ବଲିଉଡ୍ ହେଉ କି ଓଲିଉଡ୍ ନକଲ କରିବାର ପରମ୍ପରା ସବୁ ସିନେ ଇଣ୍ଡଷ୍ଟ୍ରୀରେ ବର୍ତ୍ତମାନ ଭୂତାଣୁ ହୋଇ ବ୍ୟାପିଲାଣି । ନିଜସ୍ବ କ୍ରିଏଟିଭିଟି କହିଲେ ବୋଧହୁଏ ହାତଗଣତି ସିନେମା ଆଖି ଆଗକୁ ଆସୁଛି । ଏମିତି ଅନେକ ସିନେମା ଆପଣ ଦେଖିଥିବେ ଯାହାକୁ ପୂର୍ବରୁ ଅନ୍ୟ ଏକ ଭାଷାରେ ଆପଣ ଦେଖିସାରିଥିବେ କିନ୍ତୁ ପୁଣିଥରେ ଆଉ ଏକ ଭାଷାରେ ସମାନ ଫିଲ୍ମକୁ ଦେଖିବେ । ରିମେକ୍ ନାଁରେ ଗୋଟିଏ କାହାଣୀକୁ ବାରମ୍ବାର ଦର୍ଶକଙ୍କୁ ପରଶି ନିର୍ଦ୍ଦେଶକ ମୋଟାଅଙ୍କର ଟଙ୍କା ରୋଜଗାର କରନ୍ତି । କିନ୍ତୁ ଏଥିରେ ବୋକା ହେଉଛନ୍ତି କିଏ ସିନେପ୍ରେମୀ । ଏଇ ଯେମିତି କିଛି ସମୟ ପୂର୍ବରୁ ଏକ ସିନେମା ରିଲିଜ୍ ହୋଇଥିଲା ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ସିନେମାର କାହାଣୀ, ସଂଗୀତ, ଅଭିନୟ ସବୁ କିଛି ଟପ୍ କ୍ଲାସର ଥିଲା । ସିନେମାର ନାଁ ଟି ହେଉଛି ‘ଲାପତା ଲେଡିଜ୍’ । କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୯୭ ତମ ଏକାଡେମୀ ଆୱାର୍ଡ (ଓସ୍କାର)ପାଇଁ ଆନୁଷ୍ଠାନିକ ଭାବେ ପ୍ରବେଶ କରିଥିଲା । କିନ୍ତୁ, ଏହି ଫିଲ୍ମ ଫାଇନାଲ ଦୌଡ଼ରେ ସ୍ଥାନ ପାଇପାରିନଥିଲା । ଏହି ଚଳଚ୍ଚିତ୍ରରେ ପ୍ରତିଭା ରାଣ୍ଟା, ନୀତାଂଶୀ ଗୋୟଲ ଏବଂ ସ୍ପର୍ଶ ଶ୍ରୀବାସ୍ତବ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପୂର୍ବରୁ ଏହି ଫିଲ୍ମର କାହାଣୀ ଉପରେ ପ୍ରଶ୍ନ ଉଠିଥିବା ବେଳେ ଏବେ ପୁଣି ଥରେ ଏହି ଫିଲ୍ମର ମୌଳିକତା ଉପରେ ପ୍ରଶ୍ନ ଉଠିଛି । ଏଥର ପୁଣି ଥରେ କିରଣ ରାଓଙ୍କ ଉପରେ "ବୁର୍ଖା ସିଟି" ଦେଖିବା ପରେ ଲାପତା ଲେଡିଜ୍ ସହିତ ଏହାର କାହାଣୀ ମିଶୁଥିବା ଲୋକେ ଦାବି କରିଛନ୍ତି ।
/kanak/media/media_files/2025/04/02/D4Al91ar48hD0mdexRg1.jpg)
"ବୁର୍ଖା ସିଟି"ରେ ଦେଖାଯାଇଛି ଯେ, ଜଣେ ନବବିବାହିତ ଯୁବକ ତାଙ୍କ ନିଖୋଜ ପତ୍ନୀଙ୍କୁ ଖୋଜୁଛନ୍ତି, ତାଙ୍କ ପତ୍ନୀଙ୍କ ସ୍ଥାନରେ ଘରକୁ ବୁର୍ଖା ପିନ୍ଧିଥିବା ଅନ୍ୟ ଜଣେ ମହିଳା ଆସିଯାଇଛନ୍ତି । "ବୁର୍ଖା ସିଟି" ହେଉଛି ଫାବ୍ରିସ୍ ବ୍ରାକ୍ଙ୍କ ଦ୍ବାରା ନିର୍ଦ୍ଦେଶିତ ଏକ ୨୦ ମିନିଟର ଆରବିକ କମେଡି । ଓମର ମେବ୍ରୋକ୍, ଚାଦିଆ ଅମଜୋଦ୍, ଜଲାଲ୍ ଅଲତାୱିଲ୍ ଏବଂ ନୋମନ ହୋସନିଙ୍କ ଅଭିନୀତ ଏହି ଫିଲ୍ମଟି ୨୦୧୯ ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମର କାହାଣୀ ମଧ୍ୟପ୍ରାଚ୍ୟର ଏକ ସହରର, ଯେଉଁଠାରେ ମହିଳାମାନେ ବୁର୍ଖା ପିନ୍ଧନ୍ତି । ବିବାହ ପରେ ଯୁବକ ଜଣକ ଜାଣିପାରନ୍ତି ଯେ ସେ ଭୁଲ ମହିଳାଙ୍କ ସହିତ ଘରକୁ ଆସିଛନ୍ତି । ବୁର୍ଖା ସିଟିକୁ ଆପଣ ଏବେ ଆମାଜନ୍ ପ୍ରାଇମ୍ ଭିଡିଓରେ ଦେଖିପାରିବେ । ଏହି ଭିଡିଓଟି ଭାଇରାଲ ହେବା ପରେ ଏବେ ଲୋକେ କିରଣଙ୍କୁ ଟ୍ରୋଲ୍ କରିଛନ୍ତି।