BIHAR SPEAKER Photograph: (KANAK NEWS)
କନକ ବ୍ୟୁରୋ: ବିହାରରେ ସରକାର ଗଠନ ହେବା ସହିତ ମନ୍ତ୍ରିମଣ୍ଡଳ ଭିତରେ ବିଭାଗ ମଧ୍ୟ ବଣ୍ଟା ସରିଛି । ମନ୍ତ୍ରୀମାନଙ୍କ ଭିତରେ ବିଭାଗ ବଣ୍ଟା ବେଳେ ବିଜେପି ଗୃହ ବିଭାଗକୁ ନିଜ ପାଖରେ ରଖିଥିବାବେଳେ, ଅଧାରୁ ଅଧିକ ମନ୍ତ୍ରିପଦ ମଧ୍ୟ ନିଜ ପାଖରେ ରଖିଛି । ତେଣୁ ଏବେ ଚର୍ଚ୍ଚା, ଆଗକୁ ବିଧାନସଭାରେ କିଏ ହେବ ବାଚସ୍ପତି? ବାଚସ୍ପତି ପଦ ବିଜେପି ପାଖରେ ରହିବ, ନା ଜେଡିୟୁ ପାଖରେ?
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ନିଜ କ୍ୟାବିନେଟର ପ୍ରଥମ ବୈଠକ ଡାକିଥିଲେ । ଏହି ବୈଠକରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି । ଏହି ବୈଠକରେ ବିହାର ବିଧାନସଭାର ୨୪୩ ବିଧାୟକ ଶପଥ ନେବେ ଆଉ ଏହି ବୈଠକରେ ବାଚସ୍ପତି ମଧ୍ୟ ନିର୍ବାଚିତ ହୋଇପାରନ୍ତି । ତେବେ ଗତ ବିଧାନସଭାରେ ବାଚସ୍ପତି ପଦ ବିଜେପି ପାଖରେ ରହିଥିଲା, ଆଉ ଗୃହ ବିଭାଗ ଜେଡିୟୁ ପାଖରେ ରହିଥିଲା । ତେଣୁ ଏଥର ଯେହେତୁ ବିଜେପି ପାଖରେ ଗୃହ ବିଭାଗ ରହିଛି , ତେଣୁ ଜେଡିୟୁ ବାଚସ୍ପତି ପଦ ନିଜ ପାଖରେ ରଖିବାକୁ ଦାବି କରୁଥିବା କୁହାଯାଉଛି ।
ବାଚସ୍ପତି ପଦ ଉପରେ ବିଜେପିର ନଜର
ବିଜେପି ଟିକେଟରୁ ଗୟା ସିଟରୁ ନିର୍ବାଚନ ଜିତିଥିବା ବିଧାୟକ ପ୍ରେମ କୁମାର ବିଧାନସଭାର ବାଚସ୍ପତି ରେସରେ ସବୁଠୁ ଆଗରେ ରହିଛନ୍ତି । କୁହାଯାଉଛି ଦଳର ଜଣେ ବରିଷ୍ଠ ନେତା ଭାବେ ତାଙ୍କୁ ବାଚସ୍ପତି ପଦ ଦିଆଯାଇପାରେ । କାହିଁକି ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ଦିଆଯାଇନି, ତେଣୁ ଚର୍ଚ୍ଚା ହେବା ସ୍ୱାଭାବିକ ତାଙ୍କୁ ବାଚସ୍ପତି ପଦ ମିଳିପାରେ । ଏହାର ଏକମାତ୍ର କାରଣ ହେଉଛି, ବିଜେପି ଗୃହ ବିଭାଗ ନିଜ ପାଖରେ ରଖିବା ପରେ ଏବେ ବାଚସ୍ପତି ପଦ ମଧ୍ୟ ନିଜ ପାଖରେ ରଖିବାକୁ ସବୁ ରଣନୀତି ଆପଣାଇବା ଆରମ୍ଭ କରିଛି । ଅନ୍ୟପଟେ ଜେଡିୟୁ ମଧ୍ୟ ବାଚସ୍ପତି ପଦ ନିଜ ପାଖରେ ରଖିବାକୁ ଦାବି କରୁଛି ।
ଆହୁରି ପଢ଼ନ୍ତୁ : ହି-ମ୍ୟାନ୍ଙ୍କ ସଂଘର୍ଷର କାହାଣୀ: ଗ୍ୟାରେଜ୍ରେ ଶୋଉଥିଲେ, ୨୦୦ଟଙ୍କାରେ ମାସେ ଚଳୁଥିଲେ
