କନକ ବ୍ୟୁରୋ: ‘ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ମୋ ପାଇଁ ସରପ୍ରାଇଜ୍ ଥିଲା । ହେଲେ ନୂଆପଡ଼ା କିନ୍ତୁ  ମୋ ପାଇଁ ନୂଆ ନୁହେଁ । ମୁଁ ନୂଆପଡ଼ା ଲୋକଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେଣୁ ନବୀନ ପଟ୍ଟନାୟକ ଭାବିଲେ ମୁଁ ନୂଆପଡ଼ା ଗଲେ, ସେଠାରେ ଲୋକଙ୍କ ସେବା କରିପାରିବି ଆଉ ଦଳକୁ ଅଧିକ ସୁସଙ୍ଗଠିତ କରିପାରିବି । ତେଣୁ ନୂଆପଡ଼ା ପାଇଁ ସେ ମୋତେ ପ୍ରାର୍ଥୀ କରିଛନ୍ତି’, ନୂଆପଡ଼ା ଉପ-ନିର୍ବାଚନ ନେଇ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରିଆ କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଏମିତି କିଛି କଥା କହିଛନ୍ତି ।

Advertisment

ସେ କହିଛନ୍ତି, ମୁଁ ନୂଆପଡ଼ା ପଲିଟିକ୍ସରେ ବହୁତ ଦିନରୁ ଏଣ୍ଟ୍ରି ମାରିସାରିଛି । ୪ ବର୍ଷ କାଳ ସେଠାରେ ପର୍ଯ୍ୟବେକ୍ଷକ ଭାବେ କାମ କରିଛି । ଖାଲି ସେତିକି ନୁହେଁ ମୋ ମାମୁଁ ଘର ମଧ୍ୟ ନୂଆପଡ଼ା । ତେଣୁ ମୁଁ ଅନେକ ସମୟରେ ନୂଆପଡ଼ା ଯିବା ସହିତ ରାଜେନ୍ଦ୍ର ଢ଼ୋଲକିଆଙ୍କ ସହ ମିଶି ନୂଆପଡ଼ା ବୁଲିଛି । ନୂଆପଡ଼ାର ସମସ୍ୟା ସହ ମୁଁ ଜଡ଼ିତ । ତେଣୁ ନୂଆପଡ଼ାର ଲୋକ ମୋ ସହ ଅଛନ୍ତି, ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଲୋକ ଆଜି ବି ବହୁତ ଭଲ ପାଉଛନ୍ତି ବୋଲି କହିଛନ୍ତି ନୂଆପଡ଼ାର ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । 

କାହିଁକି ହେଲେ ପ୍ରାର୍ଥୀ?

ନୂଆପଡ଼ା ଉପ-ନିର୍ବାଚନରେ ବିଜେଡି ସ୍ନେହାଙ୍ଗିନୀଙ୍କୁ କାହିଁକି ପ୍ରାର୍ଥୀ କଲା ବୋଲି ପ୍ରଶ୍ନରେ ସେ କହିଛନ୍ତି, ମୁଁ ନୂଆପଡ଼ା ସହ ଜଡ଼ିତ ଥିଲି । ରାଜେନ୍ଦ୍ର ଢୋଲକିଆଙ୍କ ସହ ମିଶି ସବୁ ଅଞ୍ଚଳ ବୁଲିଛି । ତା ପରେ ମଧ୍ୟ ନୂଆପଡ଼ାର କିଛି ନେତୃମଣ୍ଡଳୀ ନବୀନଙ୍କୁ ଅନୁରୋଧ କରିଥିଲେ ମହିଳା ପ୍ରାର୍ଥୀ ଦେବାକୁ । ଆଉ ମୋ ନାଁକୁ ନେଇ ଚିନ୍ତା କରିବାକୁ କହିଥିଲେ । ଆଉ ଏହାପରେ ନବୀନ ମୋ ନାଁ ଘୋଷଣା କଲେ ।

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ବାହାର ଲୋକ ନୁହେଁ, ମୁଁ ପଦ୍ମପୁର ସବଡିଭିଜନ୍ ଝିଅ, ମୋ ମାମୁଁ ଘର ହେଉଛି ନୂଆପଡ଼ା । ପର୍ଯ୍ୟବେକ୍ଷକ ଭାବେ ନୂଆପଡ଼ାରେ ମୁଁ ଚାରିବର୍ଷ କାମ କରିଛି । ନୂଆପଡ଼ାର ଦଳିତ, ଆଦିବାସୀ ସମ୍ପ୍ରଦାୟର ଅନେକ ଲୋକ ଅଛନ୍ତି, ସେମାନଙ୍କର ଉନ୍ନତି ପାଇଁ ମୁଁ କରିପାରିବି ବୋଲି ସେ କହିଛନ୍ତି ।

ଜୟ ଢୋଲକିଆଙ୍କୁ ଟାର୍ଗେଟ୍

ଜୟ ଢୋଲକିଆ ବିଜେପିରେ ସାମିଲ ହେବା ନେଇ ପ୍ରଶ୍ନରେ ବିଜେଡି ପ୍ରାର୍ଥୀ  ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ଜୟ ଢୋଲକିଆ ରାତାରାତି ବିକ୍ରି ହୋଇଗଲେ । ନିଜର ମୁଣ୍ଡ ବିକିଦେଲେ ଜୟ ଢୋଲକିଆ । ଜୟ ଢୋଲକିଆ କେବେ ବି ଚିନ୍ତା କରିଲେନି ତାଙ୍କ ବାପା ନବୀନ ପଟ୍ଟନାୟକଙ୍କ ସହ ମିଶି କାମ କରୁଥିଲେ । ହେଲେ ତା ପରେ ମଧ୍ୟ ବିଜେଡିର କର୍ମୀମାନେ ନବୀନ ପଟ୍ଟନାୟକଙ୍କୁ ସାହସ ଦେଇଥିବା କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । 

ଭିଡିଓ ଦେଖନ୍ତୁ...