କନକ ବ୍ୟୁରୋ: ଚଳିତ ଟି-୨୦ ବିଶ୍ୱକପର ସବୁଠୁ ବଡ଼ ଫାଇନାଲ ମ୍ୟାଚ୍ ପାଇଁ ପ୍ରସ୍ତୁତ ଅହମ୍ମଦାବାଦ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମହାଲଢ଼େଇ ଦୁନିଆର ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । କିନ୍ତୁ ଖେଳାଳିଙ୍କ ପ୍ରଦର୍ଶନ ପୂର୍ବରୁ ସମସ୍ତଙ୍କ ନଜର ରହିଛି ପିଚ୍ ଉପରେ । କଣ ରହିଛି ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ରହସ୍ୟ? ଟସ୍ ଜିତିଲେ କଣ କରିବା ଉଚିତ୍? ଆସନ୍ତୁ ଜାଣିବା...

Advertisment

ଆହୁରି ପଢ଼ନ୍ତୁ: ଫାଇନାଲରେ ଯଦି ବର୍ଷା ଭିଲେନ୍ ସାଜେ, କେଉଁ ଟିମ୍ ପିନ୍ଧିବ ବିଜୟ ମୁକୁଟ?

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ଆସନ୍ତା ରବିବାର ଦିନ ପ୍ରାୟ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ଗର୍ଜନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଷ୍ଟାଡିୟମରେ ମୋଟ ୧୧ଟି ପିଚ୍ ରହିଛି, ଯେଉଁଥିରେ ଉଭୟ ଲାଲ୍ ମାଟି ଏବଂ କଳା ମାଟିର ବ୍ୟବହାର କରାଯାଇଛି । ବିଶ୍ୱକପ ଫାଇନାଲ ପାଇଁ କେଉଁ ପିଚ୍ ବ୍ୟବହାର ହେବ, ତାହା ଉଭୟ ଦଳର କ୍ୟାପଟେନ୍ ଏବଂ ପାଣିପାଗ ମୁଡ ଉପରେ ନିର୍ଭର କରୁଛି ।

ସାଧାରଣତଃ ଏହି ଗ୍ରାଉଣ୍ଡରେ କଳା ମାଟିର ପିଚ୍ ବ୍ୟାଟରଙ୍କ ପାଇଁ ସ୍ୱର୍ଗ ସଦୃଶ । ଏଠାରେ ବଲ୍ ବ୍ୟାଟକୁ ଭଲ ଭାବେ ଆସେ ଏବଂ ବାଉଣ୍ଡ୍ରି ଛୋଟ ହୋଇଥିବାରୁ ରନର ପାହାଡ଼ ଦେଖିବାକୁ ମିଳେ । ଯଦି ପିଚ୍ ଶୁଖିଲା ରହେ, ତେବେ ପାୱାରପ୍ଲେରେ ବଡ଼ ଶଟ୍ ଖେଳିବା ସହଜ ହେବ । କିନ୍ତୁ ଯଦି ଲାଲ୍ ମାଟିର ପିଚ୍ ବ୍ୟବହାର କରାଯାଏ, ତେବେ ସ୍ପିନରମାନେ ବ୍ୟାଟରଙ୍କୁ ନିୟନ୍ତ୍ରଣରେ ରଖିବେ ।

ଆହୁରି ପଢ଼ନ୍ତୁ: ଇଂଲଣ୍ଡକୁ ହରାଇ ଭାରତ ଫାଇନାଲରେ

କ’ଣ କହୁଛି ଏହି ପିଚ୍ ରିପୋର୍ଟ?

କଳା ମାଟି: ଭଲ ବାଉନ୍ସ ଏବଂ ବ୍ୟାଟିଂ ପାଇଁ ଅନୁକୂଳ
ଲାଲ୍ ମାଟି: ସ୍ପିନରଙ୍କୁ ସହାୟତା ଏବଂ ବଲ୍ ଧିରେ ଆସିବ
ହାରାହାରି ସ୍କୋର: ୧୭୦-୧୯୦ (ଟି-୨୦ ଫର୍ମାଟରେ)

ଫାଇନାଲ ମ୍ୟାଚରେ ଟସ୍‌ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ରାତିରେ ମ୍ୟାଚ୍ ହେଉଥିବାରୁ ‘ଫ୍ୟାକ୍ଟର ଡିଉ’ ପଡ଼ିବାର ସମ୍ଭାବନା ରହିଛି । ଯଦି କାକର ପଡ଼େ , ତେବେ ଦ୍ୱିତୀୟ ପାଳିରେ ବୋଲିଂ କରିବା କଷ୍ଟକର ହୋଇପାରେ । ତେଣୁ ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରନ୍ତି, ଯାହାଦ୍ୱାରା ଲକ୍ଷ୍ୟକୁ ପିଛା କରିବା ସହଜ ହେବ ।

ଭାରତୀୟ ବ୍ୟାଟରଙ୍କ ପାଇଁ ଏହି ପିଚ୍ ଏକ ବଡ଼ ସୁଯୋଗ । ଖାସ୍ କରି ହାର୍ଦ୍ଦିକ ପଣ୍ଡ୍ୟା, ଅକ୍ଷର ପଟେଲ ଏବଂ ବୁମରାହ ଭଳି ଖେଳାଳି ଯେଉଁମାନେ ଏହି ପଡ଼ିଆକୁ ନିଜର 'ହୋମ୍ ଗ୍ରାଉଣ୍ଡ' ଭାବେ ଜାଣନ୍ତି, ସେମାନେ ନ୍ୟୁଜିଲାଣ୍ଡକୁ କଡ଼ା ଟକ୍କର ଦେଇପାରିବେ । କିନ୍ତୁ କିୱି ଦଳର ବୋଲରମାନେ ମଧ୍ୟ ଭାରତର ପିଚ୍‌ରେ ଧିମା ବଲ୍ ପକାଇବାରେ ପାରଙ୍ଗମ । ମୋଟାମୋଟି ଭାବେ କହିବାକୁ ଗଲେ, ଅହମ୍ମଦାବାଦର ପିଚ୍‌ରେ ଯିଏ ଧୈର୍ଯ୍ୟ ରଖିବ ଏବଂ ପଡ଼ିଆ ଭିତରେ ମାଇଣ୍ଡ୍ ଗେମ୍ ଖେଳିବ ସେଇ ଟିମ୍ ହିଁ ବିଶ୍ୱବିଜୟୀ ହେବ ।