କନକ ବ୍ୟୁରୋ: ବିହାର ରାଜନୀତିକୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା। ପୂରା ଦେଶରେ ହୋଲିରେ ଯେବେ ସମସ୍ତେ ମସଗୁଲ ଥିଲେ ସେହି ସମୟରେ ବିହାରରୁ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଛି । କାରଣ ଲାଲୁଙ୍କ ପୁଅ ତଥା ଆରଜେଡିର ନେତା ତେଜପ୍ରତାପ ଯାଦବ ଜଣେ ପୋଲିସ କର୍ମଚାରୀଙ୍କୁ ନାଚିବାକୁ ବାଧ୍ୟ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖାଲି ଏତିକି ନୁହେଁ ବରଂ ଯଦି ନନାଚିବ ତେବେ ସସ୍‌ପେଣ୍ଡ ହେବ ବୋଲି କହିଛନ୍ତି । କିନ୍ତୁ ସର୍ବସାଧାରଣ ସ୍ଥାନରେ ଜଣେ ପୋଲିସ କର୍ମଚାରୀଙ୍କୁ ନେତା ଏମିତି କେମିତି କହିଲେ ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି ।

Advertisment

ବିହାରରେ ଦବଙ୍ଗଗିରି ରାଜନୀତି
ପୋଲିସ କର୍ମଚାରୀଙ୍କୁ ନେତାଙ୍କ ନାଲିଆଖି

ବିହାର ରାଜନୀତିକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଖାସ କରି ଏବେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ପୂରା ଦେଶର ନଜର ବିହାର ଉପରେ । ଏହାରି ଭିତରେ ହୋଲି ପାଇଁ ପୂରା ଭାରତ ଉତ୍ସବମୁଖର ଥିଲା । କେଉଁ ଦଳର ନେତା କେମିତି ହୋଲି ଖେଳୁଛନ୍ତି ସେନେଇ ବି ଚର୍ଚ୍ଚା ହେଉଥିଲା । ହେଲେ ତେଜପ୍ରତାପଙ୍କ ହୋଲି ଖେଳା ଏବେ ପ୍ରତିଟି ଗଣମାଧ୍ୟମର ଶିରୋନାମା ପାଲଟିଛି । କାରଣ ସର୍ବସାଧାରଣ ସ୍ଥାନରେ ସେ ଯେଉଁପରି ଭାବରେ ପୋଲିସ କର୍ମଚାରୀଙ୍କୁ ଧମକ ଦେଇଛନ୍ତି ତାହା ଅଶୋଭନୀୟ ଲାଗୁଛି । ସେଇଥି ଲାଗି ତ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । 

ଭାଇରାଲ ହେଉଥିବା ଫଟୋ ଓ ଭିଡ଼ିଓରେ ଦେଖିବାକୁ ମିଳିଛି କି, ତେଜପ୍ରତାପ ଲାଲୁ ଯାଦବଙ୍କ ଶୈଳୀରେ ଜଣେ ପୋଲିସ କର୍ମଚାରୀଙ୍କୁ ଡାକି ନାଚିବାକୁ କହୁଛନ୍ତି । ଯେଉଁ ଭିଡ଼ିଓଟି ସାମ୍ନାକୁ ଆସିଛି, ସେଥିରେ ସ୍ପଷ୍ଟ ଭାବରେ ଶୁଣାଯାଉଛି ଯେ ବିଧାୟକ ତେଜ ପ୍ରତାପ କନଷ୍ଟେବଳଙ୍କୁ ଡାକୁଛନ୍ତି, ଏ କନଷ୍ଟେବଳ, ଏ ଦୀପକ... ତା'ପରେ ସେ କନଷ୍ଟେବଳଙ୍କୁ କହୁଛନ୍ତି, ମୁଁ ଏକ ଗୀତ ବଜାଇବି ଏବଂ ତୁମେ ସେଥିରେ ନାଚିବାକୁ ପଡିବ। ଏହା ଶୁଣି ସେଠାରେ ଉପସ୍ଥିତ ଥିବା ନେତା ଓ କର୍ମୀ ସମସ୍ତେ ହସିବାକୁ ଲାଗିଥିଲେ ।

ଏତିକିରେ ତେଜପ୍ରତାପଙ୍କ ହୁକୁମାତି ସରିନଥିଲା ବରଂ ସେ କହିଥିଲେ ଯଦି ତୁମେ ନାଚିବ ନାହିଁ, ତେବେ ତୁମକୁ ନିଲମ୍ବିତ କରାଯିବ । ତେଜ ପ୍ରତାପଙ୍କ ଅନୁରୋଧରେ, କନଷ୍ଟେବଳ ସମସ୍ତଙ୍କ ସାମ୍ନାରେ ନାଚିଲେ ଏବଂ ତେଜ ପ୍ରତାପ ନିଜେ ଏକ ଗୀତ ଗାଇଲେ। ତେଜ ପ୍ରତାପଙ୍କ ଏହି ଭିଡିଓ ଆସିବା ପରେ, ବିଜେପି ଏହାକୁ ଆରଜେଡିର ସଂସ୍କୃତି ବୋଲି କହିଛି ଏବଂ ଏହା ମଧ୍ୟ କହିଛି ଯେ ଲାଲୁ ଯାଦବ ମଧ୍ୟ ସମାନ କରୁଥିଲେ । ଇଏ ତ ଗଲା ରାଜନୀତିର କଥା । ହେଲେ ଜଣେ ଲୋକ ପ୍ରତିନିଧି କେମିତି ସର୍ବସାଧାରଣ ସ୍ଥାନରେ ଏମିତି କହିଲେ ତାହାକୁ ନେଇ ଚର୍ଚ୍ଚା ଜୋର ।