କନକ ବ୍ୟୁରୋ : ନିକଟରେ ନିଜ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା ମଥୁରା-ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜ ବର୍ତ୍ତମାନ ଧିରେ ଧିରେ ସୁସ୍ଥ ହେଉଛନ୍ତି । କିନ୍ତୁ ସୋସିଆଲ୍ ମିଡିଆରେ ଯେଭଳି ଭାବରେ ବଢ଼ାଇ-ଚଢ଼ାଇ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ ଭାଇରାଲ୍ ହେଲା ସେଥିରେ ତାଙ୍କ ଅନୁଗାମୀମାନେ ଏକପ୍ରକାର ଭୟଭିତ ହୋଇଯାଇଥିଲେ । କାରଣ ପଥଭ୍ରଷ୍ଟ ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପଥପ୍ରଦର୍ଶନ କରୁଥିବା ପ୍ରେମାନନ୍ଦ ମହାରାଜଙ୍କୁ ସମସ୍ତେ ପସନ୍ଦ କରନ୍ତି । କହିବାକୁ ଗଲେ କେବଳ ବୟୋଜ୍ୟେଷ୍ଠ ନୁହଁନ୍ତି କମ୍ ବୟସର ପିଲା ମଧ୍ୟ ସନ୍ଥଙ୍କ କଥାରେ ପ୍ରଭାବିତ ହୋଇ ଆଧ୍ୟାତ୍ମିକର ମାର୍ଗରେ ଅଗ୍ରସର ହେଉଛନ୍ତି । ଆଉ ଏଭଳି ସ୍ଥିତିରେ ସନ୍ଥଙ୍କ ସ୍ବାସ୍ଥ୍ୟକୁ ନେଇ ଯେତେବେଳେ ଅପପ୍ରଚାର ହେଲା ସେତେବେଳେ ତାଙ୍କ ଅନୁଗାମୀ ଭୟଭିତ ହୋଇଯାଇଥିଲେ । ପ୍ରେମାନନ୍ଦ ମହାରାଜଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସାରା ଦେଶ ଯେତେବେଳେ ପ୍ରାର୍ଥନା କରୁଥିଲା ମଦିନାରେ ବସିଥିବା ଜଣେ ମୁସଲିମ୍ ଯୁବକ ସନ୍ଥଙ୍କ ପାଇଁ ଆଲ୍ଲାଙ୍କ ଆଗରେ ପ୍ରାର୍ଥନା କରୁଥିଲେ । ମଦିନାର ଯୁବକ ସୁଫିଆନ ଆଲ୍ଲାହାବାଦୀଙ୍କ ଏହି ହୃଦୟସ୍ପର୍ଶୀ ପଦକ୍ଷେପକୁ ସୋସିଆଲ୍ ମିଡିଆରେ ଯେତେବେଳେ ଭୁରି ଭୁରି ପ୍ରଶଂସା କରାଯାଉଥିଲା ସେହି ସମୟରେ ତାଙ୍କୁ ଧମକର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା ।
ତେବେ ଅଖିଳ ଭାରତୀୟ ମୁସଲିମ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶାହାବୁଦ୍ଦିନ ରଜଭି ବାରେଲଭି ଏହି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରି କହିଛନ୍ତି ଯେ "ଇସଲାମ ସହିଷ୍ଣୁତା ଏବଂ ମାନବତାର ଧର୍ମ ।" ମୌଲାନା ସୁଫିଆନଙ୍କ ଏଭଳି ମହତ୍ କାର୍ଯ୍ୟ ଇସଲାମିକ ମୂଲ୍ୟବୋଧ ସହିତ ଜଡ଼ିତ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ "ମୁଁ ପ୍ରେମାନନ୍ଦ ମହାରାଜଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରୁଛି । ସୁଫିଆନ ମଦିନା ଶରିଫରୁ ସନ୍ଥଙ୍କ ପାଇଁ ପ୍ରାର୍ଥନା କରିଥିଲେ, ଏହା ମାନବତାର ଏକ ଉଦାହରଣ । ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଥିବା ଏହି ମୁସଲମାନ ବ୍ୟକ୍ତିଙ୍କ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ତେବେ ଆପଣଙ୍କୁ ଏଠାରେ କହିରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ପ୍ରେମାନନ୍ଦ ମହାରାଜଙ୍କୁ କିଡନି ଦେବାକୁ ଜଣେ ମୁସଲିମ୍ ଯୁବକ ଚିଠି ଲେଖି ଅନୁରୋଧ କରିଥିଲେ । ଯାହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା ।