କନକ ବ୍ୟୁରୋ : ବିଧାନସଭା ଆସନ ସଂଖ୍ୟା ବଢ଼ିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସଂକେତ ପରେ ଓଡ଼ିଶା ରାଜନୀତିରେ ହଟଚମଟ । ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ଆଶାୟୀଙ୍କ ଆଶା ଆକାଶଛୁଆଁ ହେଲାଣି । ନିର୍ବାଚନମଣ୍ଡଳୀର ସୀମା ବଦଳିଲେ ନେତାଙ୍କ ଭାଗ୍ୟ ବଦଳିବ । କିଏ ଲାଭରେ ରହିବ ତ ପୁଣି କିଏ କ୍ଷତି ସହିବ । ତାହାକୁ ନେଇ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା ।

Advertisment

୨୦୨୯ ସାଧାରଣ ନିର୍ବାଚନ ବେଳକୁ ବଦଳିଯାଇଥିବ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟ । ଜନ୍ମ ନେଇଥିବ ନୂଆ ନିର୍ବାଚନମଣ୍ଡଳୀ । ବିଧାନସଭାରେ ପ୍ରତିନିଧିତ୍ୱ କରିବାକୁ ଅନେକ ନେତାଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ଏଭଳି ଆକଳନକୁ ଖୋରାକ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ଲୋକସେବା ଭବନ ଓ ବିଧାନସଭା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏଭଳି ସଂକେତ ଦେଇଛନ୍ତି । କହିଛନ୍ତି, ୩୦୦ ଆସନ ବିଶିଷ୍ଟ ନୂଆ ବିଧାନସଭା ନିର୍ମାଣ ହେବ । ସୀମା ପୁନଃନିର୍ଦ୍ଧାରଣ ହେଲେ ପାଖାପାଖି ୫୦ରୁ ଅଧିକ ସିଟ୍ ବଢ଼ିବ । ଓଡ଼ିଶାର ବିଧାନସଭା ବିଧାୟକଙ୍କ ସଂଖ୍ୟା ୨୦୦ ଛୁଇଁବ । ଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଭଳି ହେବ ଓଡ଼ିଶାର ବିଧାନସଭା ।

ଅଧିକ ପଢ଼ନ୍ତୁ : ତାରିଖ ଘୋଷଣା ହୋଇନଥିଲେ ବି ବଢ଼ିଲାଣି ରାଜ୍ୟସଭା ରାଜନୀତି, ଅଙ୍କ କଷିଲେଣି ଉଭୟ ବିଜେବପି ଓ ବିଜେଡି

୨୦୨୭ ଜନଗଣନା ପରେ ସୀମା ପୁନଃନିର୍ଦ୍ଧାରଣ ସହ ନୂଆ ନିର୍ବାଚନମଣ୍ଡଳୀ ପାଇଁ ବାଟ ଫିଟିବ । ଏନେଇ ଜାତୀୟ ଗଣମାଧ୍ୟମରେ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଛି । ନୂଆ ନିର୍ବାଚନମଣ୍ଡଳୀ ଗଠନ ପାଇଁ ୨ଟି ମାପଦଣ୍ଡ ରହିଛି । ଜନସଂଖ୍ୟା ଓ ଭୌଗୋଳିକ ଦୃଷ୍ଟିକୋଣକୁ ନଜରରେ ରଖି ନୂଆ ନିର୍ବାଚନମଣ୍ଡଳୀ କଥା ବିଚାରକୁ ନିଆଯାଇଥାଏ । ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କଟକ, କୋରାପୁଟ, ବଲାଙ୍ଗୀର, କେନ୍ଦୁଝର, ବାଲେଶ୍ୱର, କନ୍ଧମାଳ, ଖୋର୍ଦ୍ଧା ଜିଲ୍ଲାରେ ବଢିପାରେ ବିଧାନସଭା ନିର୍ବାଚନମଣ୍ଡଳୀ ସଂଖ୍ୟା । ମୁଖ୍ୟମନ୍ତ୍ରୀଙ୍କ ସଂକେତ ପରେ ବଢିଲାଣି ରାଜନୈତିକ ଚର୍ଚ୍ଚା ।

ଶେଷଥର ପାଇଁ ୧୯୭୩ ମସିହାରେ ଓଡ଼ିଶା ବିଧାନସଭା ଆସନ ସଂଖ୍ୟା ୧୪୦ରୁ ବଢ଼ି ୧୪୭ ହୋଇଥିଲା । ଶେଷଥର ପାଇଁ ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ସହ ବଦଳିଥିଲା ନିର୍ବାଚନମଣ୍ଡଳୀର ଭୌଗୋଳିକ ପରିସୀମା ।