କନକ ବ୍ୟୁରୋ : ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୋକିମଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି କିଏ ସେ, ଗୋଟିଏ ଆସେମ୍ଲି ଜିତିଛନ୍ତି । ପ୍ରେସ୍ମିଟ୍ କାହିଁକି କଲେ, କାରଣ ଆପଣ ଦଳରେ ରହିବାକୁ ଚାହୁଁନାହାନ୍ତି । ଆପଣ ଯଦି ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ କିଏ କ’ଣ କରିପାରିବ । ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା କଲେ, ତାହା କଣ ପରିଶ୍ରମ ନୁହେଁ । ଚିଠି ଲେଖି ଆପଣ ରାହୁଲ ଗାନ୍ଧୀଙ୍କୁ ମାର୍ଗଦର୍ଶନ ଦେବେ ?
ଦିନରେ ମୋକିମଙ୍କ ବହିଷ୍କାର କରିଥିଲା କଂଗ୍ରେସ । ପକ୍ଷ ରଖିବାକୁ ସୁଯୋଗ ନ ମିଳିବା ଭିତରେ ସିଧା ଆକ୍ସନ ନେଇଛନ୍ତି ଭକ୍ତ । ଏହା ଭିତରେ ମୋକିମଙ୍କ ପରବର୍ତ୍ତୀ ରାଜନୈତିକ ଗୋଟିଚାଳନା କଣ ହେବ ତାହା ଉପରେ ନଜର । କଂଗ୍ରେସର ଦିଲ୍ଲୀ ଓ ଓଡ଼ିଶା ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଗତ ବୁଧବାର ସୋନିଆଙ୍କୁ ଚିଠି ଲେଖିଥିଲେ ମୋକିମ । ଭାବିଥିଲେ ଦିଲ୍ଲୀରୁ ଡାକରା ଆସିବ, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ । ହେଲେ ସୋମବାର ସକାଳେ ଭକ୍ତଙ୍କ ଦସ୍ତଖତରେ ଆସିଥିବା ଚିଠିରେ ମୋକିମଙ୍କୁ ବହିଷ୍କାରର ରାସ୍ତା ଦେଖାଇଛି କଂଗ୍ରେସ । ଦଳ ବିରୋଧୀର ଟ୍ୟାଗ୍ ଲଗାଇଛି । ଦଳର ନିଷ୍ପତ୍ତିକୁ ନେଇ ମୁହଁ ଖୋଲିଛନ୍ତି ମୋକିମ । କହିଛନ୍ତି, କଂଗ୍ରେସର କର୍ମୀ ବାଘ ଛୁଆ ବୋଲି ରାହୁଲ କହିଥିଲେ । ନ ଡରିବାକୁ ଆହ୍ୱାନ ଦେଇଥିଲେ । ଯାହାକୁ ପାଳନ କରି ଦଳକୁ ଆଇନା ଦେଖାଇବାରୁ କଂଗ୍ରେସରୁ ବିଦା ହେଲି । ଦଳର ଭଲ ପାଇଁ କହିବା କ’ଣ ଦଳ ବିରୋଧୀ କାର୍ଯ୍ୟ କି ବୋଲି ପ୍ରଶ୍ନ କରିଛନ୍ତି ।
ଅଧିକ ପଢ଼ନ୍ତୁ : ମୋକିମଙ୍କୁ ମହଙ୍ଗା ପଡ଼ିଲା ନେତୃତ୍ୱ ବିରୋଧରେ ଚିଠି; ଡାକିଲେନି ସୋନିଆ, ବିଦା କଲା କଂଗ୍ରେସ
ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ସମର୍ଥନରେ ବାହାରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସରେ ମୋକିମଙ୍କ ଭଳି ଅନେକ ନେତାଙ୍କର ଆବଶ୍ୟକତା ଅଛି । ନେତାଙ୍କ ମନରୁ ଅସନ୍ତୋଷ ଦୂର କରିବା ଦଳର କର୍ତ୍ତବ୍ୟ । କଂଗ୍ରେସ ଏବେ ରାଜ୍ୟରେ ଦୁର୍ବଳ ଅଛି । ଶକ୍ତିଶାଳୀ କରିବାକୁ ଉଦ୍ୟମ କରନ୍ତୁ ନେତା । ଅନ୍ୟପଟେ କଂଗ୍ରେସ ମୁଖପାତ୍ର ଜବାବ ରଖି କହିଛନ୍ତି, ବିଜେପି ଆଳାପ କରୁଥିଲେ ମୋକିମ । କଂଗ୍ରେସକୁ ଗଢ଼ିବାକୁ ନୁହେଁ, ବିଗାଡ଼ିବାକୁ ଚେଷ୍ଟା କରୁଥିଲେ । ଭକ୍ତ ଓ ମୋକିମଙ୍କ ମଧ୍ୟରେ ତୁଳନାତ୍ମକ ଚିତ୍ର ରଖି କଡାଗଣ୍ଡା ହିସାବ ରଖିଛି କଂଗ୍ରେସ ।
ବହିଷ୍କାର ପରେ ମଧ୍ୟ ରାଜନୀତି ସରିନାହିଁ ବୋଲି କହିଛନ୍ତି ମୋକିମ । ତେଣୁ ମୋକିମଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ? ନୂଆ ଦଳ ଗଢ଼ିବେ ନା ବିଜେପିକୁ ଢଳିବେ ତା ଉପରେ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/15/pcc-chief-bhakta-charan-das-2025-12-15-23-11-03.jpeg)