୨୦୦୦ ମସିହାରେ ପ୍ରେକ୍ଷାଳୟକୁ ଆସିଥିବା ଗୋଟିଏ ସିନେମା ସିନେପ୍ରେମୀଙ୍କୁ ହସାଇ ହସାଇ ବେଦମ୍ କରିଥିଲା । ମଲ୍ଟି ଷ୍ଟାରର ଏହି ସିନେମା ଦର୍ଶକଙ୍କୁ ଏତେ ଭଲ ଲାଗିଥିଲା ଯେ ଏହା ପରେ ପରେ ଏହି ସିନେମାର ସିକ୍ବେଲ୍ ମଧ୍ୟ ଆସିବାକୁ ଲାଗିଲା । ଆମେ କହୁଛୁ ପରେଶ ରାୱଲ , ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟିଙ୍କ ଅଭିନିତ ସିନେମା ହେରାଫେରି ବିଷୟରେ । ବାବୁରାଓ , ଶ୍ୟାମ ଏବଂ ରାଜୁ ଭୂମିକା ଦର୍ଶକଙ୍କୁ ଭାରି ପସନ୍ଦ ଆସିଥିଲା । ତେଣୁ ୨୦୦୬ରେ ଏହାର ସିକ୍ବେଲ୍ ଫିର୍ ହେରାଫେରି ପ୍ରେକ୍ଷାଳୟକୁ ଆସିଲା । ତେବେ ଅନେକ ବର୍ଷ ପରେ ୩ କଳାକାରଙ୍କୁ ପୁଣି ଥରେ ଏକାଠି ଦେଖିବା ପାଇଁ ହେରାଫେରି ୩ ସିନେମାକୁ ଚାତକ ପରି ଚାହିଁଥିଲେ ଦର୍ଶକ । କିନ୍ତୁ ସିନେମାକୁ ନେଇ କଳାକାର ଏବଂ ପ୍ରଯୋଜକଙ୍କ ମଧ୍ୟରେ ତୁ ତୁ ମେ ମେ ଥମିବାର ନାଁ ନେଉନି ।
/kanak/media/media_files/2025/05/24/aWUuizh0M7FiX3GNRWmg.jpg)
ଅଭିନେତା ପରେଶ ରାୱଲ ହେରାଫେରି ୩ ସିନେମା ପାଇଁ ୨୫ କୋଟି ଟଙ୍କା ପ୍ରାପ୍ୟ ମାଗିଥିଲେ , ଯାହା କୋ-ଷ୍ଟାର୍ ଅକ୍ଷୟଙ୍କୁ ପସନ୍ଦ ଆସି ନଥିଲା । ମନମୁତାବକ ଫିସ୍ ନ ମିଳିବାରୁ ପରେଶ ସିନେମାରୁ ବାହାରିଗଲେ । ଯେହେତୁ ସିନେମାର ସୁଟିଂ କାମ ଆରମ୍ଭ ହୋଇ ସାରିଥିଲା ତେଣୁ ଅଧାରୁ ଫିଲ୍ମ ଛାଡ଼ିଲେ କ୍ଷତି ହେବାଟା ଥୟ । ତେଣୁ ଅକ୍ଷୟ ଏବେ ପରେଶଙ୍କ ବିରୁଦ୍ଧରେ ଆଇନର ଲଢ଼େଇ ଲଢ଼ିବେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି । କଳାକାରଙ୍କ କଳି ଭିତରେ ଏବେ ମଝିରେ ଓହଳିଛି ହେରାଫେରି ସିନେମା । ଫିଲ୍ମର ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କୁ ସମ୍ମାନ ଜଣାଇ ସୋସିଆଲ୍ ମିଡିଆ ଏକ୍ସରେ ନିଜ ଇଚ୍ଛାରେ ସିନେମାରୁ ବାହାରିଥିବା କଥା କହିଛନ୍ତି ଅଭିନେତା ପରେଶ ରାୱଲ ।
ପରେଶ ରାୱଲ ନିକଟରେ ନିର୍ଦ୍ଦେଶକ ପ୍ରିୟଦର୍ଶନ ଏବଂ ଅଭିନେତା ଅକ୍ଷୟ କୁମାରଙ୍କ ସହ ହରର-କମେଡ଼ି ଫିଲ୍ମ ‘ଭୂତ ବଙ୍ଗଲା’ ରେ ନଜର ଆସିବେ , ଯାହାର ସୁଟିଂ ଶେଷ ହୋଇଯାଇଛି । ଏହି ଫିଲ୍ମ ୨୦୨୬ ରେ ରିଲିଜ୍ ହେବ । ଏହାଛଡ଼ା ସେ ‘ୱେଲକମ୍ ଟୁ ଦି ଜଙ୍ଗଲ’ ରେ ମଧ୍ୟ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ ।