କନକ ବ୍ୟୁରୋ : ଭଙ୍ଗା କାନ୍ଥକୁ ଭରସା କରି କେଇଁଟା ବାଉଁଶ ଉପରେ ବିଛେଇ ପଡ଼ିଥିବା ନଡ଼ା । ତା ଉପରେ କେଇଟା ଛିଣ୍ଡା ଜରିପାଲ । ଉଡ଼ିଯାଉଛି ତାକୁ ଧରି ବାନ୍ଧିବାକୁ ଚେଷ୍ଟା କରୁଛନ୍ତି ସ୍ୱାମୀ, ସ୍ତ୍ରୀ । କୂଟା ଖିଅକୁ ଆଶ୍ରା ଭଳିଆ ଏ ଭଙ୍ଗା ଦଦରା ଘର ତ ତାଙ୍କ ମୁଣ୍ଡ ଗୁଂଜିବାକୁ ଭରସା । ବାହାର ଚିରା ପାଲକୁ ଚିରି ଘର ଭତରେ ପଡ଼ୁ କି ବର୍ଷାର ପାଣି ସର ସର ହୋଇ ଗଳୁ ଯାହା ହେଲେ ବି ଏ କୁଡ଼ିଆ ଖର୍‌ଡକ ଗୋଟିଏ ବୋଲି ଭରସା ।

Advertisment

କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ଅମେଇପାଳ ପଞ୍ଚାୟତ ମହାନଙ୍ଗଳା ଗାଁଞର ଧୀରେନ୍, କଲ୍ୟାଣୀ ପଲେଇ । ପିଲାପିଲି କିଛି ନାହାନ୍ତି । ଦୁହେଁ ଦୁହିଁଙ୍କ ମୁହଁ ଚାହିଁ ବଞ୍ଚିଛନ୍ତି । ଅଭାବ ପରିବାରରେ ଦୁଇ ପ୍ରାଣୀ ଦୁହେଁ ଦୁହିଁଙ୍କ ଭରସା । ମୂଲ ମଜୁରି କରି ଧୀରେନ୍ ଯାହା ଦି ପଇସା ପାଉଥିଲେ ସେଥିରେ ଦୁହେଁ ଚଳିଯାଉଥିଲେ । ଘରଟିଏ କରିବାକୁ ନିଅଁ ପକାଇ ଅଧା କାନ୍ଥ ବି ଉଠାଇଥିଲେ । ହେଲେ ଦେହରେ ରୋଗ ପଶିଲା । କାମକୁ ଯିବା ବନ୍ଦ ହୋଇଗଲା । କାନ୍ଥ ସେଇଠି ଅଧପନ୍ରିଆ ହୋଇ ରହିଗଲା । ତା’ଉପରେ ଚାଳ ଛପର କରି ରହିଲେ । ହେଲେ ୟା ଭିତରେ ବିତିଗଲାଣି ଅନେକ ଦିନ, ଛପର ଉଡ଼ିଗଲାଣି । ଘୋର ଅର୍ଥାଭାବରୁ ଆଉ ଛପର ବି କରିପାରୁନାହାନ୍ତି । ଘର ଖଣ୍ଡେ ପାଇଁ ସରପଞ୍ଚଙ୍କଠାରୁ ଜିଲ୍ଲାପାଳ କେତେ କାହାକୁ କହି ସାରାଲେଣି । କେହି ଶୁଣିବାକୁ ନାରାଜ ।

ଅଧିକ ପଢ଼ନ୍ତୁ : ସମୀରରୁ ସମୀରା... ଲିଙ୍ଗ ପରିବର୍ତ୍ତନ ପରେ ବି ଜିତିଲେ ଦୁନିଆ

ଜମି ବୋଲି ଗୁଣ୍ଠେ ନାହିଁ । ସାହିପଡ଼ିସାଙ୍କଠୁ ମାଗିଯାଚି ଚଳିବାକୁ ପଡ଼ୁଛି । ଭାତ ଥାଳି କହିଦେଉଛି ଅଭାବର ଅକୁହା କଥା । ଅନ୍ତ୍ୟୋଦୟ ଯୋଜନାରେ ଚାଉଳ ମିଳୁଛି ବୋଲି ଯାହା ଭାତ ଫୁଟୁଛି ଆଉ ବିଡ଼ିରୁ ଶାଗ ଦିଟା ତୋଳିଆଣି ଖରଡ଼ିଦେବା କଥା । ଶୁଖିଲା ଭାତକୁ ଶାଗ ଖରଡ଼ା, ଏତିକିରେ ଜୀବନଟା ରହିଯିବା କଥା । ସ୍ୱାମୀ, ସ୍ତ୍ରୀ ଦୁହେଁ ଏକାଧିକ ରୋଗରେ ପୀଡ଼ିତ । ହେଲେ ଯେଉଁଠି ପର ହାତ ଟେକାରେ ପେଟ ପୁରୁଛି ସେଠି ଔଷଧ ଟିକେ କିଣିବା ସ୍ୱପ୍ନ । ଧୀରେନଙ୍କ ଏଭଳି କଷ୍ଟ ଦେଖି ପଡ଼ିଶା ମନ ତରଳି ଯାଉଛି ହେଲେ ପ୍ରଶାସନ କି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ନିଘା ନାହିଁ ।

ଆଶା ଓ ବିଶ୍ୱାସ ଧୀରେନ୍ ଓ କଲ୍ୟାଣୀଙ୍କ ଏ କଷ୍ଟ ଗଣମାଧ୍ୟମରେ ଦେଖିବା ପରେ ତାଙ୍କ ଦୁଃଖ ନିଶ୍ଚୟ ବୁଝିବେ ପ୍ରଶାସନ ।