କନକ ବ୍ୟୁରୋ: ପୁଣି ବିଦେଶ ମାଟିରେ ଚାଲିଲା ରୋହିତଙ୍କ ବ୍ୟାଟ୍ । ସମାଲୋଚକଙ୍କ ପାଟି ବନ୍ଦ କରିଦେଲା ହିଟମ୍ୟାନଙ୍କ ଗୋଟିଏ ଅର୍ଦ୍ଧଶତକ । ଆଡିଲେଡରେ ହାପ୍ ସେଞ୍ଚୁରୀ ମାରି ଇତିହାସ ରଚିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଧିମା ଇନିଂସ୍ ସତ୍ତ୍ବେ ଅର୍ଦ୍ଧଶତକ ହାସଲ କରି ରୋହିତ ଶର୍ମା ଅନେକ ରେକର୍ଡର କରିଛନ୍ତି । ଆଡିଲେଡରେ ରୋହିତ ୭୪ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଯାହା ଦିନିକିଆ କ୍ରିକେଟରେ ତାଙ୍କର ୫୯ତମ ଅର୍ଦ୍ଧଶତକ ଭାବେ ରେକର୍ଡ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ...  ପୁଣି ଟ୍ରମ୍ପଙ୍କ ବଡ଼ ଦାବି : ରୁଷ-ଭାରତ ସମ୍ପର୍କ ନେଇ କଲେ କଳ୍ପନା

ଖାଲି ଏତିକି ନୁହେଁ ରୋହିତ ଶର୍ମା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ୧ ହଜାର ଏକଦିବସୀୟ ରନ୍ ମଧ୍ୟ ପୂରଣ କରିଛନ୍ତି । ରୋହିତ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଏପରି କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ବନିଯାଇଛନ୍ତି । ଏହା ସହ ରୋହିତ ଦିନିକିଆରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ହିଟମ୍ୟାନ ଏବେ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ପରେ ଭାରତର ତୃତୀୟ ସର୍ବାଧିକ ଦିନିକିଆ ରନ୍ ସ୍କୋରର ହୋଇଯାଇଛନ୍ତି ।

ବଡ଼ କଥା ହେଉଛି SENA ଦେଶ ଅର୍ଥାତ୍ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ)ରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି ରୋ-ହିଟ୍ ଶର୍ମା । ଆଡିଲେଡର ୨ଟି ଛକା ବଳରେ ବର୍ତ୍ତମାନ SENA ଦେଶରେ ରୋହିତ ୧୫୦ରୁ ଅଧିକ ଛକା ମାରିବାର ରେକର୍ଡ କରିଛନ୍ତି । ରୋହିତ ଏଯାବତ୍ ଅଷ୍ଟ୍ରେଲିଆରେ ୫୫ଟି ଛକା, ଇଂଲଣ୍ଡରେ ୪୮ଟି ଛକା, ନ୍ୟୁଜିଲ୍ୟାଣ୍ଡରେ ୩୧ଟି ଛକା ଏବଂ ଦକ୍ଷିଣ ଆଫ୍ରିକାରେ ୧୬ଟି ଛକା ମାରିସାରିଛନ୍ତି । ଆଉ ଏଭଳି କୀର୍ତ୍ତିମାନ ହାସଲ କରିବାରେ ଏସିଆର ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି ହିଟମ୍ୟାନ୍ ।

ଅଧିକ ପଢ଼ନ୍ତୁ... ବାପା-ମାଆଙ୍କୁ ଅବହେଳା କଲେ କଟିବ ଦରମା ; ଜବ୍ କାର୍ଡ ବାଣ୍ଟି ଚେତାଇଲେ ମୁଖ୍ୟମନ୍ତ୍ରୀ

ପର୍ଥ ପଡ଼ିଆରେ ମାତ୍ର ୮ ରନ୍ କରି ଆଉଟ୍ ହୋଇଥିବା ରୋହିତ ଶର୍ମା ନିଜର ପରିପକ୍ବ ବ୍ୟାଟିଂ ଜରିଆରେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ସେ ଆଡିଲେଡରେ ୯୭ ବଲ୍ ଖେଳି ୭୩ ରନ୍ କରିଥିଲେ । ସେଥିରେ ୭ ଚୌକା ଏବଂ ୨ ଛକା ମାରିଥିଲେ । ବିଦେଶ ମାଟିରେ ବଡ଼ ବଡ଼ ରେକର୍ଡ ଭାଙ୍ଗିଥିବା ହିଟମ୍ୟାନଙ୍କ ଏଭଳି କମବ୍ୟାକ୍ ଦେଖି କ୍ରିକେଟପ୍ରେମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଏପଟେ ରୋହିତଙ୍କ ବ୍ୟାଟିଂ ନେଇ ଯେଉଁମାନେ ସମାଲୋଚନା କରୁଥିଲେ ଏବଂ ହିଟମ୍ୟାନ୍ ଫ୍ଲପ୍ ହେଉଛନ୍ତି ବୋଲି କହୁଥିଲେ ରୋହିତଙ୍କ ରେକର୍ଡ ବ୍ରେକର ହାଫ୍ ସେଞ୍ଚୁରୀ ତାଙ୍କ ମୁହଁ ବନ୍ଦ କରିଦେଇଛି ।