କନକ ବ୍ୟୁରୋ: ନୂଆପଡ଼ାରେ ଜମୁଛି ପ୍ରଚାର ମୈଦାନ, ତିନି ପ୍ରମୁଖ ଦଳର ହେଭିୱେଟ ପ୍ରଚାରର ମଙ୍ଗ ଧରିଛନ୍ତି । ତ୍ରିକୋଣୀୟ ଲଢ଼େଇରେ କିଏ ବାଜି ପାରିବ ସେନେଇ ଅଙ୍କକଷା ଚାଲିଛି । ଏହାରି ଭିତରେ ଦଳ ଦଳ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଲଗାତର ୨ ଦିନ ଧରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦଳୀୟ ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ସେ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ସ୍ନେହାଙ୍ଗିନୀଙ୍କ ମାମୁ ଘରକୁ ନେଇ ଟାର୍ଗେଟ କରିଛନ୍ତି ପ୍ରଭାତୀ, ଏହାସହ ସେ ଆହୁରି କହିଛନ୍ତି ଯେ ଛଳନାର ମୁହଁରେ ଛଳନା ହିଁ ଦେଖାଯାଏ । ବୋଧେ ସ୍ନେହାଙ୍ଗିନୀ ଆଇନା ରଖୁଛନ୍ତି ଆଉ ସେଥିରେ ନିଜ ମୁହଁ ଦେଖୁଛନ୍ତି । ସେପଟେ ପ୍ରଭାତୀଙ୍କ କଟାକ୍ଷର ଜବାବ ରଖିଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ପ୍ରଭାତୀ ମହିଳାଙ୍କୁ ମିଛ କହିଥିବା ସେହ କହିବା ସହ ଦାବି କରିଛନ୍ତି ଯେ ବିଜେପି ସହ ମହିଳାମାନେ ନାହାନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସଭାକୁ ମହିଳା ଯାଉନାହାନ୍ତି, ମିଶନ ଶକ୍ତିର ମହିଳା ନବୀନ ପଟ୍ଟନାୟକ ଓ ବିଜେଡି ସହ ରହିଥିବା ସେ କହିଛନ୍ତି । 

Advertisment

ଏହାପୂର୍ବରୁ ଗତ ଅକ୍ଟୋବର ୨୬ ତାରିଖରେ ନୂଆପଡ଼ା ଉପନିର୍ବାଚନ ସମୟରେ ସରକାରୀ ଦଳ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବା ଅଭିଯୋଗ ଆଣିଥିଲା କଂଗ୍ରେସ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦଳୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଗସ୍ତ କରିବା ଏବଂ ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ପ୍ରସାରଣ କରିବା ପାଇଁ ତାଙ୍କ ସରକାରୀ ସୂଚନା ଅଧିକାରୀ ସେୟାର କରିଥିବା ଅଭିଯୋଗ କରିଥିଲା କଂଗ୍ରେସ । ଦଳ ଆହୁରି ଅଭିଯୋଗ କରିଛି ଯେ, ସେଠି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଶକ୍ତି ସମାରୋହ କାର୍ଯ୍ୟକ୍ରମ କରିଛନ୍ତି । ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଦାବି କରିଛି । 

ବିଜେଡିର ଏକ ପ୍ରତିନିଧି ଦଳ ମଧ୍ୟ ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କୁ ଭେଟି ବିଜେପି ବିରୋଧରେ ଅଭିଯୋଗ କରିଥିଲା । ରାଜନୈତିକ ପ୍ରଚାର ପାଇଁ ବିଜେପି ପୂରା ସରକାରୀ କଳକୁ ବ୍ୟବହାର କରୁଛି । ସରକାରୀ ହୋଡିଂରେ ବିଜେପି ନିଜର ରାଜନୈତିକ ପ୍ରଚାର କରୁଛି ଏବଂ ବ୍ୟାନରରେ ବିଜେପିର ଚିହ୍ନ ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବା ବିଜେଡି ଅଭିଯୋଗ କରିଛି । ଏହାସହ ନୂଆପଡ଼ାରେ ଆଚରଣ ବିଧି ଉଲଙ୍ଘନ କରି ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ବୈଠକ କରିଥିବା ମଧ୍ୟ ଅଭିଯୋଗ କରି ବିଜେଡି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।

ସମୁଦାୟ ୧୪ ଜଣ ପ୍ରାର୍ଥୀ ଏବେ ଉପନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରିବେ । ଇଣ୍ଡିଆନ୍ ନେସନାଲ କଂଗ୍ରେସ ଦଳର ଘାସିରାମ ମାଝୀଙ୍କୁ ହାତ ଚିହ୍ନ , ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆଙ୍କୁ ପଦ୍ମଫୁଲ , ବିଜୁ ଜନତା ଦଳ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ, ସମାଜବାଦୀ ପାର୍ଟି ରମାକାନ୍ତ ହାତୀଙ୍କୁ ସାଇକଲ, ଓଡ଼ିଶା ଜନତା ପାର୍ଟିର ଶୁକଧର ଦଣ୍ଡସେନାଙ୍କୁ ବଂଶୀ ଚିହ୍ନ ପ୍ରଦାନ କରିଥିବା ବେଳେ ଅନ୍ୟ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରତୀକ ପ୍ରଦାନ କରାଯାଇଛି ।