କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ନକଲି ରିଲ୍ ଘୁରି ବୁଲୁଛି । ଗତ କିଛି ଦିନ ହେଲା ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତାକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା । ଏମିତିକି ଅନେକ ରିଲରେ ତାଙ୍କର ଦେହାନ୍ତ ହୋଇଥିବା ଗୁଜବ ମଧ୍ୟ ଖେଳି ଯାଇଥିଲା । ଖାସ୍ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଏହି ସବୁ ରିଲ୍ ଭାଇରାଲ୍ ହେଉଛି । ଯାହାକୁ ଦେଖି ସନ୍ଥଙ୍କ ଅନୁଗାମୀମାନଙ୍କୁ ବହୁତ କଷ୍ଟ ହେଉଛି । ପ୍ରତିଦିନ ପ୍ରେମାନନ୍ଦ ମହାରାଜଙ୍କ ପ୍ରବଚନ ଶୁଣୁଥିବା ଜଣେ ବ୍ୟକ୍ତି ଏହି ପ୍ରସଙ୍ଗକୁ ଉଠାଇଥିଲେ । ସେ କହିଥିଲେ ଯେ ସନ୍ଥଙ୍କ ସ୍ବାସ୍ଥ୍ୟକୁ ନେଇ କିଛି ଅଘଟଣ ଘଟିଥିବା ରିଲ୍ ସେ ଦେଖିବାକୁ ପାଇଲେ ଏବଂ ସେହି ଦିନଠାରୁ ସେ ଭଲରେ ଖିଆପିଆ କରୁନାହାନ୍ତି । ଆଉ ଜଣେ ୟୁଜର କହିଥିଲେ , ‘‘ମୁଁ ସନ୍ଥ ପ୍ରେମାନନ୍ଦଙ୍କୁ ଭେଟିବାକୁ ଯିବା ବେଳେ ମୋ ବାପା କହିଥିଲେ ଯେ ତୁମେ କାହିଁକି ଆଶ୍ରମକୁ ଯାଉଛ , ସନ୍ଥ ତ ଆଉ ଏ ଦୁନିଆରେ ନାହାନ୍ତି । ଏଭଳି ମନ୍ତବ୍ୟ ଶୁଣିବା ପରେ ମୁଁ କୋହ ନ ସମ୍ଭାଳି ପାରି କାନ୍ଦି ପକାଇଥିଲି ।’’

Advertisment

ତେବେ ଏସବୁ କଥା ଏବଂ ଗୁଜବ ଶୁଣି ପ୍ରେମାନନ୍ଦ ମହାରାଜଙ୍କ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି । ସନ୍ଥ ହସି ହସି ଏ ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ‘‘ ଯେଉଁମାନେ ଭ୍ୟୁଜ୍ ପାଇଁ ଭିଡିଓ ତିଆରି କରନ୍ତି ସେମାନେ ଏପରି କରିବା ଉଚିତ ନୁହେଁ । ଏହା ଏକ ଆବେଗପୂର୍ଣ୍ଣ ଅପରାଧ । ତୁମେ ମିଥ୍ୟା ଖବର ପ୍ରସାରଣ କଲ, ଯାହା ହଜାର ହଜାର ଲୋକଙ୍କୁ ଯନ୍ତ୍ରଣା ଦେଲା । ଲୋକଙ୍କ ଯନ୍ତ୍ରଣାର କାରଣ ତୁମେ ପାଲଟିଲ । ତୁମକୁ ଭ୍ୟୁଜ୍ ଟଙ୍କା ଦେଇପାରେ କିନ୍ତୁ ଦୋଷରୁ ମୁକ୍ତ କରିପାରିବ ନାହିଁ ।  
 
ସେ ଆହୁରି କହିଛନ୍ତି ଯେ ‘‘ଲୋକଙ୍କ ଭାବାବେଗ ସହ ଖେଳ ଖେଳିବା ଉଚିତ୍ ନୁହେଁ । ଯେଉଁ ଲୋକ ଏଭଳି ଗୁଜବ ଖେଳାଉଛନ୍ତି ସେମାନଙ୍କୁ ପରିପକ୍ବ ହେବାକୁ ପଡ଼ିବ । ଭ୍ୟୁଜ୍ ଏବଂ ଟଙ୍କା ପାଇଁ ଲୋକଙ୍କ ଭାବନା ସହିତ ଖେଳିବା , ଅନ୍ୟର ଭାବନାକୁ ଆଘାତ ହେବା ଭଗବାନଙ୍କୁ ଆଘାତ ଦେବା ସଙ୍ଗେ ସମାନ ।’’ ସେ YouTubers ଏବଂ Reel Makersଙ୍କୁ ସମ୍ପୂର୍ଣ୍ଣ ସୂଚନା ବିନା ମିଥ୍ୟା ଭିଡିଓ ଏବଂ Reels ତିଆରି ନକରିବାକୁ ପରାମର୍ଶ ଦେଇଛନ୍ତି । ସନ୍ଥ କହିଛନ୍ତି ଯେ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରସାରଣ କରିବା ଦ୍ୱାରା ଭକ୍ତମାନଙ୍କୁ ଯନ୍ତ୍ରଣା ହୁଏ । ଯେତେବେଳେ ଦୁଃଖର ହିସାବ ଜମା ହେବ,ଏହାର ପରିଣାମ ଭୋଗ କରିବାକୁ ପଡ଼ିବ । ଆଉ ସେତେବେଳେ ଦୁଃଖର ବୋଝ ସମ୍ଭାଳିବାକୁ ପିଠିରେ ଶକ୍ତି ରହିବ ନାହିଁ । ଶେଷରେ ପ୍ରେମାନନ୍ଦ ମହାରାଜ ତାଙ୍କ ଅନୁଗାମୀ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ କେବଳ ସଠିକ୍ ସୂଚନା ସେୟାର କରିବାକୁ ନିବେଦନ କରିଛନ୍ତି ।