କନକ ବ୍ୟୁରୋ : ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାର ଖବର ସାମ୍ନାକୁ ଆସୁଛି । ସନ୍ଥ ନିଜ ପ୍ରବଚନରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା କହୁଥିଲେ ହେଁ ତାଙ୍କର ୨ ଟି କିଡନି ଖରାପ ଅଛି ଯେଉଁଥିପାଇଁ ସେ ଗତ ଦୁଇ ଦଶନ୍ଧି ଧରି ପଲିସିଷ୍ଟିକ୍ କିଡନି ରୋଗରେ ପୀଡ଼ିତ ଅଛନ୍ତି । ପ୍ରେମାନନ୍ଦ ମହାରାଜଙ୍କ ବୃନ୍ଦାବନସ୍ଥିତ ଆବାସରେ ନିୟମିତ ଭାବରେ ତାଙ୍କର ଡାଏଲିସିସ୍ କରାଯାଏ । ସେ ପ୍ରାୟ ୧୮ ରୁ ୨୦ ବର୍ଷ ଧରି ଏହି ରୋଗରେ ପୀଡ଼ିତ ଅଛନ୍ତି । ଏଭଳି ପରିସ୍ଥିତିରେ ସନ୍ଥଙ୍କ ସ୍ବାସ୍ଥ୍ୟକୁ ନେଇ ଯେତେବେଳେ ଖବର କିମ୍ବା ଗୁଜବ ସୃଷ୍ଟି ହେଉଛି ତାଙ୍କ ଅନୁଗାମୀମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡୁଛି । ସନ୍ଥଙ୍କୁ ନିଜ ପିତା ସମାନ ମାନୁଥିବା ଅନୁଗାମୀମାନେ କାହିଁ କେତେ ଦୂରରୁ ସବୁ କାମ ଛାଡ଼ି ସନ୍ଥଙ୍କ ସ୍ବାସ୍ଥ୍ୟ କେମିତି ଅଛି ଦେଖିବାକୁ ବୃନ୍ଦାବନ ଧାଇଁ ଆସୁଛନ୍ତି । ଅନେକ ଅଭିନେତା, ଭକ୍ତ, ରାଜନେତା ତାଙ୍କୁ ନିଜର କିଡନି ଦେବାକୁ ପ୍ରସ୍ତୁତ ଥିବା ବେଳେ ପ୍ରେମାନନ୍ଦ ମହାରାଜ ପ୍ରତିଥର ଭକ୍ତଙ୍କ ଏହି ପ୍ରେମପୂର୍ଣ୍ଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରନ୍ତି ।

Advertisment
Premanand-maharaj
Premanand-maharaj Photograph: (google)

ଏହି କ୍ରମରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ନିବାସୀ ରମେଶ ଚନ୍ଦ୍ର ଶୁକ୍ଲା ପ୍ରେମାନନ୍ଦ ମହାରାଜଙ୍କୁ ନିଜର ଗୋଟିଏ କିଡନି ଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସନ୍ଥଙ୍କୁ ଅତ୍ୟନ୍ତ ଭଲ ପାଉଥିବା ରମେଶ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ନିଜର ଗୋଟିଏ କିଡନି ଦାନ କରିବାକୁ ଏକ ଭାବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରେମାନନ୍ଦ ମହାରାଜ କେବଳ ଜଣେ ସନ୍ଥ ନୁହଁନ୍ତି ବରଂ ସମାଜର ଜଣେ ସଚ୍ଚା ମାର୍ଗଦର୍ଶକ ଏବଂ ଚିନ୍ତକ । ସମାଜକୁ ସବୁବେଳେ ତାଙ୍କର ଆବଶ୍ୟକତା ରହିଛି । ତେଣୁ ରମେଶ ଚାହାନ୍ତି ଯେ ମହାରାଜ ସୁସ୍ଥ ରୁହନ୍ତୁ ଏବଂ ସମାଜକୁ ନିଜର ଆଶୀର୍ବାଦ ଏବଂ ମାର୍ଗଦର୍ଶନ ଲଗାତାର ଦେଉଥାଆନ୍ତୁ । କେବଳ ରମେଶ ନୁହଁନ୍ତି ବଲିଉଡ୍ ଅଭିନେତା ଏଜାଜ ଖାନ୍ ମଧ୍ୟ ପ୍ରେମାନନ୍ଦ ମହାରାଜଙ୍କୁ କିଡନି ଦାନ କରିବେ ବୋଲି ସୋସିଆଲ୍ ମିଡିଆରେ କହିଥିଲେ କିନ୍ତୁ ଏହାକୁ ମଧ୍ୟ ସନ୍ଥ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଅନୁଗାମୀ ସ୍ବଇଚ୍ଛାରେ କିଡନି ଦାନ କରିବାକୁ ପ୍ରସ୍ତୁତ ଥିବା ବେଳେ ସନ୍ଥ କାହିଁକି କାହାଠାରୁ କିଡନି ନେବାକୁ ପ୍ରସ୍ତୁତ ନୁହଁନ୍ତି

ଏହି ପ୍ରଶ୍ନର ଉତ୍ତର ସନ୍ଥ ନିଜ ପ୍ରବଚନରେ କହିଛନ୍ତି , ପ୍ରେମାନନ୍ଦ ମହାରାଜଙ୍କ ମତରେ ଅନ୍ୟ କାହାର ଅଙ୍ଗ ନେଇ ସେ ବଞ୍ଚିବାକୁ ଚାହୁନାହାଁନ୍ତି ଏବଂ ଭଗବାନ ତାଙ୍କୁ ଯେଉଁ ଶରୀର ଦେଇଛନ୍ତି ସେହି ଶରୀରରେ ହିଁ ସେ ଦେହତ୍ୟାଗ କରିବାକୁ ଚାହାନ୍ତି । ତେଣୁ ଅନୁଗାମୀଙ୍କଠାରୁ କିଡନି ନେବାକୁ ଅମଙ୍ଗୁଛନ୍ତି ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜ ।