କନକ ବ୍ୟୁରୋ : ସରିଲା ବିଧାନସଭାର ଶୀତ ଅଧିବେଶନ । ବିଧାନସଭାର ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି ।  ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ । ତେବେ ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍‌ ଚର୍ଚ୍ଚିତ ଥିଲା । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ । ବିଧାୟକମାନେ କେମିତି ଆଚରଣ ଓ ଉଚ୍ଚାରଣ କରିବେ ସେନେଇ ସଚେତନ କରାଇଥିଲେ । ଖାଲି ଏତିକି  ନୁହେଁ ବରଂ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ଅନେକ ପ୍ରସଙ୍ଗରେ ଶାସକ ଓ ବିରୋଧୀ ବି ଗୃହରେ ମୁହାଁମୁହିଁ ହେବାର ଦେଖାଯାଇଥିଲା । 

Advertisment

ଆହୁରି ପଢ଼ନ୍ତୁ : ବିଧାନସଭାରେ ମାଲକାନଗିରି ନିଆଁର ତାତି;ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଖାସ୍‌ କରି ବିଧାନସଭାର ଶେଷ ଦିନରେ ମାଲକାନଗିରିକୁ ନେଇ କମ୍ପିଥିଲା ଗୃହ । ଶୂନ୍ୟକାଳରେ ମାଲକାନଗିରି ନିଆଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଗୃହରେ ମାଲକାନାଗିରି ହିଂସା ପ୍ରସଙ୍ଗ ଉଠାଇ ସରକାର ଉପରେ ବର୍ଷିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଥିଲେ, ଏବେ ମାଲକାନଗିରି ଜଳୁଛି, ଆଗକୁ ଆଉ ଏକ କନ୍ଧମାଳ ହେବାକୁ ଯାଉଛି । ଅନକେ ଘର ପୋଡ଼ି ଦିଆଗଲାଣି, ଜୀବନ ଗଲାଣି । ହେଲେ ଆମେ ଏଠି ବସି କାର୍ଯ୍ୟକ୍ରମ କରୁଛେ  । ଲୋକ କଣ କହିବେ ବୋଲି ପ୍ରଶ୍ନ କରିଛନ୍ତି ରାଜା ସ୍ୱାଇଁ । ରାଜ୍ୟର ଗୋଟିଏ ଅଂଶ  ଜଳୁଥିବା ବେଳେ ଆମେ ଏଠି ନିୟମ ତିଆରି କରୁଛେ ଏହା କେତେ ଠିକ୍ ବୋଲି ପ୍ରଶ୍ନ ଉଠାଇଥିଲେ ରାଜା । ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି କି ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ।  ଯେମିତି ମଣିପୁର ଜଳୁଥିଲା, ସେମିତି ଏବେ ମାଲକାନଗିରି ଜଳୁଛି । ବେଙ୍ଗଲି କହୁଥିବା ଲୋକ ସମସ୍ତେ ବାଂଲାଦେଶୀ ନୁହନ୍ତି । କିନ୍ତୁ ରାଜ୍ୟରେ ସେଭଳି ବାତାବରଣ ତିଆରି କରାଯାଉଛି ବୋଲି ସରକାରଙ୍କୁ ଦୋଷ ଦେଇଛନ୍ତି ରାଜା ସ୍ୱାଇଁ । ଏଥିସହ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ଏବଂ ତୁରନ୍ତ ହାଉସ କମିଟି ଗଠନ କରି ମାଲକାନଗିରି ପଠାଯାଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ।  

ମାଲକାନଗିରି ଜିଲ୍ଲାରେ ଘଟିଥିବା ଭୟଙ୍କର ହିଂସାକାଣ୍ଡ ଘଟଣା ପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲକ୍ଷ୍ୟରେ ଜିଲ୍ଲାବ୍ୟାପୀ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ବିଶେଷ ଭାବରେ ଉତ୍ତେଜନା ଲାଗିରହିଥିବା ଏମଭି-୨୬ ଗ୍ରାମରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୬୩ ଲାଗୁ କରାଯାଇଛି । ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଜାରି କରାଯାଇଥିବା ନିୟମକୁ ଯେଉଁମାନେ ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଡିଜି କଡ଼ା ଚେତାବନୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ : ବିଧାନସଭାରେ ମାଲକାନଗିରି ନିଆଁର ତାତି;ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ସ୍ଥିତିର ଗମ୍ଭୀରତାକୁ ଅନୁଧ୍ୟାନ କରିବା ପାଇଁ ପୁଲିସ୍‌ ଡିଜି ୱାଇ.ବି. ଖୁରାନିଆ ‘ଗ୍ରାଉଣ୍ଡ୍‌ ଜିରୋ’ରେ ପହଞ୍ଚିଛନ୍ତି । ସେ ହିଂସା ପ୍ରଭାବିତ ଏମଭି-୨୬ ଗାଁ ବୁଲି ଦେଖିବା ସହ ରାଖାଲଗୁଡ଼ା ଗାଁକୁ ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଯେ ରାଖାଲଗୁଡ଼ା ଗାଁର ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା । ଡିଜିପି କ୍ଷତିଗ୍ରସ୍ତ ପରିବାରଙ୍କ ଘର ବୁଲି ଦେଖିବା ସହ ଶାନ୍ତି ବଜାୟ ରଖିବାକୁ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଏହି ଗସ୍ତ ସମୟରେ ଡିଜିପିଙ୍କ ସହ ଆଇଜି ଅପରେସନ ସଂଜୀବ ପଣ୍ଡା ଏବଂ ଡିଆଇଜି ଅପରେସନ ଅଖିଲେଶ୍ବର ସିଂ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ମାଲକାନଗିରି ଜିଲ୍ଲାପାଳ ଓ ଏସପି ଡିଜିପିଙ୍କୁ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ, ମହିଳାଙ୍କ ହତ୍ୟା ମାମଲାର ତଦନ୍ତକୁ ଜୋରଦାର କରାଯାଇଛି । ହତ୍ୟାର ଶିକାର ହୋଇଥିବା ମହିଳାଙ୍କ କଟାମୁଣ୍ଡ ଉଦ୍ଧାର କରିବା ପାଇଁ ପୁଲିସ ପକ୍ଷରୁ ପୋଟେରୁ ନଦୀରେ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ଜିଲ୍ଲାରେ ଯେଭଳି ଆଉ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇ କଡ଼ା ପହରା ଦିଆଯାଉଛି ।