୨୦୨୦ରେ ଯେତେବେଳେ ବିଜେପି-ଜେଡିୟୁ ସରକାର ଗଠନ ହୋଇଥିଲା, ସେତେବେଳେ ବାଚସ୍ପତି ପଦ ବିଜେପି ପାଖରେ ରହିଥିଲା । ସେତେବେଳେ ବିଜେପି ନେତା ବିଜୟ କୁମାର ସିହ୍ନା ବିଧାନସଭାର ବାଚସ୍ପତି ହୋଇଥିଲେ । ଏହାପରେ ୨୦୨୪ରେ ନୀତିଶ ପୁଣିଥରେ ବିଜେପି ସହିତ ମିଶି ସରକାର ଗଠନ କରିଥିଲେ । ଆଉ ସେତେବେଳେ ବାଚସ୍ପତି ପଦ ନନ୍ଦ କିଶୋର ଯାଦବଙ୍କୁ ଦିଆଯାଇଥିଲା । ହେଲେ ଏଥର କିନ୍ତୁ ନନ୍ଦ କିଶୋର ଯାଦବ ବିଧାନସଭା ନିର୍ବାଚନ ଲଢ଼ିନାହାଁନ୍ତି, ତେଣୁ ଏହି କାରଣରୁ ବିଜେପି ନିଜ ପାଖରେ ବାଚସ୍ପତି ପଦ ରଖିବାକୁ ଦାବି କରୁଛି ।
ଜେଡିୟୁ ମଧ୍ୟ ନଜର ରଖିଛି
ଆପଣ ଭଲ ଭାବେ ଜାଣିଥିବେ ବିହାରରେ ବିଧାନସଭା ସହିତ ବିଧାନ ପରିଷଦ ମଧ୍ୟ ରହିଛି । ବିଧାନ ପରିଷଦର ଅଧ୍ୟକ୍ଷ ପଦ ବିଜେପି ପାଖରେ ରହିଥିବା କାରଣରୁ ଏବେ ବିଧାନସଭାର ଅଧ୍ୟକ୍ଷ ପଦ ଜେଡିୟୁ ନିଜ ପାଖରେ ରଖିବାକୁ ଚାହୁଁଛି । ଅନ୍ୟପଟେ ଯେହେତୁ ବିଜେପି କୋଟାରୁ ଏଥର ଅଧାରୁ ଅଧିକ ମନ୍ତ୍ରିପଦ ରହିଛି, ତେଣୁ ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଜେଡିୟୁ ବିଧାନସଭାର ଅଧ୍ୟକ୍ଷ ପଦ ଦାବି କରିବା ବି ସ୍ୱାଭାବିକ କଥା ।
ଆହୁରି ପଢ଼ନ୍ତୁ : ବଲିଉଡ୍ରେ ଶୋକର ଛାୟା, ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ ଧର୍ମେନ୍ଦ୍ର
ବିହାରର ଏନଡିଏ ସରକାରରେ ଏବେ ଜେଡିୟୁ କୋଟାରୁ କେବଳ ୮ ଜଣ ମନ୍ତ୍ରୀ ହୋଇଥିବାବେଳେ, ୧୪ ଜଣ ବିଜେପି କୋଟାରୁ ମନ୍ତ୍ରୀ ହୋଇଛନ୍ତି । ଏମିତି କି ନୀତିଶ କୁମାର ଗୃହ ବିଭାଗ ମଧ୍ୟ ଛାଡ଼ିଦେଇଛନ୍ତି । ତେଣୁ ଏହି ହିସାବରେ ସରକାରରେ ବିଜେପିର ପଲ୍ଲା ଭାରି ରହିଛି । ତେଣୁ ସତ୍ତାର ସମୀକରଣ ଦୃଷ୍ଟିରୁ ଜେଡିୟୁ ଏବେ ବାଚସ୍ପତି ପଦ ଦାବି କରୁଛି ।
କେବେ ହେବ ବାଚସ୍ପତି ନିର୍ବାଚନ?
ଗତ ନଭେମ୍ବର ୧୪ ତାରିଖରେ ଆସିଥିଲା ବିହାର ବିଧାନସଭାର ରେଜଲ୍ଟ । ଆଉ ନଭେମ୍ବର ୨୦ ତାରିଖରେ ମନ୍ତ୍ରିମଣ୍ଡଳ ଗଠନ ହୋଇଥିଲା । ତେଣୁ କୁହାଯାଉଛି ଖୁବଶୀଘ୍ର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବ । ଏହି ଅଧିବେଶନରେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବା ସହିତ ବାଚସ୍ପତି ନିର୍ବାଚନ ମଧ୍ୟ ହେବ ।
Follow Us