କନକ ବ୍ୟୁରୋ : ପାଖେଇ ଆସୁଛି ଉପନିର୍ବାଚନ । ନୂଆପଡ଼ା ଉପରେ ଏବେ ରାଜ୍ୟର ଆଖି । ହେଲେ ଆଜି କିନ୍ତୁ ପ୍ରଚାର ନୁହେଁ, ବରଂ କଂଗ୍ରେସ ଭବନରେ ପୁଲିସ ଚଢ଼ାଉକୁ ନେଇ ରାଜ୍ୟ ରାଜନୀତି ପଡ଼ୁଛି, ଉଠୁଛି । ଜୋର ଧରିଛି ବୟାନବାଜି । ସେପଟେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଭୋଟରଙ୍କ ମୁଡ ପରଖିଛି କନକ ନ୍ୟୁଜ ଟିମ୍‌ ।

Advertisment

ଉପନିର୍ବାଚନ ଜମୁଛି । ତିନି ରାଜନୈତିକ ଦଳ ପ୍ରଚାରରେ ବ୍ୟସ୍ତ । ଠିକ୍ ଏମିତି ସମୟରେ ଆଜି ନୂଆପଡ଼ା କଂଗ୍ରେସ ଅଫିସରେ ପଶିଗଲା ପୁଲିସ । ଅଭିଯୋଗ ଥିଲା, ନିର୍ବାଚନ ସମୟରେ ଟଙ୍କା ବଣ୍ଟା । ବାସ୍, ତାତିଗଲେ କଂଗ୍ରେସ କର୍ମୀ । ପୁଲିସ ସହ ମୁହାଁମୁହିଁ ହେଲେ । ଢେର୍ ସମୟ ଚାଲିଲା କଥା କଟାକଟି । କଂଗ୍ରେସ ଅଫିସରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ଶେଷରେ.. ପୁଲିସ କଂଗ୍ରେସ ଅଫିସରୁ ଖାଲି ହାତରେ ଫେରିଲା । ଏହାକୁ ନେଇ ଗର୍ଜିଛନ୍ତି ପିସିସି ସଭାପତି । ଜବାବ ଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ଏସବୁ ଭିତରେ ନୂଆପଡ଼ାରେ ଭୋଟରଙ୍କ ମୁଡ ପରଖିବା ପାଇଁ ଗ୍ରାଉଣ୍ଡରେ ପହଞ୍ଚିଛି କନକ ନ୍ୟୁଜ ଟିମ୍ । ନୂଆପଡା ବ୍ଲକର ସଲିହାଗଡରେ ପ୍ରଥମେ ଭୋଟରଙ୍କୁ ଭେଟିଥିଲା କନକ ନ୍ୟୁଜ । ଏଠାରେ ଭୋଟର ନିଜର ମନର କଥା କହିଥିଲେ । ସେହିଭଳି ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳ ଓ ଉଦ୍ୟାନବନ୍ଧ ବି ବୁଲିଥିଲା କନକ ନ୍ୟୁଜ ଟିମ । ନୂଆପଡ଼ାରେ ବିଜେଡି ଓ ଉଦ୍ୟାନବନ୍ଧରେ ବିଜେପି ପ୍ରଚାରର ମଙ୍ଗ ସମ୍ଭାଳିଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ନୂଆପଡ଼ାର ସାଇପଲ୍ଲାରେ ପ୍ରଚାର କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।

ନୂଆପଡ଼ା ଉପନିର୍ବାଚନ ପାଇଁ ଆଉ ଦୁଇ ସପ୍ତାହ ସମୟ ଅଛି । ଏହି ସମୟରେ ବିଜେପି, ବିଜେଡି ଓ କଂଗ୍ରେସ ଭୋଟରଙ୍କ ନିକଟତର ହେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ରାଜନୀତି ବି ଜମୁଛି ।