କନକ ବ୍ୟୁରୋ : ବିଜେଡିରେ କିଛି ଠିକ୍ ଠାକ୍ ଚାଲିନି । ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ବିଜେଡିକୁ ବେଦଖଲ କରୁଛି ବିଜେପି । ଏପଟେ କଂଗ୍ରେସ ନେତାଙ୍କ ମନ ମିଶୁନି । ଓଡ଼ିଶା ରାଜନୀତିର ଏଭଳି ଘଡ଼ିସନ୍ଧି ମୁହୂର୍ତରେ ନୂଆ ଆଂଚଳିକ ଦଳ ଗଠନ ଚର୍ଚ୍ଚା ଜୋର ଧରିଛି ।
୨୦୨୬ରେ କଡ଼ ଲେଉଟାଇପାରେ ଓଡ଼ିଶା ରାଜନୀତି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ ରଖି ଏବେଠୁ ମେଳି କଲେଣି ରାଜ୍ୟର ପ୍ରମୁଖ ଦଳର ବରିଷ୍ଠ, ଅସନ୍ତୁଷ୍ଟ ଓ ଅନୁଭବୀ ନେତା । ନିଜ ଦଳ ବିରୋଧରେ ଖୋଲା ମନ୍ତବ୍ୟ ଦେଇ ସୂଚାଇଲେଣି ନୂଆ ବର୍ଷରେ ସେମାନେ ନେଇପାରନ୍ତି ନୂଆ ନିଷ୍ପତ୍ତି । ଏପଟେ ନୂଆବର୍ଷରେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ବଢ଼ୁଛି ।
କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍, ବିଜେଡ଼ି ଛାଡ଼ିଥିବା ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଗତିବିଧି ଏମିତି ସଙ୍କେତ ଦେଉଛି । ଜିଲ୍ଲା ବୁଲି ସମର୍ଥକ ଯୋଗାଡ଼ କରୁଛନ୍ତି ମୋକିମ୍ । ଆଉ ଭାସ୍କର ରାଓ ଖୋଲି କହିଲେଣି ଯେ ନୂଆବର୍ଷରେ ଧମାକା ହେବ । ଅମର ଶତପଥୀ, ବିଜୟ ମହାପାତ୍ରଙ୍କ ଭଳି ବରିଷ୍ଠ ନେତାଙ୍କ ପୂର୍ବାନୁମାନ ହେଉଛି, ଆଗକୁ ଓଡ଼ିଶାରେ ବହୁତ କିଛି ଘଟଣା ଘଟିବ ।
ଅଧିକ ପଢ଼ନ୍ତୁ : ଘୋଷଣା ହେଲା BCJD ଆଉ BYJDର ରାଜ୍ୟସ୍ତରୀୟ କମିଟି; ଜାଣନ୍ତୁ, ଲିଷ୍ଟରେ ରହିଲେ କିଏ କିଏ?
ଓଡ଼ିଶା ରାଜନୀତିରେ ବିଜେଡିର ବଳ କମିବାରେ ଲାଗିଛି । ତଣୃମୂଳସ୍ତରରେ ସଂଗଠନ ସଜାଡ଼ୁଛି ବିଜେପି । ଅନ୍ତଃକନ୍ଦଳରୁ ମୁକୁଳିପାରୁନି କଂଗ୍ରେସ । ଏଭଳି ସ୍ଥିତିରେ ନୂଆ ଆଞ୍ଚଳିକ ଦଳ ଗଠନର ଚର୍ଚ୍ଚା ଜମିବା ସ୍ୱାଭାବିକ । ହେଲେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବକ୍ତବ୍ୟ ଚର୍ଚ୍ଚାକୁ ନୂଆ ମୋଡ଼ ଦେଇଛି । ତାଳଚେରରେ ଏକ ସଭାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଖାଲି ଦଳ ସୃଷ୍ଟି କରିଦେଲେ ହେବ ନାହିଁ । ଦଳମାନେ ତାଙ୍କ ଦାୟିତ୍ୱ ନିଭାଇବା ଅଭ୍ୟାସ କରନ୍ତୁ ।
୧୯୯୭ରେ ବିଜେଡି ଗଠନ ଓ ଲମ୍ୱା ୨୪ବର୍ଷ ଶାସନ ପରେ ସିଦ୍ଧ ହୋଇଛି ଯେ ଓଡ଼ିଶା ରାଜନୀତିରେ ଆଞ୍ଚଳିକ ଦଳ ବିଶେଷ ପ୍ରଭାବ ପକାଇପାରେ । ଏଣୁ ବିଜେପି ଓ କଂଗ୍ରେସକୁ ରୋକିବାକୁ ଆଉ ଏକ ଆଞ୍ଚଳିକ ଦଳ ହିଁ ଔଷଧ ବୋଲି ରାଜନୈତିକ ପଣ୍ଡିତ ମତ ରଖୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/28/new-regional-party-2025-12-28-20-03-50.jpg)