କନକ ବ୍ୟୁରୋ: ନା ହାରିଛନ୍ତି ନା ସେ ଥକିଛନ୍ତି । ଆଖିରେ ଦୁନିଆକୁ ଦେଖିବାର ଶକ୍ତି ନାହିଁ ସତ, କିନ୍ତୁ ଆତ୍ମାରେ ଅଛି ଅଜସ୍ର ସଙ୍ଗୀତ । ବୟସର ଅପରାହ୍ନରେ ପହଞ୍ଚି ବି ଓଠରୁ ଛାଡ଼ିନି ବଇଁଶୀ । ସେହି ମୁହଁରେ ବଇଁଶୀ ଧରିଲେ ବାହାରୁଛି ନାନା ପ୍ରକାରର ସ୍ୱର । କେତେବେଳେ ପୁରୁଣା କାଳର ସେହି ମଧୁର ଗୀତର ମୂର୍ଚ୍ଛନା, ତ ପୁଣି କେତେବେଳେ ଛୋଟ ପିଲା କାନ୍ଦିବାର କରୁଣ ସ୍ୱର । କେତେବେଳେ ଆମ୍ବୁଲାନ୍ସର ସାଇରନ୍ ତ ପୁଣି କେତେବେଳେ ଆଉ କେଉଁ ମଧୁର ସଙ୍ଗୀତ । ଦିବ୍ୟ ଆଖିରେ ଦୁନିଆକୁ ଦେଖିପାରୁ ନଥିବା ଏହି ମଣିଷ ଜଣଙ୍କ ଆଜି ନିଜ କଳା ବଳରେ ସଭିଙ୍କ ମନ ଜିଣୁଛନ୍ତି ।

Advertisment

ଅଧିକ ପଢ଼ନ୍ତୁ:'ଆମକୁ ଘର ବଖରାଏ ଦିଅ, ନହେଲେ ମରିଯିବୁ'

ଏ ହେଉଛନ୍ତି ଭାନୁ ସିଂହ । ବାଲେଶ୍ୱର ଜିଲ୍ଲା ଅଯୋଧ୍ୟା ଗୋପାଳପୁର ଅଞ୍ଚଳର ଏହି କଳାକାର ଜନ୍ମରୁ ଦୃଷ୍ଟିବାଧିତ । ଦୁନିଆର ରଙ୍ଗ ଦେଖିବା ତାଙ୍କ ଭାଗ୍ୟରେ ନଥିଲା ସତ କିନ୍ତୁ ଭାଗ୍ୟକୁ ଦୋଷ ଦେଇ ସେ ଅଟକି ଯାଇନାହାନ୍ତି । ଧରମପୁଅକୁ ଆଶାବାଡ଼ି କରି ୧୯୭୨ ମସିହାରୁ ଗୁରୁଙ୍କ ଠାରୁ ଶିଖିଥିବା ଏହି ବଇଁଶୀ ବାଦନ ଆଜି ସାଜିଛି ତାଙ୍କର ପରିଚୟ । ବାଲେଶ୍ୱରର ଗଳିକନ୍ଦିରୁ କଲିକତା ଓ ଦିଲ୍ଲୀ ପର୍ଯ୍ୟନ୍ତ, ଦୀର୍ଘ ୫୦ ବର୍ଷ ଧରି ସେ ବୁଲି ବୁଲି ବଇଁଶୀ ବଜାଉଛନ୍ତି । କେବଳ ବଇଁଶୀ ନୁହେଁ, ପାଟିରେ ବିଭିନ୍ନ ବାଦ୍ୟଯନ୍ତ୍ରର ସ୍ୱର ବାହାର କରିବାରେ ସେ ଜଣେ ନିପୁଣ କଳାକାର ।

ରେଡିଓ ଷ୍ଟେସନରୁ ରାସ୍ତାକଡ଼ର ପଥଚାରୀ

ସଫଳତାର ସିଡ଼ି ବି ସେ ଚଢ଼ିଥିଲେ । ଦିନେ ଭୁବନେଶ୍ୱର ରେଡିଓ ଷ୍ଟେସନରେ ଚାକିରି କରିଥିଲେ, ହେଲେ ଭାଗ୍ୟର ବିଡ଼ମ୍ବନା ଆଉ କିଛି ଭୁଲ୍ ପାଇଁ ସେହି ସୁଯୋଗ ହାତଛଡ଼ା ହୋଇଗଲା । କିନ୍ତୁ ଜୀବନ ଯୁଦ୍ଧରେ ସେ ପଛକୁ ଫେରି ଚାହିନାହାନ୍ତି । ପରିବାର କହିଲେ ତାଙ୍କର ସେହି ଧରମପୁଅ ଆଉ ପ୍ରାଣର ପ୍ରିୟ ବଇଁଶୀ । ଦାରିଦ୍ର୍ୟ ଆଉ ଭିନ୍ନକ୍ଷମତା ଭିତରେ ବି ସେ ଆଜି ସ୍ୱାଭିମାନର ସହ ବଞ୍ଚିବାର ରାହା ଖୋଜି ପାଇଛନ୍ତି ।

ଅଧିକ ପଢ଼ନ୍ତୁ: ସମୀରରୁ ସମୀରା...

ଭାନୁ ସିଂହଙ୍କ ଏହି କାହାଣୀ ପ୍ରମାଣ କରିଛି ଯେ, ଶରୀର ଅକ୍ଷମ ହୋଇପାରେ କିନ୍ତୁ ଇଚ୍ଛାଶକ୍ତି ନୁହେଁ । ଯଦି ମନରେ ଜିଦ୍ ଥାଏ, ତେବେ ଅନ୍ଧାର ଭିତରେ ବି ସଙ୍ଗୀତର ଆଲୋକ ଖୋଜି ପାଇହୁଏ । ଭାନୁଙ୍କ ଓଠର ଏହି ବଇଁଶୀ ସ୍ୱର ଆଜି ସମାଜ ପାଇଁ ଏକ ବଡ଼ ପ୍ରେରଣା ।