କନକ ବ୍ୟୁରୋ: ବଦଳିବାକୁ ଯାଉଛି ଦିଲ୍ଲୀର ପ୍ରଶାସନିକ ରୂପରେଖ । ବଦଳିବାକୁ ଯାଉଛି ଜିଲ୍ଲାର ସଂଖ୍ୟା ଆଉ ଜିଲ୍ଲାର ନାମ । ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀର ପ୍ରଶାସନିକ ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ଦିଲ୍ଲୀରେ ୧୧ଟି ଜିଲ୍ଲା ଥିବାବେଳେ ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇବ । ସରକାର ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଥିବାବେଳେ, ବର୍ତ୍ତମାନ କେବଳ ଉପ-ରାଜ୍ୟପାଳ ଶେଷ ନିଷ୍ପତ୍ତି ଗ୍ରହଣ କରିବେ ।

Advertisment

କଣ ବଦଳିବ?

ନୂଆ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଲୋକଙ୍କୁ ଆଉ ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି । ସେଥିପାଇଁ ଜିଲ୍ଲାଗୁଡ଼ିକୁ ମ୍ୟୁନିସିପାଲ୍ ଜୋନ୍ ଆଧାରରେ ସୀମାବଦ୍ଧ କରାଯିବ। ଅନେକ ଜିଲ୍ଲାର ନାମ ମଧ୍ୟ ପରିବର୍ତ୍ତନ କରାଯିବ ।

  • ସଦର ଜୋନ୍ ବଦଳରେ ହେବ ପୁରୁଣା ଦିଲ୍ଲୀ ଜିଲ୍ଲା 
  • ଯମୁନା କୂଳରେ ଥିବା ପୂର୍ବ ଏବଂ ଉତ୍ତର-ପୂର୍ବ ଜିଲ୍ଲାଗୁଡ଼ିକୁ ଶାହଦରା ଉତ୍ତର ଏବଂ ଶାହଦରା ଦକ୍ଷିଣ ଭାବରେ ନାମିତ କରାଯିବ।
  • ସିଭିଲ୍ ଲାଇନ୍ସ ଏବଂ ପୁରୁଣା ଦିଲ୍ଲୀ ପୃଥକ ଜିଲ୍ଲା ହେବ
  • ଦକ୍ଷିଣ ଏବଂ ପଶ୍ଚିମ ଅଂଶର କିଛି ଅଂଶ ନଜଫଗଡ଼ ଜିଲ୍ଲାରେ ଅନ୍ତର୍ଭୁକ୍ତ ହେବ

ଏପରି ହେଲେ ଦିଲ୍ଲୀରେ ମୋଟ ୧୩ଟି ଜିଲ୍ଲା ରହିବ । ଯାହାକି ହେଉଛି, ପୁରୁଣା ଦିଲ୍ଲୀ, କେନ୍ଦ୍ରୀୟ ପ୍ରତିରକ୍ଷା, ନୂଆ ଦିଲ୍ଲୀ, ସିଭିଲ୍ ଲାଇନ୍ସ, କାରୋଲ ବାଗ, କେଶବ ପୁରମ୍, ନରେଲା, ନଜଫଗଡ଼, ରୋହିଣୀ, ଶାହଦରା ଦକ୍ଷିଣ, ଶାହଦରା ଉତ୍ତର, ଦକ୍ଷିଣ ଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀ।

ଆହୁରି ପଢ଼ନ୍ତୁ : ରାଉରକେଲାରୁ ହାୱଡା ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ପଥରମାଡ଼

ସରକାରଙ୍କ ଯୋଜନା କ’ଣ?

ଏହି ଜିଲ୍ଲାଗୁଡ଼ିକରେ ଗୋଟିଏ ଛାତ ତଳେ ଲୋକଙ୍କୁ ସମସ୍ତ ସେବା ଯୋଗାଇବା ପାଇଁ ୧୩ଟି କ୍ଷୁଦ୍ର ସଚିବାଳୟ ପ୍ରତିଷ୍ଠା କରାଯିବ। ସବ୍ ଡିଭିଜନ୍ କାର୍ଯ୍ୟାଳୟ ମଧ୍ୟ ୩୩ ରୁ ୩୯ କୁ ବୃଦ୍ଧି ପାଇବ। ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ନଗର ନିଗମ ଜୋନ୍ ଏବଂ ଜିଲ୍ଲାକୁ ନେଇ ଗୋଟିଏ ଦ୍ୱନ୍ଦ୍ୱ ଲାଗି ରହିଥିଲା । ବଡ଼ ଜିଲ୍ଲା ହେବା କାରଣରୁ ଲୋକଙ୍କୁ ଅଧିକ ବାଟ କାମ ପାଇଁ ଯିବାକୁ ପଡ଼ୁଥିଲା । ହେଲେ ଏବେ ଆଉ କିନ୍ତୁ ସେପରି ହେବନାହିଁ ।