ଉତ୍ତର ପ୍ରଦେଶର ଅଲ୍ଲିଗଡ଼ରେ ସ୍ବଳ୍ପ ଦରମା ପାଉଥିବା ଲୋକଙ୍କୁ ଆୟକର ବିଭାଗ କୋଟି କୋଟି ଟଙ୍କାର ଆୟକର ନୋଟିସ୍ ଜାରି କରିଛି । ନୋଟିସରେ ଦାବି କରାଯାଇଛି ଯେ ଏହି ଲୋକମାନେ କୋଟି କୋଟି ଟଙ୍କାର ବ୍ୟବସାୟ କରିଛନ୍ତି ଏବଂ ଏଥିରୁ ହୋଇଥିବା ଆୟ ଉପରେ ଟିକସ ଦେଇନାହାଁନ୍ତି । ନୋଟିସ୍ ପାଇଥିବା ଲୋକଙ୍କ ମୁଣ୍ଡ ଉପରେ ଏବେ ଚିନ୍ତାର ଚଡ଼କ ପଡ଼ିଛି । ଏହି ଘଟଣାକୁ ଯେତେବେଳେ ଟିକସ୍ ଓକିଲଙ୍କ ଦ୍ୱାରା ତଦନ୍ତ କରାଗଲା, ସେତେବେଳେ ଜଣାପଡ଼ିଲା ଯେ ସେମାନଙ୍କ ଆଧାର ଓ ପାନ୍ କାର୍ଡକୁ ଅନ୍ୟ କେହି ବ୍ୟବହାର କରୁଛନ୍ତି । ସତ ଉଜାଗର ହେବା ପରେ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତ ।  

Advertisment
income
income Photograph: (google)

ଗୋଟିଏ କି ଦୁଇଟି ନୁହେଁ ଅଲ୍ଲିଗଡ଼ରେ ଏବେ ଏହିପରି ତିନୋଟି ମାମଲା ସାମ୍ନାକୁ ଆସିଛି । ତାଜୁବର କଥା ହେଉଛି ମାତ୍ର ୧୫ ହଜାର ଟଙ୍କା ଦରମା ପାଉଥିବା ଜଣେ ଚାକିରିଆଙ୍କୁ ୩୩.୮୮ କୋଟି ଟଙ୍କାର ନୋଟିସ୍ ମିଳିଛି । ଠିକ୍ ସେହିପରି, ଜଣେ ୮,୫୦୦ ଟଙ୍କା ଦରମା ପାଉଥିବା ବ୍ୟକ୍ତିଙ୍କୁ ୩.୮୭ କୋଟି ଟଙ୍କା ଏବଂ ଜଣେ ଫଳରସ ବିକାଳିଙ୍କୁ ୭.୭୯ କୋଟି ଟଙ୍କାର ନୋଟିସ୍ ମିଳିଛି । ଏହି ତିନି ଜଣ ବ୍ୟକ୍ତିଙ୍କୁ ଆୟକର ବିଭାଗ ମାର୍ଚ୍ଚ ମାସରେ ନୋଟିସ୍ ଜାରି କରିଥିଲା । ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଖୈର୍ ଶାଖାରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା କରଣ କୁମାର କହିଛନ୍ତି ଯେ, ତାଙ୍କୁ ପ୍ରତି ମାସରେ ୧୫ ହଜାର ଟଙ୍କା ଦରମା ମିଳେ କିନ୍ତୁ ନୋଟିସ୍ ଜାରି ହୋଇଛି ୩୩.୮୮ କୋଟି ଟଙ୍କାର । ଏବେ ସେ କେଉଁଠାରୁ ଏତେ ଟଙ୍କା ଆଣିବେ । ସ୍ବଳ୍ପ ଦରମାରେ ସେ ବହୁ କଷ୍ଟରେ ନିଜ ପରିବାର ଚଳାନ୍ତି । ଏ ସମ୍ପର୍କରେ ସେ ଯେତେବେଳେ ଓକିଲଙ୍କ ସହ ଯୋଗାଯୋଗ କରିଥିଲେ ଜାଣିବାକୁ ପାଇଲେ ଯେ, ତାଙ୍କ ଆଧାର ଓ ପାନ୍ କାର୍ଡ ବ୍ୟବହାର କରି ଦିଲ୍ଲୀରେ 'ମହାବୀର ଏଣ୍ଟରପ୍ରାଇଜେସ୍' ନାମକ ଏକ କମ୍ପାନୀ ବହୁ ପରିମାଣରେ ପେଟ୍ରୋଲିୟମ୍ ଉତ୍ପାଦ ଏବଂ ଷ୍ଟିଲ୍ ସାମଗ୍ରୀ କିଣାବିକା କରୁଛି । ଏ ସମ୍ପର୍କରେ ଆୟକର ବିଭାଗର ଅଧିକାରୀମାନଙ୍କୁ ଜଣାଇବାରୁ ସେମାନେ ସାହାଯ୍ୟ କରିବା ପରିବର୍ତ୍ତେ ପୋଲିସରେ ଏଫ୍ଆଇଆର୍ (FIR) ଦାଖଲ କରିବାକୁ କହିଥିଲେ ।

adhar
adhar Photograph: (google)

ସେହିପରି ସାଙ୍ଗୋର ଗାଁରେ ରହୁଥିବା ମୋହିତ କୁମାର କହିଛନ୍ତି ଯେ ସେ ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ଚାକିରି କରନ୍ତି ଏବଂ ତାଙ୍କୁ ୩.୮୭ କୋଟି ଟଙ୍କାର ନୋଟିସ୍ ମିଳିଛି । ସେ ଓକିଲଙ୍କ ମାଧ୍ୟମରେ ତଦନ୍ତ କରାଇବାରୁ ଜଣାପଡ଼ିଲା ଯେ ଏମକେ ଟ୍ରେଡର୍ସ ନାମକ ଏକ ଫାର୍ମ ତାଙ୍କ ଆଧାର ଓ ପାନ୍ କାର୍ଡ ବ୍ୟବହାର କରୁଛି । ସେହିପରି ଜୁସ୍ ବିକ୍ରେତା ରଇସ୍ ଅହମ୍ମଦଙ୍କୁ ମଧ୍ୟ ୭.୭୯ କୋଟି ଟଙ୍କାର ନୋଟିସ୍ ମିଳିଛି । ଓକିଲଙ୍କ ମତରେ, ଆଜିକାଲି ପ୍ରତ୍ୟେକ କାମ ପାଇଁ ଆଧାର ଓ ପାନ୍ କାର୍ଡର ବିବରଣୀ ଦେବାକୁ ପଡୁଛି । ଲୋକମାନେ ବିବରଣୀ ଦେଇ ଭୁଲି ଯାଆନ୍ତି, କିନ୍ତୁ ଠକମାନେ ଏହାର ଅପବ୍ୟବହାର କରନ୍ତି । ତେବେ ଏନେଇ ପୋଲିସରେ ଅଭିଯୋଗ କରାଯାଇଛି । ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି ।