କନକ ବ୍ୟୁରୋ : ନୂଆପଡ଼ାରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ । ନଭେମ୍ବର ୩ରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କରିବେ ପ୍ରଚାର । ନିର୍ବାଚନ ମାହୋଲ ଭିତରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଖରିଆର ରୋଡରେ ଥିବା ଘରେ ପୋଲିସର ଚଢ଼ାଉ । ସେପଟେ ନୂଆପଡ଼ା ଜିଲ୍ଲାପାଳ ଅଫିସ ଘେରିଲା ବିଜେଡି ।

Advertisment

ବାଜିରେ ଲାଗିଛି ନୂଆପଡ଼ା । ସମ୍ମାନର ବାଜି ଜିତିବାକୁ ସବୁ ବଳ କୌଶଳ ପ୍ରୟୋଗ କଲେଣି  ତିନି ରାଜନୈତିକ ଦଳ । ଆଗକୁ ପ୍ରଚାର ମିଟର ବଢାଇବାକୁ ଓହ୍ଲାଇବେ ରଥୀ ମହାରଥୀ । ନୂଆପଡ଼ା କହିବ କାହାର ଲୋକପ୍ରିୟତା କେତେ? ସେପଟେ ଆଜିଠାରୁ ଆରମ୍ଭ ହୋଇଛି ହୋମ୍‌ ଭୋଟିଂ । ନୂଆପଡ଼ାରେ ବଢିଲାଣି ନିର୍ବାଚନୀ ପାରଦ । ଘମୋଘୋଟ ଚାଲିଛି ପ୍ରଚାର । ବଳ କଷାକଷି ହେଉଛନ୍ତି ବିଜେପି-ବିଜେଡି- କଂଗ୍ରେସ । ଆଉ ପ୍ରଚାରର ବୁଷ୍ଟର ଡୋଜ ଦେବାକୁ ମଇଦାନକୁ ଓହ୍ଲାଇବେ ବିଜେପିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେଡି ମଙ୍ଗୁଆଳ ନବୀନ ପଟ୍ଟନାୟକ ।

ନୂଆପଡ଼ା ମୁକାବିଲା ମଇଦାନରେ ଆମ୍ନା ସାମ୍ନା ହେବେ ଦୁଇ ହେଭିୱେଟ୍‌ । ଆସନ୍ତା ସପ୍ତାହରେ ଦୁଇଦିନିଆ ପ୍ରଚାରରେ ଯିବେ ମୋହନ ମାଝୀ । ଅନେକ ସ୍ଥାନରେ ସମାବେଶ ସହିତ ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି । ସେହିପରି ନବୀନ ପଟ୍ଟନାୟକ ଆସନ୍ତା ୩ ଓ ୭ ତାରିଖରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ବାଚନମଣ୍ଡଳୀରେ ଏ ପରୀକ୍ଷା ହେବ ।

ଗ୍ରାଉଣ୍ଡରେ ପୂରା ଦମରେ ପ୍ରଚାର ଚଳେଇଛି କଂଗ୍ରେସ । ବିଜେପି-ବିଜେଡିକୁ ମାତ ଦେବାଲାଗି ଆଗକୁ କଂଗ୍ରେସର ରଥୀ ମହାରଥୀ ପ୍ରାର୍ଥୀ ଘାସୀରାମ ମାଝୀଙ୍କ ପାଇଁ ପ୍ରଚାର କରିବେ । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରଚାରରେ ସାମିଲ ହୋଇପାରନ୍ତି । ସେହିପରି ରାଜ୍ୟ ସ୍ତରୀୟ ସବୁ ତୁଙ୍ଗ ନେତା ଭୋଟରଙ୍କ ପାଖକୁ ଯିବେ ।