କନକ ବ୍ୟୁରୋ: ନିଜ ଅସ୍ତିତ୍ୱକୁ ଖୋଜିବା ପାଇଁ ସମାଜ ସହ ଲଢ଼େଇ କରିବାକୁ ପଡ଼େ । କିନ୍ତୁ ଯେତେବେଳେ ଲଢ଼େଇ ନିଜ ଶରୀର ସହ ହୁଏ, ସେତେବେଳେ ଜନ୍ମ ନିଏ ଏକ ନୂଆ ପରିଚୟ । ପୁରୁଷର ଦେହ ଭିତରେ ଲୁଚି ରହିଥିଲା ନାରୀର ସ୍ପନ୍ଦନ । ସମୀର ନାୟକରୁ ସେ ସାଜିଲେ ସମୀରା ମାଡାମ । ଓଡ଼ିଶାର ପ୍ରଥମ ଟ୍ରାନ୍ସ-ୱୁମେନ୍ ଆର୍ଟିଷ୍ଟ ଭାବେ ଗଞ୍ଜାମର ଏହି ଝିଅ ଆଜି ସୃଷ୍ଟି କରିଛନ୍ତି ଏକ ନୂଆ ଇତିହାସ । 

Advertisment

ଅଧିକ ପଢ଼ନ୍ତୁ:ରାଷ୍ଟ୍ରପତି ହୋଇ ବି ଭୁଲିନାହାନ୍ତି ନିଜ କର୍ତ୍ତବ୍ୟ...

ପୁଅଟିଏ ହୋଇ ଜନ୍ମ ହୋଇଥିଲେ ସତ କିନ୍ତୁ ବିଧାତାଙ୍କ ଖେଳ ଥିଲା କିଛି ଅଲଗା । ପାଠ ପଢ଼ା ବୟସରୁ ହିଁ ଶରୀର ଆଉ ମନ ଭିତରେ ଆରମ୍ଭ ହୋଇଥିଲା ଦ୍ୱନ୍ଦ୍ୱ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ ସମୀରଙ୍କ ଚାଲିଚଳନରେ ପରିବର୍ତ୍ତନ ଦେଖି ବାପା-ମା' ସ୍ୱପ୍ନ ଭାଙ୍ଗିବାର ଭୟ ଥିଲା । 

ପୁଅ ସାଙ୍ଗଙ୍କ ଅପେକ୍ଷା ଝିଅଙ୍କ ମେଳରେ ରହିବାକୁ ସମୀରା ଭଲ ପାଉଥିଲେ । କିନ୍ତୁ ଶିକ୍ଷା ଓ କଳା ପ୍ରତି ଥିବା ନିଷ୍ଠା ତାଙ୍କୁ କେବେ ଅଟକାଇ ନଥିଲା । ଯୁବକ ଅବସ୍ଥାରେ ସେ ନେଇଥିଲେ ଏକ ବଡ଼ ନିଷ୍ପତ୍ତି । ବ୍ୟୟବହୁଳ ଅସ୍ତ୍ରୋପଚାର କରି ନିଜ ଲିଙ୍ଗ ପରିବର୍ତ୍ତନ କଲେ ସମୀର । ଆଉ ସେହିଦିନ ଜନ୍ମ ନେଲା 'ସମୀରା ନାୟକ'। ଆଜି ସେ କେବଳ ଜଣେ କଳାକାର ନୁହଁନ୍ତି, ବରଂ ଓଡ଼ିଶାର ପ୍ରଥମ ଟ୍ରାନ୍ସ-ୱିମେନ୍ ଆର୍ଟିଷ୍ଟ ଭାବେ ନିଜକୁ ଗଢ଼ି ତୋଳିଛନ୍ତି ।

ସମୟର ଚକ୍ର ଦେଖନ୍ତୁ... ଯେଉଁ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଦିନେ ସମୀର ଛାତ୍ର ସାଜି ପଢୁଥିଲେ, ଆଜି ସେହି କଲେଜରେ ସମୀରା ସାଜିଛନ୍ତି ଅତିଥି ଅଧ୍ୟାପିକା । ଇଣ୍ଡିଆନ୍ ପେଣ୍ଟିଂ ବିଭାଗରେ ଛାତ୍ରଛାତ୍ରୀଙ୍କୁ କଳାର ଗୁଣ ଶିଖାଉଛନ୍ତି ସେ । କେବଳ ଛାତ୍ରଛାତ୍ରୀ ନୁହଁନ୍ତି, ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ସମୀରାଙ୍କ ଏହି ସାହସିକ ଯାତ୍ରା ପାଇଁ ବେଶ୍ ଗର୍ବ ଅନୁଭବ କରନ୍ତି । 

ଅଧିକ ପଢ଼ନ୍ତୁ: କେଉଁ ତାରିଖରେ ପଡୁଛି ମହାଶିବରାତ୍ରି ?

ସମାଜର ତାତ୍ସଲ୍ୟକୁ ପଛରେ ପକାଇ, ନିଜ ଦକ୍ଷତା ବଳରେ ଆଜି ସେ ସମସ୍ତଙ୍କ ପ୍ରିୟ 'ସମୀରା ମାଡାମ' ବନିପାରିଛନ୍ତି । ଆଗକୁ ଚିତ୍ରକଳା କ୍ଷେତ୍ରରେ ଓଡ଼ିଶାର ନାଁ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ସମୀରା । ସମୀରାଙ୍କ ଏହି କାହାଣୀ ପ୍ରମାଣ କରିଛି ଯେ, ଯଦି ମନରେ ସାହସ ଆଉ ହାତରେ କଳା ଥାଏ, ତେବେ କୌଣସି ଲିଙ୍ଗ, ଜାତି, ବର୍ଣ୍ଣ ଆପଣଙ୍କୁ ରୋକି ପାରିବ ନାହିଁ ।