କନକ ବ୍ୟୁରୋ : ଚିଠି ଲେଖି ଦଳରୁ ବିଦା ହେଲେ ମୋକିମ । ହାତ ଛାଡିଦେଲା କଂଗ୍ରେସ । ନା କାରଣ ଦର୍ଶାଅ ନୋଟିସ ଆସିଲା ନା ଦିଲ୍ଲୀ ଡକରା ହେଲା । ପକ୍ଷ ରଖିବାକୁ ସୁଯୋଗ ନ ମିଳିବା ଭିତରେ ସିଧା ଆକ୍ସନ ନେଇଛନ୍ତି ଭକ୍ତ । ଏହା ଭିତରେ ମୋକିମଙ୍କ ପରବର୍ତ୍ତୀ ରାଜନୈତିକ ଗୋଟିଚାଳନା କଣ ହେବ ତାହା ଉପରେ ନଜର ।

Advertisment

କଂଗ୍ରେସର ଦିଲ୍ଲୀ ଓ ଓଡ଼ିଶା ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଗତ ବୁଧବାର ସୋନିଆଙ୍କୁ ଚିଠି ଲେଖିଥିଲେ ମୋକିମ । ଭାବିଥିଲେ ଦିଲ୍ଲୀରୁ ଡାକରା ଆସିବ, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ । ହେଲେ ସୋମବାର ସକାଳେ ଭକ୍ତଙ୍କ ଦସ୍ତଖତରେ ଆସିଥିବା ଚିଠିରେ ମୋକିମଙ୍କୁ ବହିଷ୍କାରର ରାସ୍ତା ଦେଖାଇଛି କଂଗ୍ରେସ । ଦଳ ବିରୋଧୀର ଟ୍ୟାଗ୍‌ ଲଗାଇଛି । ଦଳର ନିଷ୍ପତ୍ତିକୁ ନେଇ ମୁହଁ ଖୋଲିଛନ୍ତି ମୋକିମ । କହିଛନ୍ତି, କଂଗ୍ରେସର କର୍ମୀ ବାଘ ଛୁଆ ବୋଲି ରାହୁଲ କହିଥିଲେ । ନ ଡରିବାକୁ ଆହ୍ୱାନ ଦେଇଥିଲେ । ଯାହାକୁ ପାଳନ କରି ଦଳକୁ ଆଇନା ଦେଖାଇବାରୁ କଂଗ୍ରେସରୁ ବିଦା ହେଲି । ଦଳର ଭଲ ପାଇଁ କହିବା କ’ଣ ଦଳ ବିରୋଧୀ କାର୍ଯ୍ୟ କି ବୋଲି ପ୍ରଶ୍ନ କରିଛନ୍ତି ।

ଅଧିକ ପଢ଼ନ୍ତୁ : ମୋକିମଙ୍କୁ ତଡ଼ିଲା କଂଗ୍ରେସ, ଆଗକୁ କେଉଁ ଦଳ ?

ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ସମର୍ଥନରେ ବାହାରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସରେ ମୋକିମଙ୍କ ଭଳି ଅନେକ ନେତାଙ୍କର ଆବଶ୍ୟକତା ଅଛି । ନେତାଙ୍କ ମନରୁ ଅସନ୍ତୋଷ ଦୂର କରିବା ଦଳର କର୍ତ୍ତବ୍ୟ । କଂଗ୍ରେସ ଏବେ ରାଜ୍ୟରେ ଦୁର୍ବଳ ଅଛି । ଶକ୍ତିଶାଳୀ କରିବାକୁ ଉଦ୍ୟମ କରନ୍ତୁ ନେତା । ଅନ୍ୟପଟେ କଂଗ୍ରେସ ମୁଖପାତ୍ର ଜବାବ ରଖି କହିଛନ୍ତି, ବିଜେପି ଆଳାପ କରୁଥିଲେ ମୋକିମ । କଂଗ୍ରେସକୁ ଗଢ଼ିବାକୁ ନୁହେଁ, ବିଗାଡ଼ିବାକୁ ଚେଷ୍ଟା କରୁଥିଲେ । ଭକ୍ତ ଓ ମୋକିମଙ୍କ ମଧ୍ୟରେ ତୁଳନାତ୍ମକ ଚିତ୍ର ରଖି କଡାଗଣ୍ଡା ହିସାବ ରଖିଛି କଂଗ୍ରେସ ।

ବହିଷ୍କାର ପରେ ମଧ୍ୟ ରାଜନୀତି ସରିନାହିଁ ବୋଲି କହିଛନ୍ତି ମୋକିମ । ତେଣୁ ମୋକିମଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ? ନୂଆ ଦଳ ଗଢ଼ିବେ ନା ବିଜେପିକୁ ଢଳିବେ ତା ଉପରେ ନଜର ।