କନକ ବ୍ୟୁରୋ : ରାଜ୍ୟରେ ଗଠନ ହେବ କି ନୂଆ ଆଞ୍ଚଳିକ ଦଳ? ଗତକାଲି ବିଜୟ ମହାପାତ୍ରଙ୍କୁ, ମହମ୍ମଦ ମୋକିମ୍ ଭେଟିବା ପରେ ଏହି ଚର୍ଚ୍ଚା ଜୋର ରହିଛି । ଏହାରି ଭିତରେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କହିଛନ୍ତି, ନୂଆ ଦଳ ଗଠନ ହେବ, ଗଣମାଧ୍ୟମକୁ ଦିଆଯିବ ସୂଚନା । ହେଲେ ଏବେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ବିଜୟ ପଟ୍ଟନାୟକ । ଗୁରୁବାର ମୋକିମ୍‌ ଓ ବିଜୟ ମହାପାତ୍ରଙ୍କ ଭେଟଘାଟକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଜୟ ମହାପାତ୍ରଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଭେଟିଛନ୍ତି ମହମ୍ମଦ ମୋକିମ୍ । ପୂର୍ବରୁ ଏକ ସଭାରେ ନୂଆ ଦଳ ନେଇ ସଂକେତ ଦେଇଥିଲେ ବିଜୟ। ତେବେ କୌଣସି ରାଜନୈତିକ ଆଲୋଚନା ହୋଇନି, ବ୍ୟକ୍ତିଗତ ବାର୍ତ୍ତାଳାପ ହେଲା ବୋଲି ଉଭୟ ନେତା କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ : ୨୦୨୬ ରେ ଓଡ଼ିଶା ରାଜନୀତିରେ ହେବ କି ବଡ଼ ପରିବର୍ତ୍ତନ, ପୁରୁଖା ଓ ଯୁବ ନେତାଙ୍କୁ ନେଇ ଗଠନ ହୋଇପାରେ ଆଞ୍ଚଳିକ ଦଳ

ଏପଟେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ଭିତରେ ଜବାବ ରଖିଛି ବିଜେଡି । ଦଳ କହିଛି, ଯେଉଁମାନେ ସମୀକରଣ କରୁଛନ୍ତି ସେମାନେ ଜାଣିଥିବେ କେତେ ସଫଳ କେତେ ବିଫଳ ହେବେ। ଓଡ଼ିଶାରେ ଯେତେ ପ୍ରକାର ଦଳ ତିଆରି ହେଲେ ବି ବିଜେଡିର କ୍ଷତି ହେବ ନାହିଁ । ସାରା ଓଡ଼ିଶା ଲୋକ ବିଜୁ ବାବୁ ଓ ନବୀନ ବାବୁଙ୍କୁ ଭଲ ପାଉଛନ୍ତି । ଲୋକେ ଭଲ ପାଉଥିଲେ ସମୀକରଣ ତିଆରି କରିବେ । ଆମ ଦଳରୁ ବହୁତ ନେତା ଯାଇଛନ୍ତି ବହୁତ ନେତା ଆସିଛନ୍ତି। ବିଜେଡିର କିଛି ଅସୁବିଧା ହୋଇନି କି ହେବନାହିଁ ବୋଲି କହିଛି ଦଳ । 

ରାଜ୍ୟର ଅନେକ ଯୁବ ଓ ପୁରୁଖା ନେତା ବିଭିନ୍ନ କାରଣରୁ ଏବେ କୋଣଠେସା ହୋଇ ରହିଛନ୍ତି । ସେମାନେ କେଉଁ ଦଳରେ ଯୋଗ ଦେବେ ତାହା ସ୍ଥିର କରିପାରୁନାହାଁନ୍ତି । କାରଣ ରାଜ୍ୟରେ ବିଜେପି ସରକାର ଆସିବା ପରେ ଏବେ ବିଭିନ୍ନ ଦଳରୁ ଅନେକ ନେତା ବିଜେପିରେ ଯୋଗ ଦେଉଛନ୍ତି । ତେଣୁ ବିଜେପି ଡଙ୍ଗା ଭାରି ହୋଇଥିବା ବେଳେ ବିଜେପିକୁ ଯିବାକୁ ଚାହୁଁଥିବା ନେତାମାନେ ପଦ ପଦବୀ ମିଳିବ କି ନାହିଁ ସେ ଆଶଙ୍କାରେ ରହିଛନ୍ତି । ବିଜେଡି କ୍ଷମତାରେ ନାହିଁ, ତେଣୁ କ୍ଷମତାରେ ନଥିବା ଦଳକୁ ଯାଇ କ'ଣ ଲାଭ ମିଳିବ ବୋଲି କିଛି ନେତା ଭାବୁଛନ୍ତି । ସେହିଭଳି କଂଗ୍ରେସ ୨୫ ବର୍ଷ ହେବ କ୍ଷମତାକୁ ଫେରିପାରୁନଥିବାରୁ ନେତାମାନେ କଂଗ୍ରେସକୁ ଭରସା କରିପାରୁନାହାଁନ୍ତି । ଏହା ଭିତରେ ଯଦି ନୂଆ ଆଞ୍ଚଳିକ ଦଳ ଗଠନ ହୁଏ ତେବେ କୋଣଠେସା ନେତାମାନଙ୍କୁ ଏକାଠି କରି ବିଜେପି, ବିଜେଡି ଓ କଂଗ୍ରେସ ବିରୋଧରେ ଏକ ବିକଳ୍ପ ତିଆରି କରାଯାଇପାରିବ ବୋଲି କିଛି ନେତୃତ୍ୱ ଆଶା କରୁଥାଇପାରନ୍ତି ।