ ଦେଲ । ଅଣନିଶ୍ବାସୀ ହୋଇ ପଡୁଥିଲୁ…ଛାଡ଼ିଦିଅ ବୋଲି ଚିତ୍କାର କରୁଥିଲୁ । ହେଲେ ତୁମେ କି ଜେଜେ ମାଆ ଆମ କଥା କେହି ଶୁଣିଲନି । ଆମକୁ ମାରିଦେଲ । ସେତିକିରେ ମନଶାନ୍ତି ହେଲା ନାହିଁ ଯେ ମିଛରେ କହିଲ ତୁମ ବାହାଘର ପ୍ରସ୍ତାବ ଶୁଣି ଆମେ ଦୁଇ ଭାଇ କୁଆଡ଼େ ଆତ୍ମହତ୍ୟା କରିଥିଲୁ । ବାପା ତୁମେ ଯାହା ତ କଲକଲ ସେତିକିରେ ମନଶାନ୍ତି ହେଲା ନାହିଁ ଯେ ମାରିଦେଇ ମିଛ କହିଲ ? 

Advertisment

ଦର୍ଶକବନ୍ଧୁ ଦୁଇଭାଇ ସିନା ଏ ଦୁନିଆରେ ନାହାନ୍ତି ହେଲେ ସେପାରିରେ ଥାଇ ସେମାନଙ୍କ ଆତ୍ମା ଆଜି ନିଶ୍ଚୟ ଏମିତି କିଛି କହୁଥିବ । କାରଣ ବାପା ନିଜର କାଣ୍ଡ ଲୁଚାଇବାକୁ ଯେ କେତେ ତଳକୁ ଖସିଯାଇପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି । ନୟାଗଡ଼ ଧାନଚାଙ୍ଗଡ଼ା ଗାଁରେ ୨ ନାବାଳକଙ୍କ ରହସ୍ୟଜନକ ମୃତ୍ୟୁର ହୋଇଛି ବଡ଼ ଖୁଲାସା । ବାପାର ଦ୍ବିତୀୟ ବିବାହ ପାଇଁ ପିଲାଙ୍କ ଆତ୍ମହତ୍ୟା ନୁହେଁ ବରଂ ଦ୍ବିତୀୟ ବିବାହକୁ ବିରୋଧ କରିବାକୁ ଯାଇ ହତ୍ୟାର ଶିକାର ହୋଇଛନ୍ତି ୨ ଭାଇ । ଆଉ ଏଥିରେ ମାଷ୍ଟର ମାଇଣ୍ଡ ଥିଲେ ଜେଜେ ମାଆ ଓ ବାପା । 

ଯାହାକୁ ଦିନେ ଜନ୍ମ ଦେଇଥିଲେ…ପିଲାଦିନେ କାନ୍ଧରେ ବୁଲାଇଥିଲେ । ଭବିଷ୍ୟତକୁ ନେଇ କେତେ ସ୍ବପ୍ନ ଦେଖିଥିଲେ । ସେହି ଦୁଇ ପୁଅଙ୍କୁ ନିଜର ବାହାଘର ପାଇଁ ମାରିବାକୁ ହାତ ଗଲା କେମିତି । ପ୍ରଥମ ସ୍ତ୍ରୀ ଚାଲିଯିବା ପରେ ଦ୍ବିତୀୟ ବିବାହ କରିବାକୁ ଇଚ୍ଛା ଥିଲା । ହେଲେ ପିଲାଙ୍କ ମୁଣ୍ଡରେ ଅଠା ବୋଳି ସେମାନଙ୍କୁ ମାରିବାକୁ ପ୍ରକୃତ ପ୍ଲାନ ଥିଲା କାହାର ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ପ୍ରଥମେ ଯେବେ ଖବର ସାମ୍ନାକୁ ଆସିଥିଲା କି ବାପାର ବାହାଘର ଖବର ଶୁଣି ଦୁଇ ପିଲା ଆତ୍ମହତ୍ୟା କରିଛନ୍ତି ସେନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ହେଲେ ପୂରା ଘଟଣାର ତଦନ୍ତ ହେବା ପରେ ଯେଉଁ ସତ ସାମ୍ନାକୁ ଆସିଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । 

ମର୍ଡର ପ୍ଲାନର ମାଷ୍ଟରମାଇଣ୍ଡ ଥିଲେ
୪୦ ବର୍ଷୀୟା ବାପା, ୬୮ ବର୍ଷୀୟା ଜେଜେ ମାଆ
ଦୟାମାୟା ଭୁଲିଗଲେ, ଦୁଇ ପିଲାଙ୍କୁ ମାରିଦେଲେ

ନୟାଗଡ଼ର ଏ ଖବର ସାମ୍ନାକୁ ଆସିବା ପରେ ପୂରା ରାଜ୍ୟରେ ଚର୍ଚ୍ଚା ଚାଲିଥିଲା । ବାପାଙ୍କ ବାହାଘର ପାଇଁ ଦୁଇ ନାବାଳକ ପିଲା ଯେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଯିବେ ତାହାକୁ ସହଜରେ ଗ୍ରହଣ କରିପାରିନଥିଲା ପୋଲିସ କି ସ୍ଥାନୀୟବାସିନ୍ଦା । ଶେଷରେ ପୋଲିସ ତଦନ୍ତ କରିବା ପରେ ଅଭିଯୁକ୍ତ ବାପା ଓ ଜେଜେ ମାଆକୁ ବାନ୍ଧିଛି ପୋଲିସ । ଏବେ ଅପେକ୍ଷା କୋର୍ଟ ସେମାନଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରୁଛି ।